ଭୁବନେଶ୍ବର: ଡିସେମ୍ବର ମାସ ସୁଦ୍ଧା ବିଜେପି ରାଜ୍ୟ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ ହେବ। ନୂଆ ରାଜ୍ୟ ସଭାପତି ନର୍ବାଚିତ ହୋଇ ଦଳର ମଙ୍ଗ ଧରିବେ। ଏଥି ପାଇଁ ଆବଶ୍ୟକ ପ୍ରସ୍ତୁତି େଶଷ ହୋଇଛି। ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଆଜି ଏହି ସୂଚନା ଦେଇଛନ୍ତି। ଶ୍ରୀ ସିଂହଙ୍କ କହିବା ଅନୁଯାୟୀ ବିଜେପି ରାଜ୍ୟ ସଭାପତି ପଦ ପାଇଁ ଏକ ମତଦାତା ସୂଚୀ ତିଆରି କରାଯାଇଥାଏ। ଏଥିରେ ସମସ୍ତ ସାଂଗଠନିକ ଜିଲ୍ଲାର ଜିଲ୍ଲା ସଭାପତି ଓ ରାଜ୍ୟ ପରିଷଦର ସଦସ୍ୟମାନେ ରହିଥା’ନ୍ତି। ଏହି ମତଦାତା ସୂଚୀର ସଦସ୍ୟମାନେ ରାଜ୍ୟ ସଭାପତି ବାଛିଥା’ନ୍ତି। ପରବର୍ତ୍ତୀ ସଭାପତି କିଏ ହେବ ବୋଲି ପ୍ରଶ୍ନରେ ସେ କହିଥିଲେ, ତାହା ଏବେ ଠାରୁ କହି ହେବ ନାହିଁ। ମତଦାତା ସୂଚୀରେ ଥିବା ମତଦାତାମାନେ ହିଁ ଏହା ସ୍ଥିର କରିବେ। ବିଜେପି ହେଉଛି ଏକମାତ୍ର ରାଜନୈତିକ ଦଳ ଯେଉଁଠାରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ରହିଛି। ନାଗରିକତା ସଂଶୋଧନ ଆଇନ ସମ୍ପର୍କରେ ଶ୍ରୀ ସିଂହ କହିଲେ ଯେ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ନିର୍ଯାତନାର ଶିକାର ହୋଇଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତର ନାଗରିକତ୍ବ ପ୍ରଦାନ କରିବା ନିମନ୍ତେ ଯେଉଁ ଆଇନ ପ୍ରଣୟନ ହେଲା, ତାହା ଐତିହାସିକ। ଏହି ଆଇନ ହେବା ପରେ ସେମାନଙ୍କ ଜୀବନରେ ଖୁସି ଆସିବ, ସେମାନେ ନାଗରିକତ୍ବ ପାଇବେ। ଧାରା ୩୭୦ ଉଚ୍ଛେଦ ହେବା, ସମସ୍ତଙ୍କ ପ୍ରୟାସରେ ସର୍ବସମ୍ମତିକ୍ରମେ ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମିରେ ମନ୍ଦିର ନିର୍ମାଣ ନିମନ୍ତେ ମାର୍ଗ ପ୍ରସ୍ତୁତ ହେବା ପରେ ଏବେ ନାଗରିକ ସଂଶୋଧନ ବିଲ୍ ପାରିତ ହୋଇପାରିଛି। ଏହା ଦ୍ବାରା ଶରଣାର୍ଥୀମାନଙ୍କୁ ଲାଭ ମିଳିବ।
ବିଜେପି ରାଜ୍ୟ ପ୍ରଭାରୀ ଶ୍ରୀ ସିଂହ ରାଜ୍ୟସଭାକୁ ସାଂସଦ ଭାବେ ନିର୍ବାଚିତ ହେବା ପରେ ପ୍ରଥମ ଥର ପାଇଁ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି। ସେଥି ପାଇଁ ବିଜେପି ପକ୍ଷରୁ ତାଙ୍କୁ ବିମାନବନ୍ଦରରେ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିମାନବନ୍ଦରରେ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର, ପୃଥ୍ବୀରାଜ ହରିଚନ୍ଦନ ଓ ମୁଖପାତ୍ର ସୁଦୀପ୍ତ ରାୟ ପ୍ରମୁଖ ଉପସ୍ଥିତ ଥିଲେ। ଦଳୀୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ ଉପସ୍ଥିତ ରହି ଶ୍ରୀ ସିଂହଙ୍କୁ ଅଭିନନ୍ଦନ ଜଣାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/bjp-fi.jpg)