ଆଶାୟୀଙ୍କ ଉତ୍କଣ୍ଠା ବଢ଼ୁଛି : ଘୁଞ୍ଚି ଘୁଞ୍ଚି ଯାଉଛି ସବୁ ଦଳର ପ୍ରାର୍ଥୀ ତାଲିକା ଘୋଷଣା

ଭୁବନେଶ୍ୱର ( ସୁବ୍ରତ ଦାସ)  : ଏପ୍ରିଲ ୧୧ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବ ଚାରି-ପର୍ଯ୍ୟାୟ ନିର୍ବାଚନ। ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହେବ ଆସନ୍ତା ୧୮ ତାରିଖରୁ। ତେଣୁ ପ୍ରାର୍ଥୀମାନଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଚାଲିଛି। ଏଣେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ତାଲିକା ଘୋଷଣା ପଦ୍ମ ଘୁଞ୍ଚି ଘୁଞ୍ଚି ଚାଲିଛି। ଦିନ ଯେତିକି ଗଡ଼ିବାରେ ଲାଗିଛି ଆଶାୟୀ ପ୍ରାର୍ଥୀଙ୍କ ଧାଡ଼ି ମଧ୍ୟ ଲମ୍ବିବାରେ ଲାଗିଛି।

ଶାସକ ବିଜୁ ଜନତା ଦଳର ନେତୃବୃନ୍ଦ ନିର୍ଦ୍ଦିଷ୍ଟ ଭାବେ କେବେ ଦଳର ପ୍ରାର୍ଥୀ ତାଲିକା କେବେ ଘୋଷଣା କରାଯିବ,ତାହା କହିପାରୁନାହାନ୍ତି। ଦଳର ମୁଖପାତ୍ର ସୁଲୋଚନା ଦାସ ‘‘ଖୁବ୍‌ଶୀଘ୍ର’’ ବୋଲି ସଂକ୍ଷିପ୍ତ ଉତ୍ତର ଦେଇଥିଲେ।

ତେବେ ପ୍ରତିଦିନ ବିଭିନ୍ନ ଅଂଚଳରୁ ଆଶାୟୀ ପ୍ରାର୍ଥୀଙ୍କ ଲମ୍ବାଧାଡ଼ି ନବୀନ ନିବାସ ଆଗରେ ଲାଗୁଥିବାର ଦେଖାଯାଉଛି। ସେହିପରି କଂଗ୍ରେସ ଭବନ,ପି.ସି.ସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବାସଭବନ ଏବଂ ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟାଳୟ ଓ ଦୁଇ କେନ୍ଦ୍ରମନ୍ତ୍ରୀ ଓ ଦଳୀୟ ନେତାଙ୍କ ବାସଭବନରେ ଭିଡ଼ ଲାଗି ରହିଛି।

ଭାରତର ପ୍ରମୁଖ ବିରୋଧୀ ଦଳ କଂଗ୍ରେସର ସ୍କ୍ରିନିଂ କମିଟି ଆଜି ଦିଲ୍ଲୀଠାରେ ବସି ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିବାରେ ବ୍ୟସ୍ତ। ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଦିନେ ଦୁଇ ଦିନ ମଧ୍ୟରେ ଘୋଷଣା କରାଯିବ।

ଭାରତୀୟ ଜନତା ପାର୍ଟିର ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି ଯେ, ଦଳର ରାଜ୍ୟ ନିର୍ବାଚନ କମିଟି ଗତକାଲି ଭୁବନେଶ୍ୱରଠାରେ ବସି ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିବା ପରେ ଦଳୀୟ ନେତୃବୃନ୍ଦ ଦିଲ୍ଲୀ ଯାଇଛନ୍ତି କେନ୍ଦ୍ରୀୟ ନିର୍ବାଚନ କମିଟିର ଅନୁମୋଦନ ପାଇଁ । ତା’ପରେ ଦଳର ପ୍ରାର୍ଥୀ ତାଲିକା ଘୋଷଣା କରାଯିବ।

ଗତକାଲି ନିର୍ବାଚନ କମିଟି ବୈଠକରେ ଦଳର ରାଜ୍ୟ ପ୍ରଭାରୀ ଅରୁଣ ସିଂ,କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ୍‌ ଓରାମ୍‌,ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ।

ଆଶାୟୀ ପ୍ରାର୍ଥୀଙ୍କର ଉତ୍କଣ୍ଠା ବଢ଼ିବା ନେଇ ହାସ୍ୟାତ୍ମକ ମନ୍ତବ୍ୟ ଦେଇ ଦଳର ମୁଖପାତ୍ର ସଜ୍ଜନ ଶର୍ମା କହିଲେ,‘ଆଜ୍ଞା,ପ୍ରାର୍ଥୀମାନଙ୍କର ଉତ୍କଣ୍ଠା ରହିବ ଠିକ୍‌ ବାହାଘର ଭଳି। ବାହାଘର ତାରିଖ ଠିକ୍‌ ହୋଇଯାଇଛି। କିନ୍ତୁ ବର ବା କନ୍ୟା କିଏ ହେବ ଠିକ୍‌ ହୋଇ ନାହିଁ।’

ସମ୍ବନ୍ଧିତ ଖବର