ରାଜଧାନୀରେ ଆଶାୟୀ ପ୍ରାର୍ଥୀଙ୍କ ପ୍ରବଳ ଭିଡ; ବିଜେଡି ଟିକେଟର ଚାହିଦା ଆକାଶଛୁଆଁ

ଭୁବନେଶ୍ୱର: ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ମନୋନୟନ ଶେଷ ତାରିଖ ଆଉ ମାତ୍ର ୪ ଦିନ ରହିଲା। ତେଣୁ ସବୁ ରାଜନୈତିକ ଦଳର ଟିକେଟ୍‌ ଆଶାୟୀଙ୍କ ମଧ୍ୟରେ ଖୁବ୍‌ ଉତ୍କଣ୍ଠା ରହିଛି। ମୁଖ୍ୟମନ୍ତ୍ରୀ ତଥା ଶାସକ ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମେତ ଅନ୍ୟ ଦଳର ମୁଖିଆମାନଙ୍କ ବାସଭବନରେ ପ୍ରବଳ ଭିଡ଼ ଲାଗି ରହିଛି।

ଶାସକ ବିଜୁ ଜନତା ଦଳ ଲଗାତର ୪ ପାଳି କ୍ଷମତାରେ ରହିବା ପରେ ଏବେ ପଞ୍ଚମ ଥର ପାଇଁ ବିଜୟୀ ହେବାକୁ ଜୋର୍‌ଦାର ଲାଗିପଡ଼ିଛି। ଏହି ଦଳର ଟିକେଟ ପାଇଲେ ବିଜୟ ସମ୍ଭାବନା ସବୁଠୁ ବେଶୀ ବୋଲି ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ରହିଛି ଧାରଣା । ସେଥିପାଇଁ ବିଜେଡି ଟିକେଟ୍‌ ପାଇଁ ଲାଗିଛି ଲମ୍ବା ଧାଡ଼ି। ଏହା ଏକ ଆଞ୍ଚଳିକ ଦଳ ହୋଇଥିବାରୁ ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଉପରେ ସମସ୍ତଙ୍କ ଭରସା। କିଏ ଟିକେଟ ପାଇବ ତା’ର ଚୂଡ଼ାନ୍ତ ନିଷ୍ପତ୍ତି ତାଙ୍କ ହାତରେ। ସେଥିପାଇଁ ଦଳର ପ୍ରାଣକେନ୍ଦ୍ର ଭାବେ ବିବେଚିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସରେ ଗତ କେଇ ଦିନ ହେବ ଭିଡ଼ ଜମି ରହିଛି।

ଦଳ ପକ୍ଷରୁ ୩୩ ପ୍ରତିଶତ ମହିଳାଙ୍କୁ ଲୋକସଭା ପ୍ରାର୍ଥୀ କରାଯିବ ବୋଲି ନବୀନ ଘୋଷଣା କରିବା ପରଠାରୁ ମହିଳା ମହଲରେ ସୃଷ୍ଟିି ହୋଇଛି ପ୍ରବଳ ଉତ୍ସାହ। ବହୁ ଆଶାୟୀ ମହିଳା ନବୀନ ନିବାସ ଆଗରେ ଭିଡ଼ ଲଗାଇଥିବା ପରିଲିକ୍ଷିତ ହେଉଛି।

ଏହାଛଡ଼ା ପ୍ରଥମ ପର୍ଯ୍ୟାୟରେ ଥିବା କୋରାପୁଟ ଜିଲ୍ଲାର ଆଶାୟୀ ପ୍ରାର୍ଥୀ ଆଜି ନବୀନଙ୍କୁ ଭେଟିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀଗୁଡ଼ିକ ବିଷୟରେ ବିମର୍ଷ ଚାଲିଛିି ବୋଲି ଦଳୀୟ ସୂତ୍ରରୁ ପ୍ରକାଶ ପାଇଛି।

ଅନ୍ୟପକ୍ଷରେ ରାଜ୍ୟର ପ୍ରମୁଖ ବିରୋଧୀ ଦଳ କଂଗ୍ରେସର ପ୍ରାର୍ଥୀ ମନୋନୟନ କ୍ଷେତ୍ର ଏବେ ଦିଲ୍ଲୀକୁ ସ୍ଥାନାନ୍ତରୀତ ହୋଇଛି। ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ପଠାଇଥିବା ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଏବେ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର ସ୍କ୍ରିନିଂ କମିଟି ଏବଂ ଦଳର ହାଇକମାଣ୍ଡଙ୍କ ହାତରେ। ଆଜି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଭୁବନେଶ୍ୱର ଫେରି ଆସିବା ପରେ ତାଙ୍କ ବାସଭବନରେ ଆଶାୟୀ ପ୍ରାର୍ଥୀମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।

ତେବେ, ଅନ୍ୟତମ ପ୍ରମୁଖ ଦଳ ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟାଳୟରେ ବିଶେଷ ଭିଡ଼ ଦେଖିବାକୁ ମିଳୁନାହିଁ। ଜଣେ ଦଳୀୟ କର୍ମକର୍ତ୍ତା କହିଛନ୍ତି, ‘ଆମ ଦଳରେ ଲବି କାମ ଦେବ ନାହିଁ। ତୃଣମୂଳ ସ୍ତରରେ ଥିବା ଦଳୀୟ ସଂଗଠକ ଓ ଜନ ସାଧାରଣଙ୍କ ମତାମତ ଆଧାରରେ ଏଥର ପ୍ରାର୍ଥୀ ବଛାଯିବ।’

ସମ୍ବନ୍ଧିତ ଖବର