ଓଡ଼ିଶାରେ ପ୍ରାର୍ଥୀ ଦେବ ଟିଏମସି : ଡେରିକ୍ ଓବ୍ରାଏନ୍

୧୪ଟି ରାଜ୍ୟରେ ନିର୍ବାଚନ ଲଢ଼ିବ ଟିଏମସି, ମୋଦୀ-ଶାହା ଦ୍ବାରା ପରିଚାଳିତ ବିଜେପି ଦେଶ ପାଇଁ ବିପଦ

ଭୁବନେଶ୍ବର : ଆସନ୍ତା ସାଧାରଣ ନିର୍ବାଚନରେ ଓଡ଼ିଶାରେ ଲୋକସଭା ଓ ବିଧାନସଭା ପାଇଁ ପ୍ରାର୍ଥୀ ଦେବ ତୃଣମୂଳ କଂଗ୍ରେସ । କେନ୍ଦ୍ରରେ ମୋଦୀ-ଶାହଙ୍କ ଦ୍ବାରା ପରିଚାଳିତ ବିଜେପିକୁ ନିର୍ବାଚନରେ ମୂଳୋତ୍ପାଟନ କରିବାକୁ ସାରା ଦେଶରେ ସବୁ ଅଣବିଜେପି ଦଳ ଏବେ ଏକାଠି ହୋଇଛନ୍ତି । ଭୁବନେଶ୍ବରରେ ପ୍ରଥମ ଥର ପାଇଁ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ଯେ ତୃଣମୂଳ କଂଗ୍ରେସ ସଂସଦୀୟ ଦଳ ନେତା ଡେରିକ ଓବ୍ରାଏନ୍ ।

ଶ୍ରୀ ଓବ୍ରାଏନ କହିଛନ୍ତି, ଟିଏମସି ଗୋଟିଏ ଜାତୀୟ ଦଳ ଭାବେ ଏଥର ଓଡ଼ିଶା ସମେତ ୧୪ଟି ରାଜ୍ୟରେ ପ୍ରାର୍ଥୀ ଦେବ। ତେବେ ଓଡ଼ିଶାରେ କେଉଁ ଆସନରେ କେତେ ପ୍ରାର୍ଥୀ ଦିଆଯିବ ତା ଦଳର ସଂସଦୀୟ କମିଟି ସ୍ଥିର କରିବ। ଏଥିପାଇଁ ଅନ୍ୟ ସମଭାବାପନ୍ନ ଦଳ ସହ ଆଲୋଚନା କରାଯିବ । ଏଣିକି ପ୍ରତିମାସରେ ଓଡ଼ିଶାକୁ ଟିଏମସିର ଜଣେ ଲେଖାଏଁ ସାଂସଦ ଆସି ରାଜନୈତିକ କାର୍ଯ୍ୟକ୍ରମରେ ଯୋଗଦେବେ । ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ଓଡ଼ିଶାର କିଛି ତୁଙ୍ଗନେତା ଦଳରେ ସାମିଲ ହେବେ ବୋଲି କହିଛନ୍ତି ଟିଏମସି ସାଂସଦ।

ବର୍ତ୍ତମାନ କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ ଏନଡିଏ ସରକାର ଦେଶପ୍ରତି ବିପଦ। ମୋଦୀଙ୍କ ଶାସନରେ ଦେଶର ସମ୍ବିଧାନ ପ୍ରତି ବିପଦ ସୃଷ୍ଟି ହୋଇଛି। ବିମୁଦ୍ରୀକରଣ ଯୋଗୁଁ ବେରୋଜଗାରୀ ବୃଦ୍ଧି ପାଇବା ସହ ଲୋକଙ୍କ ଆର୍ଥିକ ସ୍ଥିତି ବିଗିଡ଼ିଯାଇଛି। ଗତ ୧୯ ତାରିଖରେ କୋଲକାତାରେ ଟିଏମସି ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଡାକରାରେ ୨୪ଟି ବିରୋଧୀ ଦଳ ଏକାଠି ହୋଇ ମୋଦୀ-ଶାହଙ୍କ ଶାସନକୁ ୨୦୧୯ରେ ମୂଳୋତ୍ପାଟନ କରିବାକୁ ଶପଥ ନେଇଛନ୍ତି। ଏହି ମେଣ୍ଟରେ ଓଡ଼ିଶାରେ ଶାସନ କରୁଥିବା ବିଜେଡି ସାମିଲ ହୋଇନଥିଲା। ମମତାଙ୍କ ସଭାରେ ବିଜେଡି କାହିଁକି ସାମିଲ ହେଲାନାହିଁ ଏହା ବିଜେଡିର କିଛି ରାଜନୈତିକ ବାଧ୍ୟବାଧକତା ଥାଇପାରେ ବୋଲି ସମାଲୋଚନା କରିଛନ୍ତି ଟିଏମସି ସାଂସଦ । ଗୋଟିଏ ପଟେ ବିଜେଡି କଂଗ୍ରେସ ଓ ବିଜେପିଠାରୁ ସମଦୂରତା ରଖିଛି ବୋଲି କହୁଥିବା ବେଳେ ବିଜେପିକୁ ସିଧାସିଧା ବିରୋଧ ନକରିବା ଅର୍ଥ କିଛି ବୁଝାମଣା ଥିବାଭଳି ଲାଗୁଛି । ଦୁଇ ନାଆରେ ଗୋଡ଼ ଦେବା ଭଳି ଆଗାମୀ ଦିନରେ ଏହା ବିଜେଡି ପାଇଁ ଘାତକ ହେବ । ଗୋଟିଏ ପ୍ରଶ୍ନର ଉତ୍ତର ‌େଦଇ ସେ କହିଲେ ଯେ ବିରୋଧୀ ସମାବେଶ ଆୟୋଜନର ଅର୍ଥ ନୁହେଁ ମମତା ବାନାର୍ଜୀ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛା ରଖିଛନ୍ତି । ବିଜେପିକୁ ଶାସନ ଗାଦିରୁ ହଟାଇବା ହେଉଛି ମମତାଙ୍କ ସଂକଳ୍ପ। ମହିଳାଙ୍କ ବିକାଶ ନେଇ କେନ୍ଦ୍ର ସରକାରଙ୍କ ଯୋଜନାକୁ ସମାଲୋଚନା କରି ଟିଏମସି ସାଂସଦ କହିଛନ୍ତି, ବେଟି ବଚାଅ ବେଟି ପଢ଼ାଓ ନାଁରେ କେନ୍ଦ୍ର ସରକାର ସବୁ ରାଜ୍ୟ ପାଇଁ ୪ କୋଟି ଟଙ୍କା ହିସାବରେ ମାତ୍ର ୭୦୦ କୋଟି ଟଙ୍କା ଦେଇଛନ୍ତି । କିନ୍ତୁ ପଶ୍ଚିମବଙ୍ଗ ସରକାରଙ୍କ କନ୍ୟାଶ୍ରୀ ଯୋଜନାରେ ୫ ହଜାର ୫୦୦ କୋଟି ଟଙ୍କା ମହିଳାଙ୍କ ବିକାଶ ପାଇଁ ଖର୍ଚ୍ଚ କରାଯାଇଛି । କନ୍ୟାଶ୍ରୀ ଯୋଜନାରେ ୬୦ ଲକ୍ଷ ମହିଳା ଉପକୃତ ହୋଇଛନ୍ତି । ରାଜ୍ୟରେ ଶିକ୍ଷା, ସ୍ବାସ୍ଥ୍ୟ ସେବା ମାଗଣାରେ ମିଳୁଛି । ଚାଷୀଙ୍କ ଆୟକୁ ଦୁଇଗୁଣ କରିବାକୁ ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ଏବେ କହୁଛି ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣ ହେବ। କିନ୍ତୁ ଗଲା ସାତବର୍ଷ ଭିତରେ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ଚାଷୀଙ୍କ ଆୟକୁ ତିନିଗୁଣ ବୃଦ୍ଧି କରିଛନ୍ତି।

ସମ୍ବନ୍ଧିତ ଖବର