ଥମୁନି ବିଜେପି-ଟିଏମ୍‌ସିର ତୁତୁ ମେଁମେଁ: ନିଜ ଦଳୀୟ ସ୍ଲୋଗାନ ଲେଖାଥିବା ୧୦ ହଜାର ପୋଷ୍ଟ୍‍କାର୍ଡ ମୋଦୀଙ୍କୁ ପଠାଇବେ ମମତା

କୋଲକାତା: ଲୋକସଭା ନିର୍ବାଚନ ସରିଯାଇଛି। ହେଲେ ଏଯାଏ ବି ସରିନି ବିଜେପି ଓ ଟିଏମ୍‌ସି ଭିତରେ ଚାଲିଥିବା ତୁ ତୁ ମେଁ ମେଁ । ବିଜେପି ‘ଜୟ ଶ୍ରୀ ରାମ’ ଲେଖାଥିବା ୧ ଲକ୍ଷ ପୋଷ୍ଟକାର୍ଡ ଟିଏମ୍‌ସିକୁ ପଠାଇବ ବୋଲି ନିକଟରେ ଘୋଷଣା କରିଥିଲା। ଏହାର ଜବାବ ଦେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ‘ବନ୍ଦେ ମାତରମ୍‌’, ‘ଜୟ ହିନ୍ଦ୍‌’ ଓ ‘ଜୟ ବେଙ୍ଗଲ୍‌’ ଲେଖାଥିବା ୧୦ ହଜାର ପୋଷ୍ଟ୍‍କାର୍ଡ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପଠାଇବାକୁ ସ୍ଥିର କରିଛନ୍ତି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ନିକଟ ଅତୀତରେ ଟିଏମ୍‌ସିର ସଦସ୍ୟମାନେ କରୁଥିବା ଏକ ବୈଠକ ନିକଟବର୍ତ୍ତୀ ଅଞ୍ଚଳରେ ଗେରୁମଆ ପୋଷାକଧାରୀମାନେ ‘ଜୟ ଶ୍ରୀ ରାମ’ ନାମ ଜପ କରିବା ପରେ ଏହି ବିବାଦର ମୂଳଦୁଆ ପଡ଼ିଥିଲା। ବଜେପି କର୍ମୀମାନେ ଏପରି ଭାବେ ନିଜର ଦଳୀୟ ସ୍ଲୋଗାନ୍‌ ଦେବା ପରେ ଏହାକୁ ପ୍ରତିବାଦ କରିଥିଲେ ଟିଏମ୍‌ସି ସୁପ୍ରିମୋ ମମତା।

 

ପରେ ମମତା ‘ଜୟ ଶ୍ରୀ ରାମ’ ଶୁଣିଲେ ଡେଇଁ ଉଠୁଛନ୍ତି ବୋଲି ସୋସିଆଲ୍‌ ମିଡିଆରେ ଏକ ରୀତିମତ ଚର୍ଚ୍ଚା ଆରମ୍ଭ ହୋଇଥିଲା। ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ ମମତା ସ୍ପଷ୍ଟ କରିଥିଲେ ଯେ ତାଙ୍କୁ କାହାର ଦଳୀୟ ସ୍ଲୋଗାନ ପ୍ରତି କୌଣସି ବିତୃଷ୍ଣା ନାହିଁ। ମାତ୍ର ବିଜେପି ଧର୍ମ ସହ ରାଜନୀତିକୁ ମିଶାଇ ଘୃଣା ପ୍ରଘଟ କରୁଛି ବୋଲି ସେ ଅଭିଯୋଗ ଆଣିଥିଲେ।

ଉଲ୍ଲେଖଯୋଗ୍ୟ, ଗତ ଶନିବାର ନବ ନିର୍ବାଚିତ ବିଜେପି ବିଧାୟକ ଅର୍ଜୁନ ସିଂହ କହିଥିଲେ ଯେ ମମତାଙ୍କ ନିକଟକୁ ‘ଜୟ ଶ୍ରୀ ରାମ’ ଲେଖାଥିବା ୧ ଲକ୍ଷ ପୋଷ୍ଟ କାର୍ଡ ପଠାଇବା ପାଇଁ ବିଜେପି ଚିନ୍ତା କରୁଛି। ଯାହାର ଉତ୍ତର ମମତା ଆଜି ଦେଇଛନ୍ତି।

ସମ୍ବନ୍ଧିତ ଖବର