ୟୁପି ଉପ ନିର୍ବାଚନ ଆଜି

ବିଜେପିକୁ ଏସ୍‌ପି-ବିଏସ୍‌ପି ମେଣ୍ଟର ଚ୍ୟାଲେଂଜ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଖାଲି ପଡ଼ିଥିବା ଦୁଇଟି ଲୋକସଭା ଆସନ ଗୋରଖପୁର ଓ ଫୁଲପୁର ନିର୍ବାଚନମଣ୍ଡଳୀ ପାଇଁ ରବିବାର ମତଦାନ ହେବ ଏବଂ ୧୪ ତାରିଖରେ ଭୋଟ ଗଣତି ପରେ ଫଳାଫଳ ପ୍ରକାଶ ପାଇବ। ମୁଖ୍ୟମନ୍ତ୍ରୀ ହେବା ପରେ ଯୋଗୀ ଆଦିତ୍ୟନାଥଙ୍କ ଗୋରଖପୁର ଆସନ ଏବଂ ଉପମୁଖ୍ୟମନ୍ତ୍ରୀ ହେବା ପରେ କେଶବ ପ୍ରସାଦ ମୌର୍ଯ୍ୟେଙ୍କ ଫୁଲପୁର ଆସନ ଖାଲି ପଡ଼ିଥିଲା। ତେବେ ବିଜେପିର ଗଡ଼ କୁହାଯାଉଥିବା ଏହି ଦୁଇଟି ସଂସଦୀୟ କ୍ଷେତ୍ରରେ ନିଜର ପତିଆରା ବିସ୍ତାର କରିବାକୁ ବିରୋଧୀ ଦଳ ସବୁ ପ୍ରକାର ରଣନୀତି ପ୍ରସ୍ତୁତ କରିଛନ୍ତି। ଏହା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଇଁ ଅଗ୍ନି ପରୀକ୍ଷା ହେବ ବୋଲି କୁହାଯାଉଛି। ଗୋରଖପୁର ପାଇଁ ବିଜେପି ଉପେନ୍ଦ୍ର ଶୁକ୍ଳାଙ୍କୁ ପ୍ରାର୍ଥୀ କରି ହିନ୍ଦୁତ୍ୱ ଭୋଟ ହାତେଇବାକୁ ଆଶା ରଖିଛି। ଅପରପକ୍ଷେ, ସମାଜବାଦୀ ପାର୍ଟି ଓ ବହୁଜନ ସମାଜବାଦୀ ପାର୍ଟି ମଧ୍ୟରେ ମେଣ୍ଟ ହୋଇଛି। ଏହି ମେଣ୍ଟରେ ଭାଗୀଦାର ହେବାକୁ ଇଚ୍ଛା କରିଥିବା କଂଗ୍ରେସ କିନ୍ତୁ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଜିଦ୍‌ଖୋର ମନୋଭାବ ଯୋଗୁଁ ଏଥିରେ ସାମିଲ ହୋଇପାରିନାହିଁ। ବହୁଜନ ସମାଜବାଦୀ ପାର୍ଟି ସମର୍ଥନରେ ସମାଜବାଦୀ ପାର୍ଟିର ପ୍ରବୀଣ ନିଷାଦ ଛିଡ଼ା ହୋଇଛନ୍ତି। ପ୍ରବୀଣ ସଂଖ୍ୟାଲଘୁ ସମ୍ପ୍ରଦାୟର ହୋଇଥିବାରୁ ଏଠାରେ ବିଜେପିର ବିଜୟ ନେଇ ଆଶଙ୍କା ଉପୁଜିଛି। ସେହିପରି ଫୁଲପୁରରେ ବିଜେପି କୌଶଳେନ୍ଦ୍ର ସିଂ ପଟେଲଙ୍କୁ ପ୍ରାର୍ଥୀ କରିଥିବା ବେଳେ ସମାଜବାଦୀ ପାର୍ଟିର ନାଗେନ୍ଦ୍ର ସିଂ ଛିଡ଼ା ହୋଇଛନ୍ତି।

ସମ୍ବନ୍ଧିତ ଖବର