ଏକାଠି ନିର୍ବାଚନ ସପକ୍ଷରେ ଧର୍ମେନ୍ଦ୍ର

ଭୁବନେଶ୍ୱର : ରାଜ୍ୟ ସରକାର କେବଳ ନିଜର ସାମ୍ବିଧାନିକ ସମୟ କଟାଉଛନ୍ତି। ଓଡିଶାର ଲୋକମାନେ ପରିବର୍ତନ ପାଇଁ ମନ ସ୍ଥିର କରିସାରିଲେଣି। ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏପରି କଟାକ୍ଷ କରିଛନ୍ତି। ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ପ୍ରଧାନ କହିଲେ, ରାଜ୍ୟରେ ଏକ ସ୍ଥାଣୁ ଓ ଅପାରଗ ସରକାର ଚାଲିଛି । ଶାସକ ଦଳ ଭିତରେ ଦଳୀୟ ଅନ୍ତଃକନ୍ଦଳ ଧୀରେ ଧୀରେ ବାହାରକୁ ଆସୁଛି । ଲୋକମାନେ ଏହି ସରକାରକୁ ପ୍ରତ୍ୟାଖ୍ୟାନ କରିବେ।

ଆଗୁଆ ସାଧାରଣ ନିର୍ବାଚନ ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ, ଭିନ୍ନ ଭିନ୍ନ ସମୟରେ ନିର୍ବାଚନ ହେବା ଦ୍ୱାରା ବିକାଶ କାମ ପ୍ରଭାବିତ ହେଉଛି । ଏ ସମ୍ବନ୍ଧରେ ଏକ ବଡ ବିତର୍କ କରି ଲୋକସଭା ଓ ବିଧାନସଭାମାନଙ୍କ ନିର୍ବାଚନକୁ ଏକ ସଙ୍ଗରେ କରିବା ପାଇଁ ପ୍ରଧାନମନ୍ତ୍ରୀ ସହମତି ସୃଷ୍ଟି କରିବା ପାଇଁ ଚାହୁଁଛନ୍ତି । ପୃଥିବୀର ବଡ ଗଣତନ୍ତ୍ରମାନଙ୍କରେ ଦେଶ ଓ ପ୍ରାଦେଶିକ ସରକାରମାନଙ୍କର ନିର୍ବାଚନ ଏକ ସଙ୍ଗେ ହେବାର ଉଦାହରଣ ରହିଛି । ଗୋଟିଏ ସମୟରେ ନିର୍ବାଚନ ହେଲେ ରାଜନୈତିକ ପ୍ରସଙ୍ଗ କାରଣରୁ ବିକାଶ କାମ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ। ଶ୍ରୀ ପ୍ରଧାନ କହିଥିଲେ, ଓଡିଶା, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟରେ ଲୋକସଭା ସହିତ ନିର୍ବାଚନ ହେଉଛି । ଯଦି ସମ୍ପୂର୍ଣ୍ଣ ଦେଶରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକ ସଙ୍ଗରେ କରାଯିବ, ତାହା ଦେଶର ବିକାଶ ପାଇଁ ଶୁଭଙ୍କର ହେବ ।

ସମ୍ବନ୍ଧିତ ଖବର