ପଶ୍ଚିମବଙ୍ଗରେ ମମତାଙ୍କ ବାଜିମାତ୍‌

କୋଲକାତା : ପଶ୍ଚିମବଙ୍ଗରେ ନୋଆପଡ଼ା ବିଧାନସଭା ଆସନ ଏବଂ ଉଲୁବେରିଆ ଲୋକସଭା ପାଇଁ ଅନୁଷ୍ଠିତ ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ବାଜି ମାରିନେଇଛି। ନୋଆପଡ଼ା ଆସନକୁ ଦଳ କଂଗ୍ରେସ ହାତରୁ ଛଡ଼ାଇ ଆଣିଥିବା ବେଳେ ଉଲୁବେରିଆରେ ବିଜୟକୁ ବଜାୟ ରଖି ରାଜ୍ୟରେ ମୁଖ୍ୟମନ୍ତ୍ରୀ ମମତା ଅପ୍ରତିଦ୍ୱନ୍ଦ୍ୱୀ ଏବଂ ତାଙ୍କ ଯାଦୁ ଜାରି ରହିଛି ବୋଲି ପ୍ରମାଣିତ କରିଛି। ନୋଆପଡ଼ା ଆସନର ବିଜେତା ଟିଏମ୍‌ସି ପ୍ରାର୍ଥୀ ସୁନୀଲ୍‌ ସିଂହଙ୍କୁ ପାଖାପାଖି ଲକ୍ଷେ ୧୨ ହଜାର ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ସନ୍ଦୀପ ବାନାର୍ଜୀଙ୍କୁ ପ୍ରାୟ ୩୫ ହଜାର ଏବଂ ସିପିଆଇର ଗାର୍ଗି ଚାଟର୍ଜୀଙ୍କୁ ୩୦ ହଜାର ଭୋଟ ମିଳିଛି। ସେହିପରି କଂଗ୍ରେସର ଗୌତମ ଘୋଷଙ୍କୁ ମାତ୍ର ୧୦ ହଜାରରୁ ଅଳ୍ପ ଅଧିକ ଭୋଟରେ ସୀମିତ ରହିବାକୁ ପଡ଼ିଥିବା ବେଳେ ନୋଟାରେ ପାଖାପାଖି ସାଢ଼େ ୩ ହଜାର ଭୋଟ ଯାଇଛି। ସେହିପରି ଉଲୁବେରିଆ ଲୋକସଭା ଆସନରେ ଟିଏମ୍‌ସି ପ୍ରାର୍ଥିନୀ ତଥା ସେହି ଆସନର ପୂର୍ବ ସାଂସଦ ସ୍ୱର୍ଗତ ସୁଲତାନ ଅହମ୍ମଦଙ୍କ ପତ୍ନୀ ସାଜଦା ଅହମ୍ମଦ ୩ ଲକ୍ଷରୁ ଅଧିକ ଭୋଟ ପାଇ ବିଜୟିନୀ ହୋଇଛନ୍ତି।

ସମ୍ବନ୍ଧିତ ଖବର