କଂଗ୍ରେସରୁ ଉମାକାନ୍ତ ନାୟକଙ୍କ ଇସ୍ତଫା : ୧୧ରେ ବିଜେପିରେ ଯୋଗ ଦେବେ

କେନ୍ଦ୍ରାପଡା/ମହାକାଳପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ଉମାକାନ୍ତ ନାୟକ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ଗତକାଲି ଇଂଜିନିୟର ଜ୍ଞାନଦେବ ବେଉରା ବିଜେପି ଛାଡ଼ି ଜୟପୁର ଠାରେ କଂଗ୍ରେସର ହାତ ଧରିବା ପରେ ଆଜି ଉମାକାନ୍ତ କଂଗ୍ରେସରୁ ଇସ୍ତଫା ବିଜେପିରେ ଖୁବ୍ ଶୀଘ୍ର ଯୋଗ ଦେବେ ବୋଲି ସୂଚନା ଦେଇଛନ୍ତି। ଜ୍ଞାନଦେବ ରାଜନଗର ଛାଡ଼ି ନିଜ ଗାଁ ନିର୍ବାଚନମଣ୍ଡଳୀ ମହାକାଳପଡ଼ାରୁ ପ୍ରାର୍ଥୀ ହେ‌େବ ବୋଲି ନିଜେ ଘୋଷଣା କରିଥିବା ପରିପ୍ରେକ୍ଷୀରେ ସେଠାରୁ ପୂର୍ବରୁ ପ୍ରାର୍ଥୀ ହୋଇଥିବା ଉମାକାନ୍ତ କଂଗ୍ରେସ ଛାଡ଼ିବା ରାଜନୈତିକ ମହଲରେ ଚର୍ଚ୍ଚାର ଖୋରାକ୍ ଯୋଗାଇଛି। ଉମାକାନ୍ତ କହିଛନ୍ତି ଦଳ ପାଇଁ ସେ ନିସ୍ୱାର୍ଥପର ଭାବେ ୧୯ ବର୍ଷ ଧରି କାମ କରିଛନ୍ତି। ଅବିଭକ୍ତ ପାଟକୁରା ନିର୍ବାଚନ ମଣ୍ଡଳୀରୁ ସେ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ ହେଁ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ କମିଟି ସଭାପତି, ପିସିସି ସମ୍ପାଦକ ଗରଦପୁର, ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ଦାୟିତ୍ୱରେ ରହି ନିର୍ବାଚନ ପରିଚାଳନା ମଧ୍ୟ କରିଥିଲେ। କିନ୍ତୁ ପିସିସି ସଦସ୍ୟ ଭାବେ କାମ କରୁଥିବା ବେଳେ ବିଗତ ୬/୮ ମାସ ମଧ୍ୟରେ ଜିଲ୍ଲା କିମ୍ବା ରାଜ୍ୟ ସଂଗଠନରେ ତାଙ୍କୁ ଗୁରୁତ୍ବ ଦିଆଗଲା ନାହିଁ। ଏଭଳି ସ୍ଥିତିରେ ସେ ବାଧ୍ୟ ହୋଇ ଦଳ ତ୍ୟାଗ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର