ଭୁବନେଶ୍ୱର: ରାଜ୍ୟରେ ବେରୋଜଗାରୀ ଚରମ ସୀମାରେ ପହଂଚିଛି। ଓଡ଼ିଶାର ଯୁବକ ଏବେ ବାହାର ରାଜ୍ୟକୁ କାମ କରିବାକୁ ଯାଉଛନ୍ତି। ତିର୍ତ୍ତୋଲ, ପାରାଦୀପ ଓ ରାଜ୍ୟରେ ବେରୋଜଗାରୀ ବଡ଼ ସମସ୍ୟା। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ତିର୍ତ୍ତୋଲ ଉପ-ନିର୍ବାଚନ ଲାଗି ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଏହା କହିଛନ୍ତି।
ଓଡ଼ିଶାର ଯୁବକ ଏବେ ବାହାର ରାଜ୍ୟକୁ କାମ ପାଇଁ ଯାଉଛନ୍ତି। ରାଜ୍ୟ ସରକାର ପୂର୍ବରୁ ପଦକ୍ଷେପ ନେଇଥିଲେ ଏ ସ୍ଥିତି ଉପୁଜିନଥାନ୍ତା। ବିଗତ ୩ଟି ଉପ-ନିର୍ବାଚନରେ ସରକାର ଦେଇଥିବା ପ୍ରତିଶ୍ରୁତି ଓ ପ୍ରକଳ୍ପ କାର୍ଯ୍ୟକାରୀ ହୋଇନାହିଁ। କରୋନା ପରିଚାଳନା ବେଳେ ପ୍ରତାରିତ କରିଥିବା ସରକାରଙ୍କୁ ଜବାବ ଦେବାର ସମୟ ଆସିଛି। ଲୋକେ କେମିତି ଏ ସରକାରଙ୍କୁ ବିଶ୍ୱାସକୁ ନେବେ ବୋଲି ପ୍ରଶ୍ନ କରିଛନ୍ତି ସେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଠାଇଥିବା ଟଙ୍କା ଏଠି ଦୁର୍ନୀତିରେ ବର୍ବାଦ କରାଯାଇଛି। କେବଳ ଦୁର୍ନୀତି ପାଇଁ ଇଂଜିନିୟର କି ତଳିଆ କର୍ମଚାରୀ ଦାୟୀ? ବଡ଼ବଡ଼ିଆଙ୍କ ଦୁର୍ନୀତି ପଦାକୁ ଆସୁନାହିଁ କାହିଁକି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି।
My address at the Tirtol Assembly by-election meeting. https://t.co/K0aVyQsvxu
— Dharmendra Pradhan (@dpradhanbjp) October 23, 2020
ଭର୍ଚୁଆଲ୍ ସଭାରେ ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଶାକୁ ବିକାଶର ପ୍ରୟୋଗଶାଳା କରିବା ଆମର ଲକ୍ଷ୍ୟ। ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ପ୍ରୟୋଗଶାଳାର ଏନ୍ତୁଡ଼ିଶାଳ ହେବ। ତିର୍ତ୍ତୋଲବାସୀ ଚଳିତ ଥର ସ୍ପଷ୍ଟ ମତ ଦେବେ ବୋଲି ମୋର ଆଶା।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିବା ୨ଟି ବ୍ରିଜ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଶ୍ରୀ ପ୍ରଧାନ ଟାର୍ଗେଟ କରିଛନ୍ତି। ସେହିପରି ଭୁବନେଶ୍ୱରରେ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ୨୦ ବର୍ଷ ଭିତରେ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଠିକ ଭାବେ ମିଳିପାରି ନାହିଁ। କୋଭିଡ ସମୟରେ କେନ୍ଦ୍ର ସରକାର ୨୨ ହଜାର କୋଟି ଟଙ୍କା ଦେଇଛନ୍ତି। ଆୟୁଷ୍ମାନ ଯୋଜନା ଲାଗୁ କରିବା ପାଇଁ ଆମେ ରାଜ୍ୟକୁ ନେହୁରା ହୋଇଛୁ। ଆୟୁଷ୍ମାନ ଯୋଜାନରେ ଯୋଡ଼ିହେଲେ ଗୁରୁତର ରୋଗୀ ଉପକୃତ ହୁଅନ୍ତେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।