ବଙ୍ଗ ‘ବିଜେପି’ ‘ହ୍ବାଟ୍‌ସ୍‌ଆପ୍‌ ଗ୍ରୁପ୍‌’ ଛାଡ଼ିଲେ କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୁର; ଦଳ ପରିତ୍ୟାଗ କରିପାରନ୍ତି!

କୋଲ୍‌କାତା: ‘ବିଜେପି’ ରାଜ୍ୟ ୟୁନିଟ୍‌ର ସମସ୍ତ ହ୍ବାଟ୍‌ସ୍‌ଆପ୍‌ ଗ୍ରୁପ୍‌ ଛାଡ଼ି ଦେଇଥିବାରୁ କେନ୍ଦ୍ର କ୍ରୀଡ଼ା, ଜାହାଜ ପରିବହନ ଓ ଜଳପଥ ରାଷ୍ଟ୍ରମନ୍ତ୍ରୀ ଶାନ୍ତନୁ ଠାକୁର ଗୈରିକ ଦଳ ପରିତ୍ୟାଗ କରିପାରନ୍ତି ବୋଲି କଳ୍ପନାଜଳ୍ପନାର ସୂତ୍ରପାତ ହୋଇଛି।

ନିକଟ ଅତୀତରେ ରାଜ୍ୟ ‘ବିଜେପି’ରେ କରାଯାଇଥିବା ସାଙ୍ଗଠନିକ ପୁନର୍ବିନ୍ୟାସ ପ୍ରସଙ୍ଗରେ ସେ ଅସନ୍ତୋଷ ବ୍ୟକ୍ତ କରିଥିବା ତାଙ୍କ ନିକଟତମ ବ୍ୟକ୍ତିବିଶେଷଙ୍କଠାରୁ ଜଣାପଡ଼ିଛି।

Image Courtesy of SansaPrime.News

ପ୍ରାପ୍ତ ସୂଚନା ଅନୁସାରେ, ଠାକୁରଙ୍କର ମନେହେଉଛି ଯେ, ‘ବିଜେପି’ ମତୁଆ ସମ୍ପ୍ରଦାୟ ଏବଂ ତା’ର ନେତୃବୃନ୍ଦଙ୍କୁ ଉପେକ୍ଷା କରିଛି। ନିକଟ ଅତୀତରେ ପଶ୍ଚିମବଙ୍ଗ ‘ବିଜେପି’ରେ ହୋଇଥିବା ସାଙ୍ଗଠନିକ ପୁନର୍ବିନ୍ୟାସରେ ସାଂସଦ ଦିଲୀପ ଘୋଷଙ୍କ ଠାରୁ ସାଂସଦ ସୁକାନ୍ତ ମଜୁମଦାର ଦାୟିତ୍ବ ଗ୍ରହଣ କରିଥିବା ବେଳେ ମତୁଆ ସମ୍ପ୍ରଦାୟର କୌଣସି ନେତା ବଡ଼ ପଦବୀ ପାଇଲେ ନାହିଁ।

ଉଲ୍ଲେଖଯୋଗ୍ୟ, ରାଜ୍ୟ ଦଳୀୟ କମିଟିରୁ ବାଦ୍‌ ପଡ଼ିଥିବା ‘ବିଜେପି’ ସାଂସଦ ମୁକୁଟମଣି ଅଧିକାରୀ, ସୁବ୍ରତ ଠାକୁର, ଅମ୍ବିକା ରାୟ, ଅଶୋକ କିର୍ତ୍ତନିଆ ଏବଂ ଅସୀମ ସର୍କାର୍‌ ମଧ୍ୟ ମଙ୍ଗଳବାର ଦିନ ଅସନ୍ତୋଷ ବ୍ୟକ୍ତ କରି ‘ବିଜେପି’ ସାଂସଦଙ୍କ ହ୍ବାଟସ୍‌ଆପ୍‌ ଗ୍ରୁପ୍‌ ତ୍ୟାଗ କରିଥିଲେ। ବନଗାଓଁସ୍ଥିତ ବାସଭବନରେ ସେମାନେ ଶାନ୍ତନୁ ଠାକୁରଙ୍କୁ ସାକ୍ଷାତ୍‌ କରିଥିଲେ। କିନ୍ତୁ, କେହି ହେଲେ ଏଯାବତ୍‌ ଦଳ ପରିତ୍ୟାଗ କରି ନାହାନ୍ତି। ରାଜ୍ୟ ‘ବିଜେପି’ର ପ୍ରାଥମିକ ନିୟନ୍ତ୍ରଣକାରୀ ୟୁନିଟ୍‌ରେ ସେମାନେ ମତୁଆଙ୍କ ପ୍ରତିନିଧିତ୍ବ ପାଇଁ କହିଥିଲେ।

ସମ୍ବନ୍ଧିତ ଖବର