ତେଜସ୍ବୀ ଯାଦବ ମହିଳାମାନଙ୍କୁ ଟଙ୍କା ବାଣ୍ଟୁଥିବା ଭିଡିଓ ଭାଇରାଲ୍‌‌ ହେବା ପରେ ‘ଜେଡିୟୁ’ କହିଲା, ସେମାନଙ୍କ ଜମି ଫେରାଅ

ପାଟନା: ବିହାରର ଗୋପାଳଗଞ୍ଜ ଜିଲ୍ଲାରେ କିଛି ମହିଳାଙ୍କୁ ‘ଆର୍‌ଜେଡି’ ନେତା ତେଜସ୍ବୀ ଯାଦବ ନଗଦ ଟଙ୍କା ବାଣ୍ଟୁଥିବା ଦୃଶ୍ୟର ଏକ ଭିଡିଓ ଭାଇରାଲ୍‌ ହେବାରୁ ବିରୋଧୀ ନେତାମାନେ ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ଭିଡିଓରେ ଦେଖାଯାଉଛି: କାର୍‌ ଭିତରେ ବସିଥିବା ତେଜସ୍ବୀଙ୍କୁ ଦଳେ ମହିଳା ବେଢ଼ି ଯିବା ପରେ ସେ ପ୍ରତ୍ୟେକଙ୍କୁ ୫୦୦ ଟଙ୍କିଆ ନୋଟ୍‌ ପ୍ରଦାନ କରୁଛନ୍ତି ଏବଂ ମହିଳାମାନେ ଯୋଡ଼ହସ୍ତରେ ସେ ଅର୍ଥ ଗ୍ରହଣ କରୁଛନ୍ତି।

ଗୁରୁବାର ଦିନ ଗୋପାଳଗଞ୍ଜରେ ଆୟୋଜିତ ସାଧାରଣ ସଭାରେ ତେଜସ୍ବୀ ଭାଷଣ ଦେଇଥିଲେ। ସେଦିନ ସନ୍ଧ୍ୟାରେ ‘ଜନତା ଦଳ ୟୁନାଇଟେଡ୍‌’ର (ଜେଡିୟୁ) ଏମ୍ଏଲ୍‌ସି ନୀରଜ କୁମାର ତେଜସ୍ବୀଙ୍କର ଉକ୍ତ ଭିଡିଓଟି ରିଲିଜ୍ କରିଥିଲେ।

Image Courtesy of Free Press Journal

ତେଜସ୍ବୀଙ୍କୁ ସମାଲୋଚନା କରି ସେ କହିଛନ୍ତି ଯେ, ଗୁରୁବାର ଦିନ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ଫେରିବା ବେଳେ ତେଜସ୍ବୀ ଗରିବ ମହିଳାଙ୍କୁ ଟଙ୍କା ବାଣ୍ଟିଲେ। ଭାଇରାଲ୍‌‌ ହୋଇଥିବା ଭିଡିଓରେ ଉକ୍ତ ଗରିବ ମହିଳାଙ୍କୁ ତେଜସ୍ବୀ ‘ଆର୍‌ଜେଡି’ ସୁପ୍ରିମୋ ଲାଲୁ ପ୍ରସାଦଙ୍କ ପୁଅ ଭାବେ ନିଜର ପରିଚୟ ଦେଲେ। ସେ କହୁଛନ୍ତି, ମୁଁ ଲାଲୁ ଜୀଙ୍କ ପୁଅ ତେଜସ୍ବୀ ଯାଦବ।

‘ଜେଡିୟୁ’ ନେତା ପୁଣି କହିଛନ୍ତି, ସାନ୍ତ୍ବନାମୂଳକ ଭାବେ ଦଳର ନେତୃତ୍ବ ଦିଆଯାଇଥିବାରୁ ତେଜସ୍ବୀଙ୍କର ନିଜସ୍ବ ପରିଚୟ ନାହିଁ। ଏବେ ମଧ୍ୟ ସେ ବାପା ଲାଲୁ ପ୍ରସାଦଙ୍କ ପୁଅ ଭାବେ ପରିଚିତ ହେଉଛନ୍ତି।

ନୀରଜ ଆହୁରି ମଧ୍ୟ କହିଛନ୍ତି ଯେ, ଲାଲୁ ରେଳବାଇ ମନ୍ତ୍ରୀ ଥିବା ବେଳେ ଚାକିରି ଦେବେ ବୋଲି ପ୍ରତିଶ୍ରୁତି ଦେଇ ତାଙ୍କ ପରିବାର ଅଧିଗ୍ରହଣ କରିଥିବା ଜମି ସବୁ୍କୁ ତେଜସ୍ବୀ ବାଣ୍ଟି ଦେବା ଉଚିତ ଥିଲା। ଲାଲୁ ପ୍ରସାଦ ମଧ୍ୟ ଗରିବମାନଙ୍କୁ ଠକିଛନ୍ତି, କିନ୍ତୁ, ତେଜସ୍ବୀ ଯାଦବ ତାଙ୍କୁ ବଳି ଯାଇଛନ୍ତି। ସାନ୍ତ୍ବନାମୂଳକ ଭାବେ ତେଜସ୍ବୀଙ୍କୁ ପଦବୀ ମିଳିଛି। ଏବେ ମଧ୍ୟ ବାପାଙ୍କ ନାମ ହିଁ ତାଙ୍କର ପରିଚୟ। ସେ କଥା ସେ ସ୍ବୀକାର କରୁଛନ୍ତି। ଯଦି ତେଜସ୍ବୀଙ୍କର କିଛି ଦେବାର ଥିଲା, ତେବେ ଲାଲୁ ପ୍ରସାଦ ତାଙ୍କ ପରିବାର ନାଁରେ ଲେଖାଇ ନେଇଥିବା ଜମି ଫେରାଇ ଦେବା ଉଚିତ ଥିଲା।

ଏ ସଂକ୍ରାନ୍ତରେ ସମ୍ପ୍ରତି ‘ଆର୍‌ଜେଡି’ ସ୍ପଷ୍ଟିକରଣ ଦେଇ କହିଛି, ଗରିବମାନଙ୍କୁ ସାହାଯ୍ୟ କରିବାରେ ଅଡୁଆ ରହିଲା କେଉଁଠି? ପଞ୍ଚାୟତ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ସଂହିତା ଲାଗୁ ‌ହେବା ସତ୍ତ୍ବେ ବିହାର ସରକାର ବ୍ୟାପକ ବଦଳି କରୁଛନ୍ତି। ତେଜସ୍ବୀ ଗରିବମାନଙ୍କୁ ସାହାଯ୍ୟ କଲେ ଅସୁବିଧା କ’ଣ?

ସମ୍ବନ୍ଧିତ ଖବର