ବିଜେପିର ଦୁର୍ନୀତି ବିରୋଧୀ ଲଢ଼େଇ ହାସ୍ୟାସ୍ପଦ: ବୀରଭଦ୍ର ସିଂହ

ନୂଆଦଲ୍ଲ: ଆଉ ମାତ୍ର କେଇଟା ଦିନ ପରେ ହିମାଚଳ ବିଧାନସଭା ନିର୍ବାଚନ। ଭୋଟ୍‌ ହାତେଇବା ଲାଗି ନିର୍ବାଚନୀ ପ୍ରଚାର ବି ଜୋରଦାର ଚାଲିଛି। ବିଜୟ ପାଇଁ ଉଭୟ ବିଜେପି ଏବଂ କଂଗ୍ରେସ ଲୋକମାନଙ୍କୁ ନାନାଦି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଦୁର୍ନୀତି ହଟାଇବାଲାଗି ଉଭୟ ବିଜେପି ଏବଂ କଂଗ୍ରେସ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାକୁ ନେଇ ବିଜେପି ଏବଂ କଂଗ୍ରେସ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନୀ ପ୍ରଚାରରେ ହିମାଚଳ ଗସ୍ତରେ ଯାଇ କଂଗ୍ରେସକୁ ଦୁର୍ନୀତିଗ୍ରସ୍ତ କହିବା ସହ ଲାଫିଂ କ୍ଲବ୍‌ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ବୀରଭଦ୍ରଙ୍କୁ ଆଖେପ କରି ସେ କହିଥିଲେ ଯେଉଁ ଦଳର ମୁଖ୍ୟମନ୍ତ୍ରୀ ଖୋଦ୍‌ ଦୁର୍ନୀତିଗ୍ରସ୍ତ ସେହିି ଦଳ ଦୁର୍ନୀତି ହଟାଇବାର ପ୍ରତିଶ୍ରୁତି ହାସ୍ୟାସ୍ପଦ। ତେବେ ମୋଦିଙ୍କର ଏହି ବୟାନଙ୍କୁ କଡ଼ା ବିରୋଧ କରି ଆଜି ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହ ଟ୍ଵିଟ୍‌ ମାଧ୍ୟମରେ କହିଛନ୍ତି ଯେଉଁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ଦୁଇ ପୁଅ ଦୁର୍ନୀତିଗ୍ରସ୍ତ ସେହି ଦଳ ମଧ୍ୟ ଦୁର୍ନୀତିବିରୋଧୀର ପାଠ ପଢ଼ାଇବା ନିଶ୍ଚିତ ରୂପେ ହାସ୍ୟାସ୍ପଦ। ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପ୍ରେମ କୁମାର ଧୁମାଲଙ୍କୁ ଆଖେପ କରି ଏହା କହିଛନ୍ତି। ପ୍ରେମ କୁମାର ଧୁମାଲ ଏବଂ ତାଙ୍କ ଦୁଇ ପୁଅ ଅନୁରାଗ ଠାକୁର ଏବଂ ଅରୁଣ ଧୁମାଲଙ୍କ ବିରୋଧରେ ଥିବା ଦୁର୍ନୀତି ମାମଲାକୁ ଭିତ୍ତି କରି ସେ ଏହା କହିଛନ୍ତି। ଅନ୍ୟପକ୍ଷରେ ମୋଦି ବ୍ୟକ୍ତିଗତ ଭାବେ ତାଙ୍କ ଉପରେ ଏହି ଆକ୍ରମଣ କରିଥିବା ସେ କହିଛନ୍ତି। ତେବେ ବୀରଭଦ୍ର କହିଛନ୍ତି ଯେ ନିର୍ବାଚନୀ ପ୍ରଚାର ପାଇଁ ତାଙ୍କ ପାଖରେ ଟଙ୍କା ନାହିଁ। ତାଙ୍କର ସବୁ ଆକାଉଣ୍ଟ୍‌ ଗୁଡ଼ିକ ଇଡି ଏବଂ ସିବିଆଇ ଦ୍ୱାରା ସିଲ୍‌ ହୋଇଯାଇଛି।

ସମ୍ବନ୍ଧିତ ଖବର