ସୋସିଆଲ ମିଡିଆରେ ଭାଇରାଲ ହେଉଛି ଦାମଙ୍କ ବୟାନ । ବୈଜୟନ୍ତଙ୍କ ସମ୍ପର୍କରେ ଦେଇଛନ୍ତି ବଡ଼ ବୟାନ, ଦେଖନ୍ତୁ ଭିଡ଼ିଓ…

ଭୁବନେଶ୍ୱର : ବୈଜୟନ୍ତଙ୍କୁ ନେଇ ଦାମଙ୍କ ବଡ ବୟାନ । ଗତକାଲି ନୂଆ ଦଳ ଗଢିଥିବା ଦାମଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ବାବୁ ବୈଜୟନ୍ତଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ଦାମ ରାଉତ । ଏପରିକି ତାଙ୍କୁ ବେପାରୀ କହିବାକୁ ମଧ୍ୟ ପଛାଇ ନାହାନ୍ତି । ଏନଏନଏସ ଓଡିଆ ୱେବ ପୋର୍ଟାଲର ଫେସବୁକ ପେଜରେ ଏଭଳି ଏକ ଭିଡିଓ ଅପଲୋଡ ହୋଇଛି । ଯେଉଁଥିରେ ବୈଜୟନ୍ତଙ୍କ ଗୁମର ଖୋଲିଛନ୍ତି ଦାମ । ଯାହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଜୋରଦାର ଚର୍ଚ୍ଚା ହେଉଛି । କାହିଁକି ବାରିପଦା ସଭା ବୈଜୟନ୍ତ ଗଲେନାହିଁ, ହେଇଯାଉ କାର୍ଯ୍ୟକ୍ରମ କିଭଳି ହେଉଛି ସେ ବାବଦରେ ଦାମ କହିଥିବା ପୂରା କଥା ଏନଏନଏସ ଓଡିଆ ଫେସବୁକ ପେଜରେ ଅପଲୋଡ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ।

ବୈଜୟନ୍ତଙ୍କ ବାବଦରେ ଦାମ କହିଛନ୍ତି, ବେପାରୀ ହେଲେ ଯାହା ହୁଏ ସେଇଆ । ପଇସା ଅଛି, ପଇସା ପଠେଇ ଦେଇ ଚା’ ଖଟି କରୁଛି । ତାର ତ ପଲିଟିକାଲ ଏଜେଣ୍ଡା କିଛି ନାହିଁ । ଆଗରୁ ଦି ଟା ଲୋକ ପଠେଇ ଦେଉଛି କହୁଛି,ମୁଁ ଅମୁକ ଯାଗାକୁ ଯିବି ଚା’ ଖଟିରେ ବସିବି । ସେମାନେ ଯାଇ ଲୋକଙ୍କ ସହ କଥାବାର୍ତ୍ତା କରିକି ଶହେ ଦୁଇ ଶହ ଲୋକ ଯୋଗାଡ କରୁଛନ୍ତି । ଏ ପହଞ୍ଚିବା ପରେ ଗୋଟିଏ ଖୋଲାଗାଡି କରି ଯାଇ ଚାହା ଦୋକାନ ପାଖରେ ଓହ୍ଳାଇ ପଡୁଛନ୍ତି । ଚା’ ଦୋକାନ ପାଖରେ ନିଜେ ସମସ୍ତଙ୍କୁ ଚା’ ଦେଇ ଗପସପ କରି ଆସୁଛନ୍ତି । ଯେଉଁଥିରେ ପଲିଟିକାଲ ଭାଲ୍ୟୁ କିଛି ନାହିଁ । ଏବେ ତାଲଚେର ଯାଇଥିଲା । ବିଜେଡି ବାଲା କଣ କଲେ, ପଚାଶ ଷାଠିଏଟା ଟୋଙ୍କାଙ୍କୁ ଚା’ ଖଟିକୁ ପଠେଇଦେଲେ । ସେଠି ବେଜିତି ହେଇକି ଆସିଲା । ସେଇଟା ସେ ବୁଝୁନି । ସାମ୍ନା କରିବ ଲୋକଙ୍କୁ ନାଁ ।

ବୈଜୟନ୍ତ ବ୍ରାହ୍ମଣ ମୁଁ ଖଣ୍ଡାୟତ ବୋଲି ସିଧା ନବୀନକୁ ଆଟାକ୍ କରୁଛି : ଦାମ

#BIGEXPOSED #ବୈଜୟନ୍ତ ପଣ୍ଡାଙ୍କ ଗୁମର ଖୋଲିଲେ ଡାକ୍ତର ଦାମଦୋର ରାଉତ #ନବୀନଙ୍କ ଠାରୁ ଆହୁରି ୪୦୦ କୋଟି ଛାଡ ପାଇବ ବୋଲି ଆଶା ବାନ୍ଧିଛି ବୈଜୟନ୍ତ : ଦାମ#ବୈଜୟନ୍ତ ଅରୁଣ ସାହୁକୁ ଡରୁଛି : ଦାମ #ବୈଜୟନ୍ତକୁ ଲୋକ ଆଠଶହ କୋଟିର ହିସାବ ମାଗୁଛନ୍ତି ସେଥିପାଇଁ ଡରୁଛି : ଦାମ#ବୈଜୟନ୍ତ ବ୍ରାହ୍ମଣ ମୁଁ ଖଣ୍ଡାୟତ ବୋଲି ସିଧା ନବୀନକୁ ଆଟାକ୍ କରୁଛି : ଦାମ

Posted by NNS ODIA on Saturday, November 10, 2018

 

କେବଳ ଏତିକି ନୁହେଁ ବାରିପଦା ମିଟିଂରେ ବୈଜୟନ୍ତ କାହିଁକି ଯୋଗ ଦେଲେ ନାହିଁ ତାହା ଉପରୁ ମଧ୍ୟ ପରଦା ଉଠାଇଛନ୍ତି ଦାମ । ସେ କହିଛନ୍ତି, ମୁଁ ବାରିପଦା ଗଲି । ମୋତେ ଜବାବ ଦେଲା ବାରିପଦା ଯିବ ବୋଲି । ଚାରିଆଡେ ପୋଷ୍ଟର ମାରିଲେ । ପୋଗ୍ରାମ ଦିନ ମୋତେ ବୈଜୟନ୍ତ କହିଲେ, ‘ମୁଁ ଦେବଗଡ ଯାଉଛି, ସେଠାରୁ ସିଧା ବାଲେଶ୍ୱର ଯିବି’ । ଏହାପରେ ମୁଁ ବାଲେଶ୍ୱରରେ ରହିଲି । ସେ ଯାଇଁ ଆଉ କୋଉ ହୋଟେଲରେ ରହିଲା । ମୋ ସାଙ୍ଗରେ ଯଜେ୍ଞଶ୍ୱର ବାବୁ ଯାଇଥିଲେ । ତାଙ୍କୁ ପଠାଇଲି ଯାଅ ଦେଖିକି ଆସିବ କେଉଁ ହୋଟେଲରେ ଅଛନ୍ତି । ଆଉ କେତେବେଳେ ବାହାରିବା ।ବାରିପଦାରେ ଆୟୋଜକଙ୍କ ସହ କଥା ହେଲି । ସେମାନେ କହିଲେ, ୧୦.୩୦ରେ ପହଞ୍ଚିଲେ ୨୦୦ ମୋଟରସାଇକେଲରେ ପ୍ରୋସେସନ କରି ନେବୁ । ଏହାପରେ ବୈଜୟନ୍ତ ପଣ୍ଡା ଯଜେ୍ଞଶ୍ୱର ବାବୁଙ୍କୁ କହିଲେ ଆମେ ୯ଟାରେ ବାହାରିବୁ । ଆପଣ ଦାମ ବାବୁଙ୍କୁ ନେଇ ବାହାରନ୍ତୁ ମୁଁ ଯାଉଛି । କିନ୍ତୁ ଆମେ ଯାଇ ବେତନଟୀ ଟପିଯିବା ପରେ ଗୋଟିଏ ଜାଗାରେ ରହିବା ସହ ବୈଜୟନ୍ତଙ୍କୁ ଅପେକ୍ଷା କରିଲୁ । ସେଠାରେ ଥିବା ଏକ ଚା’ ଦୋକାନରେ ବସିଥିଲୁ । କିନ୍ତୁ ନବୀନ ନନ୍ଦ କଣ କହିଦେଲା କେଜାଣି, ୧୨ କିଲୋମିଟର ଆସିବା ପରେ ପୁଣିଥରେ ଫେରିଆସିଲେ ବୈଜୟନ୍ତ । ଏହି ସମୟରେ ନବୀନ ନନ୍ଦ ଫୋନ କରି କହିଲେ, ୧୨ କିଲୋମିଟର ଆସିବା ପରେ ତାଙ୍କର ଭୀଷଣ ଝାଡା ଲାଗିଲା । ବାଲେଶ୍ୱରକୁ ଯାଇ ସେ ପୁଣି ଆସିବେ ।

ବାଇପାସ ଛକରେ ପହଞ୍ଚିଲୁ । ସେଠାରେ ପହଞ୍ଚିବା ପରେ ଯଜେ୍ଞଶ୍ୱର ବାବୁ କହିଲେ, ଚାଲ ସର୍କିଟ ହାଉସରେ ବସିବା ବୈଜୟନ୍ତ ବାବୁ ଆସିଲେ ଯିବା । କିନ୍ତୁ ସର୍କିଟ ହାଉସରେ କେବେ ବସେନି ତେଣୁ ମୁଁ କହିଲି ଖରାରେ ବସିବି । ଚା’ ଦୋକାନରୁ ଚେୟାର ଆଣି ସେଠାରେ ବସିଲି। ୩୫ରୁ ୪୫ ମିନିଟ ଅପେକ୍ଷା କଲି । ସେ ପହଞ୍ଚିଲାନି । ଲୋକ କହିଲେ, ଖରା ହୋଇଗଲାଣି । ଲୋକମାନେ ଛଉ ପଡିଆରେ ଜମା ହୋଇଗଲେଣି । ତେଣୁ ମୁଁ ଅପେକ୍ଷା ନ କରି ବାହାରିଗଲି । ସେଠାରେ ମୋତେ ଶୋଭାଯାତ୍ରା କରି ନେଲେ । ପ୍ରାୟ ୮୦୦୦ ଲୋକ ହୋଇଥିଲେ । କିନ୍ତୁ ଆଉ ବୈଜୟନ୍ତ ବାବୁ ଗଲେନି । ମୁଁ ଆଗ କହିଦେଲି, ବୈଜୟନ୍ତ ବାବୁ ଆସୁଥିଲେ । ଅଧା ବାଟରୁ ଫେରିଗଲେ । ତାଙ୍କୁ ଭୀଷଣ ଝାଡା ଲାଗିଲା, ପେଟ ଖରାପ ହେଲା । ସେ ବୋଧେ ବେଶି ହେଲା ଆଉ ଆସିବେନି ଆଉ । ସେଠି ଜାଣିଲି ଯେ, ନବୀନ ନନ୍ଦ ଯାଇ ବୈଜୟନ୍ତଙ୍କୁ କହିଛନ୍ତି ଯେ, ଅରୁଣ ସାହୁ ଯାଇ ଦି ଦିନ ହେବ ଅଛି । ସେ ଟୋକା ସଜେଇ ରଖିଛି । ଆପଣ ସଭାକୁ ଗଲେ ସେମାନେ ଷ୍ଟେଜରେ ଆପଣଙ୍କୁ ପ୍ରଶ୍ନ ପଚାରିବେ । ଏକଥା ଶୁଣି ବୈଜୟନ୍ତ ପଳାଇ ଆସିଲେ ।

ନବୀନ ନନ୍ଦ ଯାହା କହିଥିଲା ସେଇଆ ହେଲା । ସଭା ସ୍ଥଳରେ ଆଗ ଧାଡିରେ ଗୋଟିଏ ଟୋକା ବସିଥିଲା । ଦେଖୁ ଦେଖୁ ବିଜୁଳି ବେଗରେ ମାଡି ଆସି ମାଇକ ଧରି ବୈଜୟନ୍ତ ପଣ୍ଡାଙ୍କ ୮୦୦ କୋଟି ଟଙ୍କାର ଟିକସ ଫାଙ୍କି ବିଷୟରେ ପ୍ରଶ୍ନ କଲା । ତାକୁ ଲୋକ ଟଣା ଓଟରା କରି ନେଇଗଲେ । ମୁଁ ସେଇଠି କହିଲି, ଏଇ ଟୋକାକୁ ଅରୁଣ ସାହୁ ପଠାଇଛି । ଏହାସହ ଦାମ କହିଛନ୍ତି, ମୁଁ ବୈଜୟନ୍ତଙ୍କ ବାବୁଙ୍କ ସହ କଥାବାର୍ତ୍ତ । ହେଉନାହିଁ । ମୋର ଟେଲିଫୋନକୁ କଲେ ମୁଁ ଉଠାଏ । କିନ୍ତୁ ବୈଜୟନ୍ତ ବାବୁଙ୍କର ସେମିତି ନାହିଁ । ତାଙ୍କ ପାଖରେ ଦିଇଟା ଲୋକ ଅଛନ୍ତି । ସେମାନଙ୍କୁ ଫୋନ କରିବାକୁ ପଡିବ । ସେମାନେ ବୁଝିକି ହଁ କରିଲେ ଯାଇ ବୈଜୟନ୍ତଙ୍କ ସହ କଥା ହୋଇପାରିବ । ସେଥିପାଇଁ ମୁଁ ତାଙ୍କ ସହ କଥା ହେଉନାହିଁ ।

କେବଳ ଏତିକି ନୁହେଁ ନବୀନ ପଟ୍ଟନାୟକ ମୋଦି ସହ କଣ୍ଡିସନ କରିଛନ୍ତି । ତମର ସବୁକଥା ମାନିବି କିନ୍ତୁ ମୋର ଗୋଟିଏ କଣ୍ଡିସନ ବୈଜୟନ୍ତଙ୍କୁ ନେବନି । ଏକଥା ବି ବୈଜୟନ୍ତ ମାନିଛନ୍ତି । ଆଗରୁ ୨୩୦୦ କୋଟି ଟଙ୍କାର ରିବେଟ ନେଇଥିଲେ, ସେହି ଢଙ୍ଗରେ ଆଉ ୪୦୦ କୋଟି ଟଙ୍କା ରିହାତି ପାଇବା କଥା । ସେଇଥିପାଇଁ ନୁଙ୍ଗୁରୁ ପୁଙ୍ଗୁର ହେଉଛନ୍ତି ।କିନ୍ତୁ ତାଙ୍କୁ ମିଳିବନି ।

ଏନଏନଏସ ଓଡିଆ ୱେବ ପୋର୍ଟାଲ ଫେସବୁକ୍ ପେଜରେ ଅପଲୋଡ ହେବା ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓକୁ ନେଇ ଚାରିଆଡେ ଚର୍ଚ୍ଚା । ଯେତେବେଳେ ବିଜେଡିରୁ ବିଦା ହେବା ପରେ ଦାମଙ୍କ ସମର୍ଥନରେ ବୈଜୟନ୍ତ ବାହାରିଥିଲେ ସେତେବେଳେ ଦାମଙ୍କ ନୂଆ ଦଳରେ ବୈଜୟନ୍ତ ସାମିଲ ହେବା ନେଇ ଜୋର ଧରିଥିଲା ଚର୍ଚ୍ଚା । କିନ୍ତୁ ବୈଜୟନ୍ତଙ୍କୁ ନେଇ ଦାମଙ୍କ ଏହି ବୟାନ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ତେବେ ଭାଇରାଲ ଭିଡିଓକୁ ନେଇ ବୈଜୟନ୍ତ ଓ ଦାମଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଏପରିକି ଏହି ଭିଡିଓଟି କିଭଳି ଓ କେଉଁ ପରିସ୍ଥିତିରେ ସୁଟିଂ କରାଯାଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । କିନ୍ତୁ ଭାଇରାଲ ଭିଡଓ ଅନେକ କଥା କହୁଛି ।

ସୌଜନ୍ୟ : କନକ ନ୍ୟୁଜ୍‌

ସମ୍ବନ୍ଧିତ ଖବର