ଭୁବନେଶ୍ୱର(ସୁବ୍ରତ ଦାସ) : ୧୯ ବର୍ଷ ଧରି ୪ କୋଟି ଓଡ଼ିଶାବାସୀଙ୍କ ଭାଗ୍ୟବିଧାତା ରହି ଆସିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଭାଗ୍ୟ ହିଞ୍ଜିଳି ଏବଂ ବିଜେପୁରଠାରେ ଇଲେକ୍ଟ୍ରୋନିକ ଭୋଟିଂ ମେସିନ୍ରେ ବନ୍ଦୀ ହୋଇଛି। ନବୀନ ଏଥର ୫ମ ଥର ଲାଗି ଗାଦିରେ ବସିବା ପାଇଁ ହିଞ୍ଜିଳି ଓ ବିଜେପୁର ବିଧାନସଭା ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ଏହି ଦୁଇଟି ଆସନ ପାଇଁ ଭୋଟଗ୍ରହଣ ଆଜି ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନ ଦେଖିବାର କଥା, ହିଞ୍ଜିଳି ନା ବିଜେପୁର ? କିଏ ଦେଉଛି ନବୀନଙ୍କୁ ଅଧିକ ଭୋଟ୍ ?
ନବୀନ ଗତ ୪ଟି ବିଧାନସଭା ନିର୍ବାଚନ ହିଞ୍ଜିଳି ଆସନରୁ ଲଢ଼ିଥିଲେ। ଏହା ପୂର୍ବରୁ ୧୯୯୭ ମସିହା ଠାରୁ ସେ ଆସ୍କାରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ହିଞ୍ଜିଳି ବିଧାନସଭା ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ, ଏଥିପାଇଁ ଏହି ଆସନଟି ନବୀନଙ୍କ ଖୁବ୍ ପରିଚିତ। କିନ୍ତୁ ଏଥର ହିଞ୍ଜିଳି ସାଂଗକୁ ପଶ୍ଚିମ ଓଡ଼ିଶାର ବିଜେପୁର ବିଧାନସଭା ଆସନରୁ ମଧ୍ୟ ଲଢ଼ି ନବୀନ ସମସ୍ତଙ୍କୁ ଚକିତ କରିଦେଇଛନ୍ତି।
/sambad/media/post_attachments/wp-content/uploads/2019/04/Naveen-Patnaik-1.jpg)
ଆଜି ଉଭୟ ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟଗ୍ରହଣ ଶେଷ ହୋଇଯିବା ପରେ ନବୀନଙ୍କ ଭାଗ୍ୟ ପରୀକ୍ଷା ହୋଇଯାଇଛି। ସେ ଏଥର ଦୁଇଟି ଯାକ ଆସନରୁ ବିଜୟୀ ହେଉଛନ୍ତି କି ନାହିଁ, କେଉଁ ଆସନରୁ ଅଧିକ ଭୋଟ ପାଉଛନ୍ତି, ଦୁଇଟି ଆସନ ଜିତଲେ କେଉଁଟିକୁ ରଖିବେ ଓ କେଉଁଟିକୁ ଛାଡ଼ିବେ,ଏହା ଆଜି ସ୍ଥିର ହୋଇଯାଇଛି। କେବଳ ଆସନ୍ତା ମେ ୨୩ ତାରିଖ ଭୋଟଗଣତି ପରେ ଫଳାଫଳ ଜଣାପଡ଼ିବ।
ହିଞ୍ଜିଳିରେ ନବୀନଙ୍କ ବିପକ୍ଷରେ ଲଢିଛନ୍ତି ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ତଥା ବିଶିଷ୍ଟ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଏବଂ କଂଗ୍ରେସ ପ୍ରାର୍ଥୀ ରାମକୃଷ୍ଣ ପଣ୍ଡା। ଅନ୍ୟ ପକ୍ଷରେ ବିଜେପୁରରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ସନତ ଗଡ଼ତିଆ ଏବଂ କଂଗ୍ରେସର ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ ନବୀନଙ୍କ ପ୍ରତିଦ୍ୱନ୍ଦ୍ୱୀ ସାଜିଛନ୍ତି।
ଆଜି ନବୀନ ନିଜର ଦୁଇ ଦୁଇଟି ନିର୍ବାଚନ ମଣ୍ଡଳୀରେ ଭୋଟଗ୍ରହଣ ଚାଲିଥିବା ବେଳେ ଢେଙ୍କାନାଳ,ଅନୁଗୁଳ, କଟକ ଓ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ନିର୍ବାଚନ ପ୍ରଚାର କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/Bijepur-Hinjili-Naveens-Constituency_Voting-Ends_Thumbnail.jpg)