ନୂଆଦିଲ୍ଲୀ: ରାଜ୍ୟ ରାଜନୀତି ହେଉ କି ଜାତୀୟ ରାଜନୀତି, ବିଜେଡି ସାଂସଦ ସସ୍ମିତ ପାତ୍ର ଜଣେ ଜଣାଶୁଣା ଚେହେରା । ସଂସଦରେ ନିଜ ବଳିଷ୍ଠ ଯୁକ୍ତି ରଖି ସେ ଅନେକ ଥର ଚର୍ଚ୍ଚାରେ ରହିଥିବା ବେଳେ ଜାତୀୟ ଗଣମାଧ୍ୟମରେ ସସ୍ମିତ ନିଜର ପ୍ରତିକ୍ରିୟା ଅନେକ ସମୟରେ ଦେଇ ଚର୍ଚ୍ଚାରେ ରହୁଥିବା ଦେଖିବାକୁ ମିଳେ । ସବୁବେଳେ ବିଜେଡି ସ୍ବର, ବିଜେଡି ସୁପ୍ରିମୋଙ୍କ ନୀତି ଆଦର୍ଶର ଟାଏଁ ଟାଏଁ କଥା କହି ବାରି ହୋଇ ପଡୁଥାନ୍ତି ସସ୍ମିତ । କେବେ ଶଙ୍ଖ ଭବନରେ ଲୁଙ୍ଗି ପିନ୍ଧି ପ୍ରେସମିଟ୍ କରି ଚର୍ଚ୍ଚାରେ ରହିଥାନ୍ତି ତ କେବେ ବିଜେପି ଉପରେ ସଙ୍ଗୀନ୍ ଅଭିଯୋଗ ଆଣି ମିଡିଆର ହେଡଲାଇନ ପାଲଟନ୍ତି । ସବୁବେଳେ ବିଜେପି ବିରୋଧରେ ଆକ୍ରମଣାତ୍ମ ମୁଦ୍ରାରେ ସସ୍ମିତଙ୍କୁ ଦେଖିବାକୁ ମିଳୁଥିବା ବେଳେ ଗତକାଲି କିନ୍ତୁ ତାଙ୍କୁ ଟିକେ ନରମ ମୁଦ୍ରାରେ ଦେଖିବାକୁ ମିଳିଛି ।
ବିଜେପିକୁ ଆକ୍ରମଣ ନୁହେଁ କି ବିରୋଧ ବି ନୁହେଁ ବରଂ ବିଜେପିକୁ ସମର୍ଥନ ଦେଇଥିବା ଦେଖିବାକୁ ମିଳିଛି । ସସ୍ମିତଙ୍କୁ ଯେଉଁମାନେ ପୂର୍ବରୁ ଦେଖିଛନ୍ତି ଏବେ ତାଙ୍କ କ୍ଷେତ୍ରରେ ଏ ପରିବର୍ତ୍ତନ ଦେଖି ସାଧାରଣରେ ପ୍ରଶ୍ନ ଉଠୁଛି, ହଠାତ୍ କାହିଁକି ଏ ସମର୍ଥନ ? ସମର୍ଥନ ପଛରେ ନାହିଁ ତ ସ୍ବାର୍ଥ ? ଭାଙ୍ଗୁଛି କି ସସ୍ମିତଙ୍କ ସବୁଜ ମୋହ ? ସବୁଜ ଶିବିର ଆଡୁ ଗେରୁଆ ଦଳକୁ ଯିବାକୁ ଶିଡ଼ି ବାନ୍ଧୁଛନ୍ତି କି ସସ୍ମିତ ? ନା ବିଲକୁ ସମର୍ଥନ କରି ବିଜେପି ଆଡକୁ ଢଳୁଥିବା ପରୋକ୍ଷରେ ଇସାରା କରୁଛନ୍ତି ? ସସ୍ମିତଙ୍କ ଏ ସଙ୍କେତ ପଛର କାରଣ ଏବେ ରାଜନୀତିର ପଣ୍ଡିତମାନଙ୍କୁ ଭବିଷ୍ୟତର ଆକଳନ କରିବାକୁ ବାଧ୍ୟ କରିଛି ।
ତେବେ ଓଡିଶାରେ ଯେତେବେଳେ ଦୀର୍ଘ ୨୪ ବର୍ଷ ପରେ ବିଜେଡି ବିରୋଧୀ ଦଳ ଆସନରେ ବସିଛି, ଆଉ ଶାସନରେ ବିଜେପି ରହିଛି । ସେତେବେଳେ ଚର୍ଚ୍ଚା ହେଉଥିଲା ମୋଦୀଙ୍କ ଓ୍ୱାକଫ୍ ବିଲକୁ ବିରୋଧ କରିପାରେ ବିଜେଡି । ବିଲକୁ ବି ବିରୋଧ କରିଥିଲେ ରାଜ୍ୟସଭା ସାଂସଦ ମୁନ୍ନା ଖାନ୍ । ଆଉ ରାଜ୍ୟସଭାରେ କହିଥିଲେ, ଏହି ବିଲକୁ ବିଜେଡି ତରଫରୁ ବିରୋଧ କରୁଛି।
ହେଲେ ତାଙ୍କରି ଦଳର ଆଉ ଜଣେ ସାଂସଦ ବିଲକୁ ସମର୍ଥନ ଦେବା ସମସ୍ତଙ୍କୁ ଦ୍ବନ୍ଦ୍ବରେ ପକାଇଥିବା ବେଳେ ଦଳରେ କିଛି ଠିକଠାକ୍ ନଥିବା କୁହା ବି ଯାଉଛି । ଆଉ ଏହି ବିଲକୁ ସମର୍ଥନ ଦେଇ କିଛି ବଡ଼ ସୁରାକ୍ ଦେଇଛନ୍ତି ସସ୍ମିତ ପାତ୍ର । ଉଭୟ ଲୋକସଭା ସହିତ ରାଜ୍ୟସଭାରେ ଓ୍ୱାକଫ୍ ବିଲ୍ ପାସ୍ ହେଇସାରିଛି । ଆଉ ଏହି ବିଲ୍ ସପକ୍ଷରେ ଭୋଟ୍ ଦେଇଛନ୍ତି ସସ୍ମିତ ପାତ୍ର । ଏଏନଆଇକୁ ପ୍ରତିକ୍ରିୟା ଦେଇ ସସ୍ମିତ କହିଛନ୍ତି, ସେ ଓ୍ୱାକଫ୍ ବିଲ୍ ସମର୍ଥନରେ ସେ ଭୋଟ୍ ଦେଇଛନ୍ତି । ତେବେ ବିଜେଡି ସାଂସଦମାନେ ବିବେକ୍ ଅନୁସାରେ ଭୋଟ୍ ଦେବା ନେଇ କୁହାଯାଇଥିଲା । ତେଣୁ ସେ ଏହି ବିଲକୁ ସମର୍ଥନ କରିଛନ୍ତି । ତେବେ ଦଳର ଅନ୍ୟ ସାଂସଦମାନେ ବିଲକୁ ସମର୍ଥନ କରିଛନ୍ତି କି, ନାହିଁ, ତାହା ସେ କହିପାରିବେନି ବୋଲି ପ୍ରତିକ୍ରିୟା ରଖିଛନ୍ତି ସସ୍ମିତ ପାତ୍ର ।
The Biju Janata Dal has always upheld the principles of secularism and inclusivity, ensuring the rights of all communities. We deeply respect the diverse sentiments expressed by different sections of the Minority communities regarding the Waqf (Amendment) Bill, 2024. Our Party,…
— ଡ଼ଃ ସସ୍ମିତ ପାତ୍ର I Dr. Sasmit Patra (@sasmitpatra) April 3, 2025
ବିଜେଡିର ଏହି ନେତା ପ୍ରଥମେ ଓ୍ୱାକଫ୍ ବିଲକୁ ତାଙ୍କ ଦଳ ବିରୋଧ କରିବ ବୋଲି କହିଥିଲେ । ହେଲେ ତା ପରେ ପରେ କିନ୍ତୁ, ନିଜେ ଟୁଇଟ୍ କରି କହିଥିଲେ, ଓ୍ୱାକଫ ବିଲକୁ ନେଇ ବିଜେଡି ସାଂସଦଙ୍କ ଉପରେ କୌଣସି ହ୍ୱିପ୍ ଜାରି କରାଯାଇନି । ଯେଉଁ କାରଣରୁ ସାଂସଦମାନେ ନିଜର ବିବେକ ଅନୁସାରେ ଭୋଟ୍ ଦେବେ । ଆଉ ସତକୁ ସତ, ଏହି ବିଲ ସମର୍ଥନରେ ଭୋଟ୍ ଦେଇଛନ୍ତି ନିଜେ ସସ୍ମିତ ପାତ୍ର ।
ଗୋଟିଏ ପଟେ ବିଜେଡିର ଜଣେ ସାଂସଦ ବିଲକୁ ବିରୋଧ କରୁଥିବାବେଳେ, ଆଉ ଜଣେ ସାଂସଦ କିନ୍ତୁ ଏହାକୁ ସମର୍ଥନ କରିଛନ୍ତି । ଅନେକ ସମୟରେ ବିଜେଡି ଓ ବିଜେପି ଏକ୍ ବୋଲି ଚର୍ଚ୍ଚା ହୁଏ । କଂଗ୍ରେସ ବିଧାୟକ ତାରା ବାହିନୀପତି ମଧ୍ୟ ଗୁରୁବାର ଏନେଇ ସଙ୍ଗୀନ ଅଭିଯୋଗ ଆଣିଥିଲେ । ବିଧାନସଭାରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ପାସ୍ କରିବାକୁ ବିଜେଡି, ବିଜେପିକୁ ସମର୍ଥନ କରିଥିଲା ବୋଲି ତାରା ଅଭିଯୋଗ କରିଥିଲେ । ଆଉ ତାର ଦିନକ ପରେ, ଓ୍ୱାକଫ୍ ବିଲକୁ ନେଇ ବିଜେଡି ସାଂସଦଙ୍କ ଏ ଦୁଇଟି ମତ, ଏହି ଚର୍ଚ୍ଚାକୁ ଖୋରାକ୍ ଯୋଗାଇଥିବା ବେଳେ ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ବିଜେପି ଆଡ଼କୁ ଢଳୁଥିବା ଏବଂ ମୋଦୀ ଶାହାଙ୍କ ବିଶ୍ୱସ୍ତ ହେବାକୁ ଚେଷ୍ଟା କରୁଥିବା ଚର୍ଚ୍ଚା ହେଉଛି ।