ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ପ୍ରବାସୀ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କ ନାମ ପଦ୍ମଶ୍ରୀ ସମ୍ମାନ ତାଲିକାରେ ପ୍ରକାଶ କରାଯିବା ପରେ ସେ ଏହାକୁ ଗ୍ରହଣ କରିବେ ନାହିଁ ବୋଲି ଜଣାଇଥିଲେ। କେନ୍ଦ୍ର ସରକାରଙ୍କ ପ୍ରଦତ୍ତ    ପୁରସ୍କାର ଗ୍ରହଣ ଲାଗି ସେ ମନା କରିବା ସହ ଏହା ନିର୍ବାଚନୀ ବର୍ଷ ହୋଇଥିବାରୁ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିବା ଲାଗି ଉପଯୁକ୍ତ ସମୟ ନୁହେଁ ବୋଲି ମତବ୍ୟକ୍ତ କରିଥିଲେ।

Advertisment

ସମ୍ପ୍ରତି ନ୍ୟୁୟର୍କରେ ରହୁଥିବା ଗୀତା ଏକ‌ ପ୍ରେସ୍ ବିବୃତି ଜାରି କରି କହିଛନ୍ତି, ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପାଇଁ ଯୋଗ୍ୟ ମଣିଥିବାରୁ ସେ ଗୌରବ ଅନୁଭବ କରୁଛନ୍ତି। କିନ୍ତୁ ବଡ଼ ଦୁଃଖର ସହ ସେ ଏହାକୁ ଗ୍ରହଣ କରିପାରୁ ନାହାନ୍ତି। ମୁଣ୍ଡ ଉପରେ ସାଧାରଣ ନିର୍ବାଚନ ଅଛି ଓ ଯେଉଁ ସମୟରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଉଛି, ତାହା ଭୁଲ ବୁଝାମଣା ସୃଷ୍ଟି କରିପାରେ। ଏହା ସରକାର ଓ ତାଙ୍କୁ ବ୍ୟକ୍ତିଗତ ଭାବେ ଅଡ଼ୁଆରେ ପକାଇପାରେ।

publive-image www.ommcomnews.com

ମାତ୍ର ଏ ନେଇ ମୁଖ୍ୟମନ୍ତ୍ରୀ କୌଣସି ମନ୍ତବ୍ୟ ଦେଇ ନ ଥିଲେ। ଆଜି ନୂଆଦିଲ୍ଲୀ ଗସ୍ତ ଅବସରରେ ତାଙ୍କୁ ସାମ୍ବାଦିକମାନେ ଏ ପ୍ରସଙ୍ଗରେ ପଚାରି ଥିଲେ। ଏହାର ଉତ୍ତରରେ ନବୀନ କହିଥିଲେ,‘ମୋ ଭଉଣୀ ଯାହା ଚାହିଁବ ତାହା କରିବ, ଏଥିରେ ତା’ର ସଂପୂର୍ଣ୍ଣ ଅଧିକାର ରହିଛି।’

ଏଥିସହ  ମୁଖ୍ୟମନ୍ତ୍ରୀ ରାହୁଲଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି, ‘ବିଲକୁଲ ବକୱାସ।’ ନବୀନଙ୍କୁ ମୋଦି ନିୟନ୍ତ୍ରଣ କରୁଛନ୍ତି ବୋଲି ତମାଣ୍ଡୋ ସମାବେଶରେ କହିଥିଲେ ରାହୁଲ ଗାନ୍ଧି । ତମାଣ୍ଡୋ ସମାବେଶରେ ରାହୁଲ କହିଥିଲେ ମୋଦିଙ୍କ ହାତରେ ରିମୋର୍ଟ କଂଟ୍ରୋଲ ରହୁଛି । ମୋଦି ଯେପରି ସୁଇଚ ଟିପୁଛନ୍ତି ନବୀନ ସେହିପରି ଉଠବସ ହେଉଛନ୍ତି ବୋଲି କହିଥିଲେ ରାହୁଲ ।

ଉଲ୍ଲେଖ ଥାଉ କି, ଗତ ୨୫ ତାରିଖରେ ଭୁବନେଶ୍ୱର ତମୋଣ୍ଡରେ ଆୟୋଜିତ କଂଗ୍ରେସର ପରିବର୍ତ୍ତନ ସମାବେଶରେ ସାମିଲ ହେବା ପାଇଁ ଓଡିଶା ଆସିଥିଲେ ରାହୁଲ ଗାନ୍ଧି । ଆଉ ଏହି ଅବସରରେ ଉଭୟ ମୋଦି ଓ ନବୀନଙ୍କୁ ଟାର୍ଗେଟ କରିବା ସହ ଦୁହିଁଙ୍କ ଭିତରେ ଥିବା ସାମଞ୍ଜସ୍ୟକୁ ନେଇ ରାହୁଲ ଟିପ୍ପଣୀ କରିଥିଲେ ।