ବିଜେପିର ଗତି କୁଆଡ଼େ?

ନବୀନଙ୍କ କଟାକ୍ଷ, ବିଜେପି ବୁଡ଼ି ବୁଡ଼ି ଯାଉଛି
ନୂଆ ରଣନୀତି କଥା ସୂଚାଇଲେ ଧର୍ମେନ୍ଦ୍ର

ଭୁବନେଶ୍ୱର : ବରଗଡ଼ ଜିଲ୍ଲାର ବିଜେପୁରଠାରୁ ଉତ୍ତର ପ୍ରଦେଶର ଗୋରଖପୁର ପର୍ଯ୍ୟନ୍ତ ସବୁଠାରେ ବିପର୍ଯ୍ୟୟ ଶିକାର ହେବା ପରେ ବିଜେପିର ବର୍ତ୍ତମାନ ଓ ଭବିଷ୍ୟତ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆଲୋଚନା ଜୋର ଧରିଲାଣି। ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ବିଭିନ୍ନ ଗଣମାଧ୍ୟମ ଯାଏ ଏନେଇ ମତମନ୍ତବ୍ୟ, ସମାଲୋଚନା ଛାଇ ଯାଇଛି। ରାଜନୈତିକ ମହଲ ମଧ୍ୟ ହିସାବ ନିକାସ ଆରମ୍ଭ କଲେଣି ଯେ ବିଜେପି ଆଗକୁ ବଢ଼ିବ ନା ଛିଡ଼ିିବ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦବ୍‌ଦବା ଆଉ କାମ କରିବନି କି? ଏନ୍‌ଡିଏ-୧ ସରକାର ଭଳି ଏ ସରକାର ପ୍ରତି ବିପଦ ଘୋଟିଆସିବନି ତ? ‘ଫିଲ୍‌ ଗୁଡ୍‌’ ଅକାମୀ ହୋଇଗଲା ପରି ବିଜେପି ସରକାରକୁ ମିଳିତ ବିରୋଧୀ ଦଳ ଭାରି ପଡିବ କି? ଜାତୀୟ ରାଜନୀତିରେ ଓଡ଼ିଶାର ବିଜେଡି ଭଳି ପ୍ରଭାବଶାଳୀ ଆଞ୍ଚଳିକ ଦଳ କେଉଁ ଭୂମିକାରେ ଅବତୀର୍ଣ୍ଣ ହେବେ? ଏମିତି ମାଳ ମାଳ ପ୍ରଶ୍ନର ଉତ୍ତର ଖୋଜା ଚାଳିଛି।

୧୨୦+ ଆସନ ହାସଲ ସହିତ ସରକାର ଗଠନ କରିବ ବୋଲି ଦମ୍ଭ ଦେଖାଇଥିବା ପରିପ୍ରେକ୍ଷୀରେ ଓଡ଼ିଶା ବିଜେପିର ଭବିଷ୍ୟତ ନେଇ ସବୁ ମହଲରେ ଆଶଙ୍କା ସୃଷ୍ଟି ହେବା ସ୍ୱାଭାବିକ। ଖୋଦ୍‌ ରାଜ୍ୟ ବିଜେପିର ଗୋଟିଏ ଗୋଷ୍ଠୀ ମଧ୍ୟ ରାଜ୍ୟରେ ଦଳର ସ୍ଥିତିକୁ ନେଇ ଦ୍ୱନ୍ଦ୍ୱରେ। ଅନ୍ୟପକ୍ଷରେ ଠିକ୍‌ ଏମିତି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜେପି ଉଦ୍ଦେଶ୍ୟରେ କରିଥିବା କଟାକ୍ଷ ଓ ଜାତୀୟ ରାଜନୀତିରେ ବିଜେଡିର ଭୂମିକା ନେଇ ରଖିଥିବା ବକ୍ତବ୍ୟ ରାଜନୈତିକ ମହଲରେ ଚର୍ଚ୍ଚାର ଖୋରାକ ଯୋଗାଇଛି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ବେଳେ ନବୀନ ଆଜି କହିଛନ୍ତି ଯେ ବିଜେପି ବୁଡିବା ଆରମ୍ଭ କରିଛି।

କେବଳ ସେତିକି ନୁହେଁ, ମେଣ୍ଟ ସଂପର୍କରେ ନବୀନଙ୍କର ମନ୍ତବ୍ୟ ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଛି। କାରଣ, କଂଗ୍ରେସ, ବିଜେପିର ତୁଙ୍ଗ ନେତାଙ୍କ ସମେତ ଜାତୀୟ ରାଜନୀତିରେ ପ୍ରଭାବ ରଖିଥିବା ଶରଦ ଯାଦବ, ନୀତୀଶ କୁମାର, ମମତା ବାନାର୍ଜୀ, ସୀତାରାମ ୟେଚୁରିଙ୍କ ଭଳି ବରିଷ୍ଠ ନେତାଙ୍କ ସହିତ ନବୀନ ବୈଠକ କରି ବିଭିନ୍ନ ସମୟରେ ନୂଆ ନୂଆ ୦ସମୀକରଣ ଲାଗି ଚର୍ଚ୍ଚାକୁ ଖୋରାକ ଯୋଗାଇ ଆସୁଥିଲେ। ହେଲେ ଦୁଇ ଦିନ ତଳେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଡିନରକୁ ପ୍ରତ୍ୟାଖ୍ୟାନ କରିଥିବା ନବୀନ ଆଜି ମେଣ୍ଟ ସଂପର୍କରେ ଅତ୍ୟନ୍ତ ଅସ୍ପଷ୍ଟ ଉତ୍ତରଟିଏ ରଖିଛନ୍ତି। କହିଛନ୍ତି, ବର୍ତ୍ତମାନ ବିଜେଡି କୌଣସି ମେଣ୍ଟରେ ରହିବା ନେଇ ଚିନ୍ତା କରିନାହିଁ। ଏହା ସୂଚାଉଛି ଯେ ବିଜେଡି ଏବେ ବି ଉଭୟ କଂଗ୍ରେସ ଓ ବିଜେପି ଠାରୁ ସମଦୂରତ୍ୱ ଅବଲମ୍ବନ କରୁଛି ଓ ତୃତୀୟ ସାମ୍ମୁଖ୍ୟରେ ସାମିଲ ହେବାର ପ୍ରଶ୍ନ ନାହିଁ। କିନ୍ତୁ ନିର୍ବାଚନ ପରବର୍ତ୍ତୀ ପରିସ୍ଥିତିରେ ବିଜେଡି କେଉଁ ପକ୍ଷ ନେବ, ସେ ନେଇ ଚାଲିଥିବା କଳ୍ପନାଜଳ୍ପନାକୁ ନବୀନ କେଉଁଠାରେ ବି ପ୍ରତ୍ୟାଖ୍ୟାନ କରିନାହାନ୍ତି।

ନବୀନଙ୍କ କଟାକ୍ଷ କିନ୍ତୁ ରାଜ୍ୟ ବିଜେପିିକୁ ଭାରି ବାଧିଛି। ପ୍ରତିକ୍ରିୟା ପ୍ରକାଶ ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି ଯେ ଦୁଇ ତୃତୀୟାଂଶରୁ ଅଧିକ ରାଜ୍ୟ ବିଜେପି ଦଖଲ କରିସାରିଲେଣି। ନବୀନଙ୍କ ମନ୍ତବ୍ୟ ପାହାଡ଼କୁ ଟେକା ମାରିବା ସହ ସମାନ।

ବିଜେପୁର ଉପନିର୍ବାଚନରେ ଶୋଚନୀୟ ପ୍ରଦର୍ଶନ ପରେ ରାଜନୈତିକ ବୟାନ ବାଜିରୁ ଦୂରେଇ ରହିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। କହିଛନ୍ତି, ୨୦୧୯ ନିର୍ବାଚନରେ ବୁଥ୍‌ ସ୍ତରରେ ବିଜେଡିକୁ ପରାସ୍ତ କରିବ ବିଜେପି। ଏ ନେଇ ବିସ୍ତତ ରଣନୀତି ପ୍ରସ୍ତୁତି ଚାଲିଛି। କଂଗ୍ରେସର ଶୋଚନୀୟ ସ୍ଥିତିକୁ ଠାରି ସେ ଆହୁରି କହିଛନ୍ତି, ଆଗକୁ ରାଜନୈତିକ ଧ୍ରୁବୀକରଣ ଘଟିବ। କଂଗ୍ରେସ ସହିତ ରହିଥିବା ଭୋଟର, ଯେଉଁମାନେ ରାଜ୍ୟ ସରକାରଙ୍କୁ ୨୦ବର୍ଷ ଧରି ବିରୋଧ କରି ଆସିଛନ୍ତି, ସେମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। ତାଙ୍କ ମନରେ ଯିଏ ବିକଳ୍ପ ଭାବେ ବିଶ୍ୱାସ ସୃଷ୍ଟି କରିପାରିବ, ତାହାର ବାଜିମାତ୍‌ ଘଟିବ।

ଉଲ୍ଲେଖଥାଉକି, ବିଜେପୁର ଉପନିର୍ବାଚନ ପରେ ରାଜ୍ୟ ବିଜେଡିର ମନୋବଳ ଯଥେଷ୍ଟ ବୃଦ୍ଧି ଘଟିଛି। ବିଜେପିର ଶୋଚନୀୟ ପ୍ରଦର୍ଶନ ଦଳର କର୍ମୀଙ୍କ ଆତ୍ମବିଶ୍ୱାସକୁ ଦୋହଲାଇ ଦେଇଛି। ପଞ୍ଚାୟତ ନିର୍ବାଚନ ପରେ ଦଳ ଯେଉଁ ପତିଆରା ହାସଲ କରିଥିଲା, ତାହା କେବଳ ପ୍ରଭାବିତ ହୋଇଛି ତା ନୁହେଁ, ସାଂଗଠନିକ ଦୁର୍ବଳତା ଆଉ ଲୁଚି ରହିନାହିଁ। ଅନ୍ତଃକନ୍ଦଳ କେବଳ ବିଜେଡି ବା କଂଗ୍ରେସରେ ଅଛି ତା ନୁହେଁ, ବିଜେପିରେ ମଧ୍ୟ ଏହା ଅତ୍ୟନ୍ତ ଉତ୍କଟ ସ୍ଥିତିରେ ରହିଛି। ବିଜେପିର ଜଣେ ପରେ ଜଣେ ନେତା ଅପରାଧିକ ମାମଲାରେ ଛନ୍ଦି ହେବାରେ ଲାଗିଛନ୍ତି ଓ ବିବାଦ ଦଳର ପିଛା ଛାଡୁନାହିଁ। ଏଭଳି ସ୍ଥିତିରେ ବିଜେପୁର ଉପନିର୍ବାଚନ ପରେ ତୁନି ପଡିଯାଇଥିବା ବିଜେପି ଆସନ୍ତାକାଲି ଠାରୁ ପୁଣି ଥରେ ଝାଡି ଝୁଡି ହୋଇ ସରକାର ବିରୋଧରେ ରଣନୀତି ଜୋରଦାର କରିବ ବୋଲି ସଜବାଜ ହେଉଛି। ବିଜେପୁର ଉପନିର୍ବାଚନ ପରେ ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଥମ ଥର ପାଇଁ ଓଡ଼ିଶା ଆସିବେ। ରାଜ୍ୟସଭାକୁ ସାନି ନିର୍ବାଚନ ନେଇ ବଧେଇ ଜଣାଇବାର ପ୍ରତ୍ୟୁତ୍ତରରେ ସେ ବିଜେଡି ବିରୋଧରେ ଦ୍ୱିତୀୟ ଇଂନିସ ଆରମ୍ଭ କରିବାର ସମ୍ଭାବନା ଅଧିକ।

ସମ୍ବନ୍ଧିତ ଖବର