କିଏ ହେବେ ଜିଲ୍ଲା ବିଜେଡି ମହିଳା ଶାଖା ମଙ୍ଗୁଆଳ: ନୂଆ ମୁହଁକୁ ନେଇ ଚର୍ଚ୍ଚା, ତାଲିକାରେ ଏକାଧିକ ଆଶାୟୀ

ବାରିପଦା: ରାଜ୍ୟରେ ପ୍ରାୟ ଏକ ମାସରୁ ଊର୍ଧ୍ବ ହେବ ବିଜୁ ଜନତା ଦଳ(ବିଜେଡି) ମହିଳା ଶାଖାର ନୁଆ ମୁଖିଆ ନିଯୁକ୍ତ ହୋଇସାରିଲେଣି। ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ବଦଳରେ ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିଜେଡି ମହିଳା ଶାଖାର ସଭାନେତ୍ରୀ ଭାବେ ନିଯୁକ୍ତ କରାଯାଇଛି। ବର୍ତ୍ତମାନ ସମୟରେ ସାରା ଓଡ଼ିଶାରେ ରାଜନୈତିକ ଦୃଷ୍ଟିକୋଣରୁ ହାଇପଏଣ୍ଟରେ ଥିବା ମୟୂରଭଞ୍ଜ ଜିଲ୍ଲାରେ କିନ୍ତୁ ଏଯାବତ ଜିଲ୍ଲା ମହିଳା ମୋର୍ଚ୍ଚାର ସଭାନେତ୍ରୀ ନିଯୁକ୍ତ ହୋଇନାହାନ୍ତି। ଜିଲ୍ଲାରେ ବିଜେଡିର ଦୁଇ ଦୁଇଟି ସାଂଗଠନିକ ଜିଲ୍ଲା ରହିଛି। ଉଭୟରେ ଯୁବ, ଛାତ୍ର ଭଳି ଛାମୁଆଁ ସଂଗଠନର ସଭାପତିଙ୍କ ନାମ କେବେଠୁ ଘୋଷଣା ସରିଛି। ମାତ୍ର ମହିଳା ମୋର୍ଚ୍ଚାର ସଭାନେତ୍ରୀଙ୍କ ନାମ ଏଯାବତ ଘୋଷଣା ହୋଇନାହିଁ। ସବୁଠି ମହିଳାଙ୍କୁ ପ୍ରାଧାନ୍ୟ ଦେଉଥିବା ଦଳ ଜିଲ୍ଲାରେ ମହିଳା ମୁଖିଆ ଘୋଷଣାରେ ବିଳମ୍ବ କରୁଥିବାନେଇ ଚର୍ଚ୍ଚା ହେଉଛି।
ଜିଲ୍ଲାରେ ଚଳିତ ଥର ମହିଳା ଶାଖାର ସଭାନେତ୍ରୀ ଭାବେ ନୁଆ ମୁହଁକୁ ସୁଯୋଗ ମିଳିବା ନେଇ ଦଳୀୟ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ବର୍ତ୍ତମାନ ମୟୂରଭଞ୍ଜ ସାଂଗଠନିକ ଜିଲ୍ଲାରେ ମହିଳା ସଭାନେତ୍ରୀ ଭାବେ ପୂର୍ବତନ କାଉନସିଲର ବୀଣାପାଣି ସାହୁ କାର୍ଯ୍ୟ କରୁଛନ୍ତି। ଶ୍ରୀମତୀ ସାହୁ ରାଜସ୍ବ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ସୁଦାମ ମାରାଣ୍ଡିଙ୍କ ଦୃଢ଼ ସମର୍ଥକ ଭାବେ ଜଣାଶୁଣା। ତେଣୁ ଶ୍ରୀମତୀ ସାହୁ ମଧ୍ୟ ପୁନର୍ବାର ସଭାନେତ୍ରୀ ପଦ ବଜାୟ ରଖିବାକୁ ତାଙ୍କର କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ସୀମା ଦାସ, ରାଇରଙ୍ଗପୁର ପୌରପାଳିକାର ପବୂର୍ତନ ଅଧ୍ୟକ୍ଷା ତଥା ମୋରଡ଼ା ବିଧାୟକଙ୍କ ପତ୍ନୀ ପ୍ରୀତିନନ୍ଦା କାନୁନଗୋ ମିଶନ ଶକ୍ତି ଯୋଜନାରେ ମୟୂରଭଞ୍ଜରୁ ରାଜ୍ୟସ୍ତରରେ ପ୍ରତିନିଧିତ୍ବ କରିଥିବା ତଥା ରାଜ୍ୟ ବିଜେଡି ସଂପାଦିକା ବିଷ୍ଣୁପ୍ରିୟା ଦାସ ପ୍ରମୁଖ ଜିଲ୍ଲା ମହିଳା ସଭାନେତ୍ରୀ ଦୌଡ଼ରେ ଅଛନ୍ତି।

ସେହିପରି ରାଜ୍ୟ ମହିଳା ସାଧାରଣ ସମ୍ପାଦିକା ସମ୍ପା ମଜୁମଦାର, ଶ୍ରାବଣୀ ଦାସ, ଜିଲ୍ଲା ମହିଳା କାର୍ଯ୍ୟକାରୀ ସଭାପତି ସବିତା ବେହେରା, ମୋରଡ଼ା ବ୍ଲକ୍ ନାରୀନେତ୍ରୀ ତଥା ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟା ବିଦ୍ୟୁତପ୍ରଭା ବେହେରା, ବାରିପଦା ପୌର ପରିଷଦର ପୂର୍ବତନ ଉପନଗରପାଳ ଦୀପ୍ତିଲତା ମିଶ୍ର, ଉଦଳା ବ୍ଲକ୍ର ପୂର୍ବତନ ଅଧ୍ୟକ୍ଷା ସବିତା ହାଁସଦା, ଖୁଣ୍ଟା ବ୍ଲକ୍ ପଞ୍ଚାୟତ ସମିତି ଅଧ୍ୟକ୍ଷା ପୁଷ୍ଣଲତା ମାରାଣ୍ଡିଙ୍କ ନାମ ମଧ୍ୟ ଏହି ଦୌଡ଼ରେ ସାମିଲ ଅଛି।
ତେବେ ଜିଲ୍ଲାରେ ବିଜେଡି ମମତା ମହାନ୍ତଙ୍କ ଭଳି ନୁଆ ମୁହଁକୁ ରାଜ୍ୟସଭାକୁ ପଠାଇ ସମସ୍ତଙ୍କୁ ଚକିତ କରିଥିଲା। ତେଣୁ ଏଥର ମଧ୍ୟ ଜିଲ୍ଲାରେ ମହିଳା ସଭାନେତ୍ରୀ ଭାବେ ନୁଆମୁହଁକୁ ପ୍ରାଥମିକତା ଦିଆଯାଇପାରେ ବୋଲି ଜଣାପଡ଼ିଛି। ଦଳପ୍ରତି ଆନୁଗତ୍ୟ, ଜିଲ୍ଲା ମହିଳାମାନଙ୍କ ମଧ୍ୟରେ ଗ୍ରହଣୀୟତା ଏବଂ ସାଂଗଠନିକ ଦକ୍ଷତା ମହିଳା ସଭାନେତ୍ରୀ ଚୟନର ମାପକାଠି ବୋଲି ଜଣେ ବରିଷ୍ଠ ବିଜେଡି ନେତା ନାମ ଗୋପନ ରଖି ସୂଚନା ଦେଇଛନ୍ତି। ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ୍ ବବି ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି। ଏମଧ୍ୟରେ ବବିଙ୍କ ନିର୍ଦ୍ଦେଶରେ ଦଳର ମହିଳା ସଂଗଠନ ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟତା ଦେଖାଇଛି।

ଇତିମଧ୍ୟରେ ବିହାରରେ ମହିଳାମାନେ ନୀରବ ଭୋଟର ହୋଇ ଏକ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିଛନ୍ତି, ଯାହାକି ବିଜେପିକୁ ସୁହାଉଛି। ତେଣୁ ରାଜ୍ୟରେ ମଧ୍ୟ ବିଜେପି ପକ୍ଷରୁ ମହିଳାମାନଙ୍କୁ ନିଜ ଆଡ଼କୁ ଆଣିବାକୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଏହାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଭଳି ଏକ ଫୋକସ୍ ଜିଲ୍ଲାରେ ବିଜେଡିର ମହିଳା ଶାଖାକୁ ଚଳଚଞ୍ଚଳ କରିବାକୁ ବବି ପ୍ରାଥମିକତା ଦେଇପାରନ୍ତି। ତେଣୁ ମହିଳା ସଭାନେତ୍ରୀ ଚୟନରେ ଦଳ ବେଶ୍ ଭାବିଚିନ୍ତି ନିଷ୍ପତ୍ତି ନେଇପାରେ ବୋଲି ଚର୍ଚ୍ଚା ଜୋର୍ ଧରିଛି।

 

ସମ୍ବନ୍ଧିତ ଖବର