କିଏ ହେବ ବିରୋଧୀ ଦଳ ନେତା? ଜୟନାରାୟଣ ମିଶ୍ର ନା ଆଉ କିଏ ?

ଭୁବନେଶ୍ୱର (ସୁବ୍ରତ ଦାସ): କିଏ ହେବ ଏଥର ବିଧାନସଭାରେ ବିରୋଧୀ ଦଳର ନେତା? ଏ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି। ସାଧାରଣତଃ ଯେଉଁ ବିରୋଧୀ ଦଳ ବିଧାନସଭାର ମୋଟ ଆସନର ଶତକଡା ୧୦ ଭାଗରୁ ଅଧିକ ଆସନ ପାଇଥାଏ, ସେହି ଦଳକୁ ମୁଖ୍ୟ ବିରୋଧୀ ଦଳ ମାନ୍ୟତା ଦିଆଯାଇଥାଏ ଏବଂ ସେହି ଦଳର ବିଧାୟକ ଦଳ ନେତା ବିରୋଧୀ ଦଳ ନେତା ହୋଇଥାନ୍ତି। ତାଙ୍କୁ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ଦିଆଯାଇଥାଏ। ପ୍ରୋଟୋକଲ୍‌ ଅନୁସାରେ ଗୃହରେ ମୁଖ୍ୟମନ୍ତ୍ରୀ ବା ଗୃହର ନେତାଙ୍କ ପଛକୁ ତାଙ୍କର ସ୍ଥାନ। ସେଥିପାଇଁ ଏଥର କିଏ ବିରୋଧୀ ଦଳ ନେତା ହେବେ, ସେଥିନେଇ ସମସ୍ତଙ୍କ ନଜର ରହିଛି।

ବିଦାୟୀ ବିଧାନସଭାରେ କଂଗ୍ରେସ ଦଳ ମୋଟ ୧୪୭ଟି ଆସନ ମଧ୍ୟରୁ ୧୬ଟି ଆସନ (ଶତକଡା ୧୦ ଭାଗ ଅର୍ଥାତ୍‌ ୧୫ଟି ଆସନରୁ ଅଧିକ) ପାଇ ମୁଖ୍ୟ ବିରୋଧୀ ଦଳ ମର୍ଯ୍ୟାଦା ପାଇଥିଲା। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିରୋଧୀ ଦଳ ନେତା ପାହ୍ୟା ପାଇଥିଲେ। କିନ୍ତୁ ଏଥର ଭାରତୀୟ ଜନତା ପାର୍ଟି ୨୩ଟି ଆସନ ପାଇ ମୁଖ୍ୟ ବିରୋଧୀ ଦଳ ହେବା ପାଇଁ ହକ୍‌ଦାର ହୋଇଛି। କଂଗ୍ରେସର ସଭ୍ୟ ସଂଖ୍ୟା ୧୬ରୁ ୯କୁ ଖସିଯାଇଛି।

ଭାରତୀୟ ଜନତା ପାର୍ଟିର ୨୩ ନବନିର୍ବାଚିତ ବିଧାୟକଙ୍କ ମଧ୍ୟରୁ ଯିଏ ନେତା ନିର୍ବାଚିତ ହେବ,ସେ ହିଁ ବିରୋଧୀ ଦଳ ନେତା ହେବ। ତେବେ କିଏ ନେତା ହେବେ ତାହା ସ୍ଥିର ହୋଇନାହିଁ ବୋଲି ଭାରତୀୟ ଜନତା ପାର୍ଟିର ମୁଖପାତ୍ର ସଜ୍ଜନ ଶର୍ମା ‘ସମ୍ବାଦ ଡଟ୍‌ ଇନ୍‌’କୁ କହିଛନ୍ତି। ଦଳର ବିଧାୟକ ଦଳ ବୈଠକ ବସି ଜଣେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ବିଧାୟକ ଦଳ ନେତା ନିର୍ବାଚିତ ହେବେ ବୋଲି ଶ୍ରୀ ଶର୍ମା କହିଛନ୍ତି।

sambad.in

ସାଧାରଣତଃ ଅଭିଜ୍ଞ ଏବଂ ବିଧାନସଭାର ବିଧିବିଧାନ ସହ ସୁପରିଚିତ ବିଧାୟକଙ୍କୁ ହିଁ ନେତା ନିର୍ବାଚିତ କରାଯାଇଥାଏ। ସେହି ଅନୁସାରେ ଭାରତୀୟ ଜନତା ପାର୍ଟିର ୨୩ ଜଣ ବିଧାୟକଙ୍କ ମଧ୍ୟରୁ ନଅ ଜଣ ବିଧାୟକଙ୍କର ଏକାଧିକ ବାର ଗୃହକୁ ନିର୍ବାଚିତ ହେବାର ଅଭିଜ୍ଞତା ରହିଛି।

ଏ କ୍ଷେତ୍ରରେ ସମ୍ବଲପୁରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ରଙ୍କର ନାମ ସର୍ବାଗ୍ରେ ରହିଛି। ଶ୍ରୀ ମିଶ୍ର ସମ୍ବଲପୁର ବିଧାନସଭା ଆସନରୁ ୪ ଥର (୨୦୧୯,୨୦୦୯,୨୦୦୪ ଓ ୨୦୦୦) ନିର୍ବାଚିତ ହୋଇଥିବା ବେଳେ ୨୦୦୦ ମସିହାରେ ସରକାରୀ ଦଳ ଉପମୁଖ୍ୟ ସଚେତକ ଏବଂ ୨୦୦୪ରେ ମନ୍ତ୍ରୀ ହୋଇଥିଲେ। ସେହିପରି  ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାୟକ ମଧ୍ୟ ୪ଥର (୨୦୧୯, ୨୦୦୪,୨୦୦୦ ଏବଂ ୧୯୯୫ରେ) ଗୃହକୁ ଆସିଛନ୍ତି ଏବଂ ବିଜେଡି-ବିଜେପି ମେଣ୍ଟ ସରକାରରେ ଜଣେ ମନ୍ତ୍ରୀ ଥିଲେ।

ତାଙ୍କ ପଛକୁ ସୁବାସ ପାଣିଗ୍ରାହୀ ଦେବଗଡ଼ ଆସନରୁ ତିନିଥର ଗୃହକୁ ନିର୍ବାଚିତ ହୋଇ ଆସିଥିବା ବେଳେ ଭାସ୍କର ମଢେଇ ଉଦଳା ଆସନରୁ ତିନିଥର ନିର୍ବାଚିତ ହୋଇଛନ୍ତି। ସେହିପରି ମୋହନ ଚରଣ ମାଝୀ କେଉଁଝର ନିର୍ବାଚନମଣ୍ଡଳୀରୁ ତିନିଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ସେ ବିଜେଡି-ବିଜେପି ମେଣ୍ଟ ସମୟରେ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ସରକାରୀ ଦଳ ଉପ ମୁଖ୍ୟ ସଚେତକଥିଲେ।

ତାଙ୍କପଛକୁ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ଏହା ପୂର୍ବରୁ ରଘୁନାଥପାଲି ଆସନରୁ ବିଧାନସଭାରେ ପ୍ରତିନିଧିତ୍ୱ କରିଥିଲେ। ଏଥର ଧାମନଗର ଆସନରୁ ନିର୍ବାଚିତ ହୋଇଥିବା ବିଷ୍ଣୁ ଚରଣ ସେଠୀ ମଧ୍ୟ ୨୦୦୦ ମସିହାରେ ଚାନ୍ଦବାଲି ଆସନରୁ ନିର୍ବାଚିତ ହୋଇଥିଲେ। ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ପୂର୍ବରୁ ୨୦୦୯ ମସିହାରେ ଗୃହକୁ ଆସିଥିଲେ। ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ୨୦୧୪ ମସିହାରେ ମଧ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ଅନ୍ୟ ୧୪ଜଣ ବିଧାୟକ ଏଥର ପ୍ରଥମ ଥର ପାଇଁ ଗୃହକୁ ଆସିଛନ୍ତି। ସେମାନେ ହେଲେ ଭବନୀ ଶଙ୍କର ଦେଓ (ତଳସରା),କୁସୁମ ଟେଟେ (ସୁନ୍ଦରଗଡ଼),ନାଉରୀ ନାୟକ (ରେଙ୍ଗାଲି),ଗଣେଶ ରାମ ଖୁଣ୍ଟିଆ (ଯଶୀପୁର), ଡ଼ାକ୍ତର ବୁଦ୍ଧନ ମୁର୍ମୁ(ସାରସକଣା), ନବ ଚରଣ ମାଝୀ (ରାଇରଙ୍ଗପୁର),ପ୍ରକାଶ ସୋରେନ୍‌ (ବାରିପଦା),ସନାତନ ବିଜୁଳି (ବଡ଼ସାହି), ମଦନ ମୋହନ ଦତ୍ତ (ବାଲେଶ୍ୱର), ମୁକେଶ ମହାଲିଙ୍ଗ (ଲୋଇସିଂହା),ନିତ୍ୟାନନ୍ଦ ଗଣ୍ଡ (ଉମରକୋଟ), ଆଦିତ୍ୟ ମାଢୀ (ମାଲକାନଗିରି), ଜୟନ୍ତ ଷଡ଼ଙ୍ଗୀ (ପୁରୀ) ଏବଂ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର (ବ୍ରହ୍ମଗିରି)।

ପଶ୍ଚିମ ଓଡ଼ିଶାରୁ ଏଥର ସର୍ବାଧିକ ୧୦ ଜଣ ବିଜେପି ବିଧାୟକ ନିର୍ବାଚିତ ହୋଇଥିବାରୁ ଏହି ଅଞ୍ଚଳରୁ ଜଣେ ବିଧାୟକଙ୍କୁ ବିରୋଧୀ ଦଳ ନେତା କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଅନ୍ୟ ପକ୍ଷରେ ମୟୁରଭଂଜ ଜିଲ୍ଲାରୁ ସର୍ବାଧିକ ୫ଜଣ ବିଧାୟକ ନିର୍ବାଚିତ ହୋଇଥିବାରୁ ସେହି ଜିଲ୍ଲାରୁ ମଧ୍ୟ ଜଣଙ୍କୁ ବିରୋଧୀ ଦଳ ନେତା କରିବା ପାଇଁ ଦାବି ଉଠିପାରେ।

ସମ୍ବନ୍ଧିତ ଖବର