ନୂଆଦିଲ୍ଲୀ: କୁହାଯାଏ ଇତିହାସ ଦୋହରା ଯାଇଥାଏ। ଚଳିତ ଲୋକସଭା ନିର୍ବାଚନରେ କଂଗ୍ରେସ ପାଇଁ ଏଭଳି ସମ୍ଭବ ହୋଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ‌ତେବେ ଇତିହାସ ଦୋହରାଇବାର ଦାୟିତ୍ବ ସମ୍ପୂର୍ଣ୍ଣ ରାହୁଲ ଗାନ୍ଧୀଙ୍କ ଉପରେ ରହିଛି। ସେ ୨୦୦୪ରେ ସୋନିଆ ଗାନ୍ଧୀଙ୍କ ଦ୍ବାରା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ‘ସାଇନିଂ ଇଣ୍ଡିଆ’କୁ ଭଳି ଚମତ୍କାର କରିପାରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରଥକୁ ଅଟକା ଯାଇ ପାରିବ ବୋଲି ଚର୍ଚ୍ଚା ହେଉଛି। ରାହୁଲ ସୋନିଆଙ୍କ ଚମତ୍କାରିତାକୁ ଦୋହରାଇ ପାରିବେ କି ନାହିଁ ତାହା ଏବେ ଆଲୋଚିତ ହେଉଛି।

Advertisment

ଘୋଷଣା ପତ୍ର ‘ନ୍ୟାୟ ପତ୍ର’ରେ ରାହୁଲ ଗାନ୍ଧୀ ଲେଖିଛନ୍ତି ୨୦୦୪ରେ କଂଗ୍ରେସ ବିଜୟର ସୂତ୍ରଧର ଥିଲେ ସୋନିଆ ଗାନ୍ଧୀ। ତେବେ ଏହା ମଧ୍ୟ କୁହାଯାଉଛି ଯେ, ୨୦୦୪ର କଂଗ୍ରେସ ଏବଂ ବର୍ତ୍ତମାନର କଂଗ୍ରେସ ମଧ୍ୟର ଅକାଶ ପାତାଳ ଫରକ୍ ରହିଛି।

ସମ୍ପ୍ରତି ବହୁ‌ ନେତା କଂଗ୍ରେସ ଛାଡ଼ିଛନ୍ତି। ହାଇକମାଣ୍ଡଙ୍କ ପାଖରେ ତଳିଆ ନେତାଙ୍କ କଥା ପହଞ୍ଚିପାରୁ ନ ଥିବା ବାରମ୍ବାର ଅଭିଯୋଗ ହେବା ଦ୍ବାରା ଦଳରେ ସଙ୍କଟ ଦେଖାଦେଇଛି। ତେବେ ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ଟକ୍କର ଦେବେ ବୋଲି ଚର୍ଚ୍ଚା ହେଉଛି।

ମୋଦୀଙ୍କୁ ଅଟକାଇବା ପାଇଁ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ ପକ୍ଷରୁ ମଧ୍ୟ ଯୋଜନାବଦ୍ଧ ରଣନୀତି ପ୍ରସ୍ତୁତ କରଯାଇଛି। ଦରଦାମ ବୃଦ୍ଧି, ବେରୋଜଗାରୀ ସହିତ କେନ୍ଦ୍ରୀୟ ଏଜେନ୍ସିର ଅପ ବ୍ୟବହାରକୁ ମୁଖ୍ୟ ପ୍ରସଙ୍ଗ କରାଯାଇଛି। କେତେକ ଆସନ‌ରେ କଂଗ୍ରେସ ସହଯୋଗୀ ଦଳଙ୍କ ସହିତ ବୁଝାମଣା ମଧ୍ୟ କରିଛି।