ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ପ୍ରାର୍ଥୀ ଘୋଷଣା କରିଛନ୍ତି। ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ସେ ନୂଆପଡ଼ା ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ କରିଛନ୍ତି। ବିଜେଡିର ପ୍ରାର୍ଥୀ ଘୋଷଣା ହେଲା ପରେ ସ୍ନେହାଙ୍ଗିନୀ ଛୁରିଆ ପ୍ରଥମ ଥର ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି। 

Advertisment

ଶ୍ରୀମତୀ ଛୁରିଆ କହିଛନ୍ତି, ବିଜୁ ଜନତା ଦଳ ତରଫରୁ ଦଳୀୟ ସଭାପତି ନବୀନ ପଟ୍ଟନାୟକ ମୋତେ ପ୍ରାର୍ଥୀ ଭାବେ ଘୋଷଣା କରିଥିବାରୁ ତାଙ୍କୁ ହୃଦୟରୁ କୃତଜ୍ଞତା ଓ ଧନ୍ୟବାଦ ଜଣାଉଛି।‌ ମୋ ଉପରେ ସେ ଭରସା କରିଛନ୍ତି। ଦଳ ପାଇଁ, ନୂଆପଡ଼ା ପାଇଁ ଓ ରାଜ୍ୟବାସୀଙ୍କ ପାଇଁ କାମ କରିଛି। ନୂଆପଡ଼ାରେ ପର୍ଯ୍ୟବେକ୍ଷକ ଭାବେ ୪ବର୍ଷ କାମ କରିଛି। ଏହି ନିର୍ବାଚନ ପାଇଁ ନୂଆପଡ଼ାବାସୀଙ୍କ ଆଶୀର୍ବାଦ ମାଗୁଛି। ସେମାନେ ମୋତେ ବିଜୟୀ କରିବେ ବୋଲି ଆଶା କରୁଛି। ନୂଆପଡ଼ାର ପ୍ରତ୍ୟେକ ସୁଖ ଓ ଦୁଃଖ ସମୟରେ ତାଙ୍କର ସହିତ ରହିବି। ଜୀବନର ‌ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ନୂଆପଡ଼ାବାସୀଙ୍କର ସେବା କରିବି। 

ନୂଆପଡ଼ା ଉପନିର୍ବାଚନରେ ଧର୍ମ ଓ ନ୍ୟାୟର ଯୁଦ୍ଧ ହେବ। ଅଧର୍ମର ପରାଜୟ ହେବ। ଏହି ନିର୍ବାଚନରେ ଧର୍ମର ଲଢ଼େଇ ହେବ। ନୂଆପଡ଼ାବାସୀ ଠିକଣା ସମୟରେ ଜବାବ ଦେବେ। ଦଳର ପ୍ରାର୍ଥୀ ଭାବେ ନିରଜ ଦାୟିତ୍ବ ପୂରଣ କରିବି। ଲୋକଙ୍କର ବିଶ୍ବାସର ଭାଜନ ହେବି  ବୋଲି ଆଶା ରଖିଛି। 

-ସ୍ନେହାଙ୍ଗିନୀ ଛୁରିଆ, ବିଜେଡି ପ୍ରାର୍ଥୀ, ନୂଆପଡ଼ା ଉପନିର୍ବାଚନ

ସ୍ନେହାଙ୍ଗିନୀ ଛୁରିଆ ଶିକ୍ଷକତାରୁ ରାଜନୀତିକୁ ଆସିଥିଲେ। ୨୦୧୪ରେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ହସ୍ତତନ୍ତ, ବୟନଶିଳ୍ପ ବିଭାଗ ପାଇଥିଲେ। ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକ ହାସଲ କରିଛନ୍ତି। ଆଡଗାଁ ବାଳିକା ବିଦ୍ୟାଳୟରେ ୧୯୯୫ରେ ଶିକ୍ଷକତା ଆରମ୍ଭ କରିଥିଲେ। ୧୯୯୭ରେ ଚାକିରି ଛାଡ଼ି ରାଜନୀତିକୁ ଆସିଲେ। ପ୍ରଥମ ଥର ପଞ୍ଚାୟତ ନିର୍ବାଚନରେ କ୍ୟାରିୟର ଆରମ୍ଭ କଲେ। ତଲମେଣ୍ଡା ପଞ୍ଚାୟତରୁ ସମିତିସଭ୍ୟ ଭାବେ ଜିତିଲେ। ଜିତିବା ପରେ ଭେଡେନ୍‌ ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ। ସ୍ନେହାଙ୍ଗିନୀ ଛୁରିଆ ବରଗଡ଼ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀରୁ ୨୦୧୪ ଓ ୨୦୧୯ରେ ବିଜୟୀ ହୋଇଥିଲେ। ୨୦୨୪ ନିର୍ବାଚନରେ ୭୦,୫୭୭ ଭୋଟ୍‌ ପାଇଥିଲେ। ସେ ୨୮,୯୧୦ ଭୋଟ୍‌ରେ ପରାସ୍ତ ହୋଇଥିଲେ। କଂଗ୍ରେସ ପ୍ରାର୍ଥୀ ନିହାର ମହାନନ୍ଦଙ୍କ ଠାରୁ ହାରିଥିଲେ।

ନୂଆପଡ଼ା ଉପନିର୍ବାଚନ ପାଇଁ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ତତ୍ପରତା ଦେଖାଯାଇଛି। ଆସନ୍ତା ନଭେମ୍ବର ୧୧ ତାରିଖରେ ଏଠାରେ ମତଦାନ ଗ୍ରହଣ କରାଯିବାକୁ ଥିବା ବେଳେ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି। ଏହାରି ମଧ୍ୟରେ ଆଜି କଂଗ୍ରେସର ପ୍ରାର୍ଥୀ ଘାସିରାମ ମାଝୀ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ଆସନ୍ତାକାଲି ବିଜେପିର ପ୍ରାର୍ଥୀ ଜୟ ଢୋଲକିଆ ପ୍ରାର୍ଥିପତ୍ର ଦାଖଲ କରିବେ। ଏହାରି ମଧ୍ୟରେ ବିଜୁ ଜନତା ଦଳର ପ୍ରାର୍ଥି କିଏ ‌ହେବେ ସେନେଇ ଘୋଷଣା ଜୋରଦାର ଚର୍ଚ୍ଚା ଚାଲିଥିଲା।  

Nuapada