ମୋଦି କାମ ନକରି ଫଳ ଖାଉଛନ୍ତି: ରାହୁଲ

ହିମାଚଳରେ ପ୍ରଚାର ଶେଷ

ନୂଆଦିଲ୍ଲୀ : ହିମାଚଳ ପ୍ରଦେଶରେ ଆଗାମୀ ୯ ତାରିଖ ଦିନ ଗୋଟିଏ ପର୍ଯ୍ୟାୟରେ ସମସ୍ତ ବିଧାନସଭା ଆସନରେ ଭୋଟ୍‌ ଗ୍ରହଣ ହେବାକୁ ଥିବା ବେଳେ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି । ଏବେ ମଇଦାନରେ ୬୮ ବିଧାନସଭା ଆସନ ପାଇଁ ମୋଟ ୩୩୭ ପ୍ରାର୍ଥୀ ଅଛନ୍ତି। କଂଗ୍ରେସ ଏବଂ ବିଜେପି ସମସ୍ତ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ସିପିଏମ୍‌ ୧୪ଟି ଆସନରେ ପ୍ରାର୍ଥୀ ଦେଇଛି । ରାଜ୍ୟରେ ୫୦,୨୫,୯୪୧ ଭୋଟର୍‌ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ମୋଟ ୭୫୨୧ଟି ଭୋଟ୍‌ ଗ୍ରହଣ କେନ୍ଦ୍ର ରହିଥିବା ବେଳେ ସେଥିରୁ ୯୮୩ଟି ବୁଥ୍‌ ସ୍ପର୍ଶକାତର ଘୋଷଣା କରାଯାଇଛି ।

କଂଗ୍ରେସ ଏବଂ ବିଜେପି ମଧ୍ୟରେ ଏଠାରେ ସିଧାସଳଖ ଲଢ଼େଇ ହେଉଥିବା ବେଳେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଉଭୟ ଦଳ କୌଣସି ସୁଯୋଗ ହାତଛଡ଼ା କରିନାହାନ୍ତି। ଆଜି ପ୍ରଚାରର ଶେଷ ଦିବସରେ ଗୃହମନ୍ତ୍ରୀ ରାଜନାଥ ସିଂହ, ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପ୍ରେମ କୁମାର ଧୁମଲ, କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ଵତ ଦଳପାଇଁ ମାରାଥନ ପ୍ରଚାର କରିଥିବା ବେଳେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଦଳ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ, ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ, ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହ ପ୍ରମୁଖ ପ୍ରଚାର କରିଥିଲେ। ରାହୁଲ ଏକ ର‍୍ୟାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରି କହିଥିଲେ ଯେ ମୋଦି ‘ଗୀତା’ର ନିଜସ୍ୱ ବ୍ୟାଖ୍ୟାରେ କାର୍ଯ୍ୟ କରୁଛନ୍ତି। ଗୀତାରେ କୁହାଯାଇଛି କର୍ମ କରିଯାଅ, ଫଳ ପାଇଁ ଚିନ୍ତା କରନାହିଁ, କିନ୍ତୁ ମୋଦି କିଛି କାମ ନକରି କେବଳ ଅନ୍ୟର ଫଳ ଖାଇବାରେ ବ୍ୟସ୍ତ ଅଛନ୍ତି ବୋଲି ରାହୁଲ କହିଛନ୍ତି।

ସମ୍ବନ୍ଧିତ ଖବର