ମାଲକାନଗିରି: ଜିଲ୍ଲା ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ରବିବାର ଦିନ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର କଂଗ୍ରେସ ଏବଂ ବିଜେଡି ଦଳର ବହୁ କର୍ମୀ ଆଜି ବିଜେପିରେ ସାମିଲ ହୋଇଛନ୍ତି। ଯାହା ସ୍ଥାନୀୟ ରାଜନୈତିକ କ୍ଷେତ୍ରରେ ଏକ ନୂତନ ପରିବର୍ତ୍ତନର ଆଗମନକୁ ସୂଚାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବ, ଦୂରଦର୍ଶିତା ଓ ଦେଶବାସୀଙ୍କ ପାଇଁ କରାଯାଇଥିବା ବିକାଶ କାର୍ଯ୍ୟ ଦ୍ବାରା ପ୍ରଭାବିତ ହୋଇ ଏମାନେ ବିଜେପି ଦଳରେ ସାମିଲ ହୋଇଥିବା କହିଥିଲେ।
ମିଶ୍ରଣ ପର୍ବରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ଯୋଗ ଦେଇଥିବା ବେଳେ ଜିଲ୍ଲା ସଭାପତି ଅଶୋକ ପରିଡା ସଭାପତିତ୍ବ କରିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ସଭାପତି ନିମାଇଁ ପାଲ,ବାଲିମେଳା ନଗରପାଳ ପ୍ରଦୀପ ନାୟକ,ଜିଲ୍ଲା ସାଧାରଣ ସଂପାଦକ ମାଣିକଲାଲ ଚକ୍ରବର୍ତ୍ତୀ, ଉପସଭାପତି ସମୀର ମିସ୍ତ୍ରୀ, ବିଧାୟକ ପ୍ରତିନିଧି ନିହାର ରାୟ, ଜୟନ୍ତ ମଜୁମଦାର, କ୍ରିଷ୍ଣା, ରାଜୁ ପ୍ରମୁଖ ଉପସ୍ଥିତ ଥିଲେ।
ବିଜେପିରେ ସାମିଲ ହୋଇଥିବା କର୍ମୀମାନେ ହେଲେ ସୁଦୟ ତଫାଦାର,ବଗେନ୍ଦ୍ର ବନ୍ଦାମ, ଦିଲିପ ସଞ୍ଜାମ, ମହେଶ ଜୟମ, କାନା ସଞ୍ଜାମ, ସିଂହା ସାଲବମ, ଏକକେତର୍ହେ କାନାମ, କୁନା ରାମ, ସୁଭା ମାର୍କୋ, କୃଷ୍ଣା କାଡ଼ାମ, ଆପ୍ପା ରାଓ କାଡ଼ାମ, ମୋଟୁମ ପଟ୍ଟା, ସୂର୍ଯ୍ୟ ନୋଫାଡେନ ପ୍ରମୁଖ ସାମିଲ ହୋଇଥିଲେ।
ସୂଚନାଯୋଗ୍ୟ, ମାଲକାନଗିରିରେ ଏବେ କୌଣସି ନିର୍ବାଚନ ହେଉ ନାହିଁ। କିନ୍ତୁ ନୂଆପଡ଼ାରେ ଉପନିର୍ବାଚନ ପାଇଁ ମାହୋଲ ସରଗରମ ଅଛି। ନୂଆପଡ଼ା ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ଗତ ୧୬ ତାରିଖ ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯେତେେବେଳ ନୂଆପଡ଼ା ଗସ୍ତ କରିଥିଲେ, ସେହି ସମୟରେ ବହୁ ସଂଖ୍ୟାରେ ଅନ୍ୟ ଦଳର କର୍ମୀମାନେ ବିଜେପିରେ ସାମିଲ ହୋଇଥିଲେ। ଏହି ମିଶ୍ରଣ ପର୍ବରେ ଗତ ସାଧାରଣ ନିର୍ବାଚନରେ ବିଜେଡିର କଳାହାଣ୍ଡି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଳ ମଧ୍ୟ ସାମିଲ ଥିଲେ। ସେହିପରି ପଞ୍ଚାୟତ ସ୍ତରରେ ଅନେକ କର୍ମୀ ପଦ୍ମ ଧରିଥିଲେ।
Malkangiri | BJP | BJD | congress