ନୂଆଦିଲ୍ଲୀ: ୧୮ ବର୍ଷର ତପସ୍ୟା ନିଷ୍ଫଳ ହେଲା ବୋଲି ରାଜ୍ୟସଭା ନିର୍ବାଚନରୁ ବଞ୍ଚିତା ହେବା ପରେ ମହିଳା କଂଗ୍ରେସର ସାଧାରଣ ସମ୍ପାଦିକା ତଥା ଚଳଚ୍ଚିତ୍ର ଅଭିନେତ୍ରୀ ନଗ୍ମା ରବିବାର ରାତିରେ କହିଛନ୍ତି।
ସୂଚନାଯୋଗ୍ୟ, ଜୁନ୍ ୧୦ ତାରିଖରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ଲାଗି ରବିବାର ଦିନ କଂଗ୍ରେସ ୧୦ଜଣ ପ୍ରାର୍ଥୀଙ୍କ ନାମ ତାଲିକା ପ୍ରକାଶ କରିଛି। କିନ୍ତୁ, ୨୦୦୪ରେ କଂଗ୍ରେସରେ ଯୋଗ ଦେଇଥିବା ନଗ୍ମା ଏହି ତାଲିକାରୁ ବାଦ୍ ପଡ଼ିଛନ୍ତି। ତାଙ୍କ ପରିବର୍ତ୍ତେ ମହାରାଷ୍ଟ୍ରରୁ ଉତ୍ତର ପ୍ରଦେଶର ଇମ୍ରାନ୍ ପ୍ରତାପଗିରିଙ୍କୁ ପ୍ରାର୍ଥୀ କରାଯାଇଛି।
ଟୁଇଟର୍ରେ ନିଜର ପ୍ରତିକ୍ରିୟା ବ୍ୟକ୍ତ କରି ଗତ ରାତିରେ ନଗ୍ମା କହିଥିଲେ: ଇମ୍ରାନ୍ ଭାଇଙ୍କ ଆଗରେ ଆମର ୧୮ ବର୍ଷର ତପସ୍ୟା ନିଷ୍ଫଳ ହୋଇଗଲା।
/sambad/media/post_attachments/wp-content/uploads/2022/05/Nagma1-1024x633.jpg)
ସୂଚନାଯୋଗ୍ୟ, ଏହାର ଠିକ୍ ୬ ମିନିଟ୍ ପୂର୍ବରୁ କଂଗ୍ରେସ ପାର୍ଟିର ଜାତୀୟ ମୁଖପାତ୍ର ପବନ ଖେରା ଟୁଇଟ୍ କରିଥିଲେ: ହୁଏ ତ ମୋ ତପସ୍ୟାରେ (ନିଷ୍ଠା) କିଛି ତ୍ରୁଟି ରହିଗଲା।
ଆଜି ମଧ୍ୟ ଏ ସଂକ୍ରାନ୍ତରେ ଟୁଇଟ୍ କରି ନଗ୍ମା କହିଛନ୍ତି: ୨୦୦୩/୦୪ ମୁଁ କଂଗ୍ରେସ ପାର୍ଟିରେ ଯୋଗ ଦେବା ବେଳେ ଆମ କଂଗ୍ରେସ ଅଧ୍ୟକ୍ଷା ସୋନିଆଜୀ ମତେ ରାଜ୍ୟସଭାକୁ ପଠାଇବେ ବୋଲି ବ୍ୟକ୍ତିଗତ ଭାବେ ପ୍ରତିଶ୍ରୁତି ଦେଇଥିଲେ। ତାଙ୍କ ନିର୍ଦେଶ ଅନୁସାରେ ଆମେ ସେତେବେଳେ କ୍ଷମତାରେ ନ ଥିଲୁ। ୧୮ ବର୍ଷ ବିତିଗଲାଣି ସେମାନେ କୌଣସି ସୁଯୋଗ ପାଉ ନ ଥିଲେ। ମୋର ଯୋଗ୍ୟତା କମ୍ ଥିବାରୁ ଇମ୍ରାନ୍ଙ୍କୁ ମହାରାଷ୍ଟ୍ରରୁ ରାଜ୍ୟସଭାକୁ ପ୍ରାର୍ଥୀ କରାଗଲା।
ସୂଚନାଯୋଗ୍ୟ, ନଗ୍ମା ଜମ୍ମୁ ଓ କଶ୍ମୀର, ଲଦାଖ ଏବଂ ପୁଦ୍ଦୁଚେରୀ ମହିଳା କଂଗ୍ରେସର ଭାରପ୍ରାପ୍ତ ସାଧାରଣ ସମ୍ପାଦିକା ଅଛନ୍ତି। ଏହାଛଡ଼ା, ସେ ମୁମ୍ବାଇ ଭାରତୀୟ ଜାତୀୟ କଂଗ୍ରେସର ଉପସଭାପତି ମଧ୍ୟ ଅଛନ୍ତି।