ନବୀନ ନିବାସ ଘେରିବାକୁ ଯୁବ କଂଗ୍ରେସର ଉଦ୍ୟମ : ଅଧାବାଟରେ ଅଟକାଇଲା ପୁଲିସ

ଭୁବନେଶ୍ୱର : ଯୁବକ ଓ ଚାଷୀଙ୍କୁ ଅଧିକାର ପ୍ରଦାନ ଦାବିରେ ରାସ୍ତାକୁ ଓହ୍ଲାଇଛି ରାଜ୍ୟ ଯୁବ କଂଗ୍ରେସ। ‘ଓଡ଼ିଶା ବଞ୍ଚାଓ, ଭାରତ ବଞ୍ଚାଓ’ ଡାକରା ଦେଇ ଯୁବ କଂଗ୍ରେସ ଆଜି ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରିଥିଲା। କଂଗ୍ରେସର ବରିଷ୍ଠ ନେତାଙ୍କ ସହ ଯୁବ ନେତାମାନେ କଂଗ୍ରେସ ଭବନରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ନବୀନ ନିବାସ ଆଡ଼କୁ ଯିବା ସମୟରେ ରାଜମହଲ ଛକ ନିକଟରେ ପୁଲିସ ସେମାନଙ୍କୁ ଅଟକାଇଥିଲା। ଫଳରେ ସେଠାରେ ଆନ୍ଦୋଳନକାରୀ ଓ ପୁଲିସ ମଧ୍ୟରେ ପ୍ରାୟ ୨୦ ମିନିଟ୍‌ ଧରି ଧସ୍ତାଧସ୍ତି ଚାଲିଥିଲା। କଂଗ୍ରେସ ନେତାମାନେ ରାସ୍ତାରେ ବସିରହିଥିଲେ। ଆଗାମୀ ଦିନରେ ରାଜ୍ୟରେ ଶାସନ କରୁଥିବା ବିଜେଡି ଓ କେନ୍ଦ୍ରରେ ଶାସନ କରୁଥିବା ବିଜେପି ସରକାରଙ୍କୁ ଓପାଡ଼ି ଫୋପାଡ଼ି ଦିଆଯିବ ବୋଲି କଂଗ୍ରେସ ନେତାମାନେ କହିଥିଲେ।

ଶୋଭାଯାତ୍ରା ପୂର୍ବରୁ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନ ପରିସରରେ ‘ଯୁବ ଓ ଚାଷୀ ଅଧିକାର’ ସମାବେଶ ଆୟୋଜିତ ହୋଇଥିଲା। ଏଥିରେ ଅଖିଳ ଭାରତ ଯୁବ କଂଗ୍ରେସ ସଭାପତି କେଶବ ଯାଦବ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଓଡ଼ିଶାର ଯୁବ ସମାଜ ରାଜାରାସ୍ତାକୁ ଓହ୍ଲାଇବାର ସମୟ ଆସିଛି ବୋଲି କହିଥିଲେ। କେନ୍ଦ୍ରର ମୋଦି ସରକାର ଦ୍ୱାରା ଯୁବକ, ଶ୍ରମିକ, ଚାଷୀ, ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁ ସଂପ୍ରଦାୟ ଶୋଷିତ ଓ ଅତ୍ୟାଚାର ଶିକାର ହେଉଛନ୍ତି। ସ୍ୱେଚ୍ଛାଚାରିତାର ସୀମା ଟପିଯାଇଛି। ସିବିଆଇ ଆଜି ରାଜନୈତିକ ଅସ୍ତ୍ର ପାଲଟିଛି। ଗଣତନ୍ତ୍ର ବିପନ୍ନ, ଆଇନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। କୃଷକ ଆତ୍ମହତ୍ୟା ନିୟନ୍ତ୍ରଣ କରିବା ବଦଳରେ ମୋଦି ସରକାର କୃଷକଙ୍କ ରକ୍ତରେ ହୋଲି ଖେଳୁଛି ବୋଲି କହିଥିଲେ।

ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ କହିଲେ ପ୍ରଧାନମନ୍ତ୍ରୀ ମୋଦୀ କେବଳ ଭାଷଣ ଦେଇ ୪ ବର୍ଷ ବିତେଇ ଦେଇଥିବା ବେଳେ ବିଜେଡି ସରକାର ବିନା କାମରେ ୧୮ ବର୍ଷ ଅତିକ୍ରମ କରିଛି। ଓଡ଼ିଶା ଓ ଭାରତର ସ୍ଥିତିରେ ପରିବର୍ତନ ଆଣିବା ଯୁବକମାନଙ୍କର ଲକ୍ଷ୍ୟ ହେବା ଉଚିତ୍‌। ଯୁବକ ଓ ଯୁବତୀମାନେ ନିଷ୍ଠାର ସହ ସଂକଳ୍ପ ନେଇ ରାଜ୍ୟ ସରକାରର ଭ୍ରଷ୍ଟାଚାର ଓ ଦୁର୍ନୀତି ବିରୁଦ୍ଧରେ ଜନମତ ସୃଷ୍ଟି କଲେ ଆଗାମୀ ନିର୍ବାଚନରେ ଫଳ କଂଗ୍ରେସ ସପକ୍ଷରେ ରହିବ। ଛତା, ଜୋତା ଓ ମୋବାଇଲ ଦେଇ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଲୁଟ୍‌ କରାଯାଉଛି। ନିର୍ବାଚନରେ ଅର୍ଥ ଖର୍ଚ୍ଚ ହେଉଛି। ଏବେ ୬୦ଲକ୍ଷ ବେକାର ଯୁବକ ଯୁବତୀ ଓଡ଼ିଶାରେ ନିଯୁକ୍ତି ନ ପାଇ ରାଜ୍ୟ ବାହାରେ ମଜୁରିଆ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଥିଲେ।

ରାଜ୍ୟ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀ ନିଜ ଭାଷଣରେ ରାଜ୍ୟର ଚାଷୀ ଓ ବେକାର ଯୁବକ ଯୁବତୀଙ୍କ ସ୍ୱାର୍ଥ ସାଧନ ପାଇଁ ଯୁବ କଂଗ୍ରେସ ସଂଗ୍ରାମ ଜାରି ରଖିଛି ବୋଲି କହିଥିଲେ। ସମାବେଶରେ କେନ୍ଦ୍ରୀୟ ନେତା ମସ୍ତାନ ଭାଲି, ବିଭି ଶ୍ରୀନିବାସ, ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ସ୍ମୃତିରଞ୍ଜନ ଲେଙ୍କା, ଚିରଞ୍ଜିବ ବିଶ୍ୱାଳ, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଭକ୍ତଚରଣ ଦାସ, ସଂଗ୍ରାମ କେଶରୀ ଜେନା, ମତଲୁବ ଅଲ୍ଲୀ, ସୁରେଶ କୁମାର ରାଉତରାୟ, ବିଶ୍ୱରଞ୍ଜନ ମହାନ୍ତି, ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ସସ୍ମିତା ବେହେରା ପ୍ରମୁଖ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ କହିଥିଲେ।

ସମ୍ବନ୍ଧିତ ଖବର