ଜଳବାୟୁ ପରବର୍ତ୍ତନ ବଡ଼ ଆହ୍ବାନ ସୃଷ୍ଟି କରିଛି। ତାହାର ମୁକାବିଲା କରିବାକୁ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ ମତପ୍ରକାଶ କରିଛନ୍ତି। ପ୍ରଥମ ଦିନର ଉଦ୍ଯାପନୀ ଉତ୍ସବରେ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ କହିଲେ, ବିକାଶ କଥା ଆସିଲେ ବିନାଶ ହେବା ଏକପ୍ରକାର ଥୟ। ତଥାପି ଆମକୁ ଇକୋ-ସିଷ୍ଟମ୍କୁ ନଷ୍ଟ ନ କରି ଅର୍ଥନୀତିକୁ ସୁଦୃଢ଼ କରିବାକୁ ପଡ଼ିବ। ଶିଳ୍ପ ପ୍ରତିଷ୍ଠା, ଖଣି ଖନନ ପରି ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମୟରେ ଜଙ୍ଗଲ ନଷ୍ଟ ରୋକିବା ଦିଗରେ ଯଥାସମ୍ଭବ ଉଦ୍ୟମ ହେଉଛି। ରାଜ୍ୟ ସରକାରଙ୍କ ୧୧ଟି ବିଭାଗ ମିଳିତ ଭାବେ ଏଦିଗରେ କାର୍ଯ୍ୟ କରୁଛନ୍ତି। ବନ ସୁରକ୍ଷା ସମିତି ମାଧ୍ୟମରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ତୃଣମୂଳ ସ୍ତରରେ କମିଟି ଗଠନ ହୋଇଛି। ‘ଏକ ପେଡ୍ ମା’ କେ ନାମ’ ଅଭିଯାନରେ ଗୋଟିଏ ଦିନରେ ଦେଢ଼ କୋଟି ଗଛ ଲଗାଇ ଓଡ଼ିଶା ସାରା ଦେଶରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଗଛଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ସ୍ବତନ୍ତ୍ର ଗାଇଡ୍ଲାଇନ୍ ହୋଇଛି। ଚଳିତ ଆର୍ଥିକ ବର୍ଷରେ ସାଢ଼େ ୭ କୋଟି ଗଛ ଲଗାଇବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଥିଲେ।
ରାଜ୍ୟ ସରକାର ‘ଶୂନ୍ୟ ସହନଶୀଳନା’ ନୀତି ଆପଣାଇଛନ୍ତି। କେହି ବି ଯଦି ଦୁର୍ନୀତିରେ ଲିପ୍ତ ରହୁଥିବା ନଜରକୁ ଆସନ୍ତି ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଜେପି ସରକାର ଆସିବା ପରେ ଗତ ଦେଢ଼ବର୍ଷ ମଧ୍ୟରେ ଅନେକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଜଙ୍ଗଲ ବିଭାଗର ଯେଉଁ ସ୍ତରରେ ଦୁର୍ନୀତି ହେଉଥିଲେ ମଧ୍ୟ କାହାରିକୁ ଛଡ଼ାଯିବ ନାହିଁ ବୋଲି ସେ ମତପ୍ରକାଶ କରିଛନ୍ତି। ଓଡ଼ିଶାର ୩୩% ଅଞ୍ଚଳ ଜଙ୍ଗଲ ଆଚ୍ଛାଦିତ ରହିଛି। ତାହାକୁ ୪୦%ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ପରିବେଶ-ପର୍ଯ୍ୟଟନ ଓ ପର୍ଯ୍ୟଟନ ବିକାଶ ସମୟରେ ସ୍ଥିତି ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯାଉଛି। ୟୁଥ୍ ଆଡଭାଇଜରି ବୋର୍ଡ ଗଠନ ଉପରେ ବିଚାରବିମର୍ଶ ଚାଲିଥିବା ମନ୍ତ୍ରୀ ସୂଚନା ଦେଇଥିଲେ। ଅଧିବେଶନକୁ ‘କନକ ନ୍ୟୁଜ୍’ ସାମ୍ବାଦିକ ମୌସୁମୀ ମହାନ୍ତି ସଂଯୋଜନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/06/sfhhfshfsxbv-2025-10-06-23-53-33.jpg)