ଚିତ୍ରଡ଼ା/ରାସଗୋବିନ୍ଦପୁର: ପୃଥିବୀକୁ ମଣିଷ ସମାଜ ବିକୃତ କରୁଛି। ପର୍ବପର୍ବାଣି ହେଉ କି ବିବାହ ଉତ୍ସବ; ସବୁଥିରେ ଆମେ ବାଣ ଫୁଟାଇ ମଉଜ କରୁଛନ୍ତି। ଦିନ ଥିଲା ଆମ ଜଙ୍ଗଲ ଶାଳ ଓ ଶାଗୁଆନ ଭଳି ବହୁ ମୂଲ୍ୟବାନ ବୃକ୍ଷରେ ପରିପୂର୍ଣ୍ଣ ଥିଲା। ନିଜ ସ୍ବାର୍ଥ ପାଇଁ ମଣିଷ ଏସବୁ ଗଛ କାଟି ଜଙ୍ଗଲକୁ ପଦା କରି ପକାଇଲାଣି। ଔଷଧୀୟ ଗଛ ବି ଜଙ୍ଗଲରୁ ଉଭାନ ହୋଇଗଲାଣି। ଫଳରେ ପରିବେଶ ବ୍ୟାପକ ଭାବେ ବିଗିଡ଼ି ଯାଉଛି। ଗ୍ରୀଷ୍ମ ଦିନରେ ତାପମାତ୍ର ୪୦ ଡିଗ୍ରି ପାର୍‌ ହୋଇ ଯାଉଥିବା ବେଳେ ଶୀତଦିନରେ ଥଣ୍ଡା ଅନୁଭୂତ ହେଉନି। ବର୍ଷାଦିନରେ ମଧ୍ୟ ବର୍ଷା ହେଉନି। ଭୂତଳ ଜଳସ୍ତର ଦିନକୁ ଦିନ ନିମ୍ନଗାମୀ ହେବାରେ ଲାଗିଛି। ତେଣୁ ‘ପୁନଶ୍ଚ ପୃଥିବୀ’ ପାଇଁ ବାଣ ଫୁଟାଇବାନି, ଗଛ କାଟିବାନି; ବରଂ ନୂତନ ଗଛ ଲଗାଇ ଯତ୍ନ ନେବାକୁ ଆମେ ଶପଥ ନେବା ବୋଲି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବିଧାୟକ ତଥା ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି।

Advertisment

ମୋରଡ଼ା ସିଦ୍ଧି କଲ୍ୟାଣ ମଣ୍ଡପରେ ‘ସମ୍ବାଦ’ ଗ୍ରୁପ୍‌ ପକ୍ଷରୁ ଆୟୋଜିତ ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡା. ମହାପାତ୍ର ଆହୁରି କହିଥିଲେ, ଆଗାମୀ ଦିନରେ ପ୍ରଦୂଷଣ ରୋକିବାକୁ ରାଜ୍ୟର ବିଭିନ୍ନ ସହରରେ ୪୦୦ଟି ଇ-ବସ୍‌ ଚଳାଇବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସେହିପରି ଇ-ବାଇକ୍‌ ଓ ଇ-ଅଟୋ ଅଧିକ ସଂଖ୍ୟାରେ ଚଳାଇବା ନେଇ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି।

ମୁଖ୍ୟବକ୍ତା ଭାବେ ସମାଜସେବୀ ଡାକ୍ତର ଆଦିତ୍ୟ ପଟ୍ଟନାୟକ ଓ ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ବ୍ଲକ୍‌ ଅଧ୍ୟକ୍ଷ ବୈଦ୍ୟନାଥ ମହାନ୍ତ, ରାସଗୋବିନ୍ଦପୁର ବିନୋଦରାୟ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ବସନ୍ତ ମହାନ୍ତ, ଉପେନ୍ଦ୍ରନାଥ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ମହାନ୍ତି ଓ ମୋରଡ଼ା ବ୍ଲକ୍‌ ଉପାଧ୍ୟକ୍ଷା ଜେମାମଣି ମହାନ୍ତ ଯୋଗଦେଇ ପ୍ରକୃତି ହେଉଛି ଆମ ମାଆ, ତା’ର ସୁରକ୍ଷା କରିବା ଆମର ପ୍ରଥମ ତଥା ପରମ କର୍ତ୍ତବ୍ୟ। କାରଣ ଜଳବାୟୁ ପରିବର୍ତ୍ତନ ଯୋଗୁଁ କେବଳ ମଣିଷ ନୁହେଁ ପଶୁପକ୍ଷୀ ମଧ୍ୟ ପ୍ରଭାବିତ ହେଉଛନ୍ତି। କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ପରିବେଶବିତ୍‌, ଛାତ୍ରଛାତ୍ରୀ, ଜନପ୍ରତିନିଧି, ସମାଜସେବୀ, ସାହିତ୍ୟିକ ଓ ସ୍ଥାନୀୟ ବାସିନ୍ଦା ଯୋଗଦେଇ ପରିବେଶ ସୁରକ୍ଷା ନେଇ ନିଜ ନିଜର ମତ ରଖିଥିଲେ।