ଅସୁରାଳି: ଭଦ୍ରକର ପ୍ରସିଦ୍ଧ ଶୈବପୀଠ ଆରଡ଼ିର ଆଖଣ୍ଡଳମଣିଙ୍କ ପୀଠକୁ ସଂଯୋଗ କରୁଥିବା ଭଦ୍ରକ-ଆରଡ଼ି ରାଜ୍ୟ ରାଜପଥ ପାର୍ଶ୍ବରୁ ୫ ହଜାରରୁ ଅଧିକ ଗଛ କାଟି ଦିଆଯାଇଛି। ରାସ୍ତା ସମ୍ପ୍ରସାରଣ ପାଇଁ ହଜାର ହଜାର ଗଛକୁ ବଳି ଦିଆଯିବା ପରେ ଏହି ମୁଖ୍ୟରାସ୍ତା ଏବେ ଶ୍ରୀହୀନ ହୋଇଛି। ଦେଢ଼ବର୍ଷ ବିତିଲାଣି, ହେଲେ ଗୋଟିଏ ବି ବୃକ୍ଷରୋପଣ କରିନାହାନ୍ତି। ଏହାର ସିଧାସଳଖ ପ୍ରଭାବ ପ୍ରକୃତି ଓ ପରିବେଶ ଉପରେ ପଡ଼ୁଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଏବେ ଯେଉଁ ଢଙ୍ଗରେ କାମ ହେଉଛି ସେଥିରୁ ଜଣାପଡ଼ୁଛି ଯେ ରାଜପଥ ପାଇଁ ଏତେସଂଖ୍ୟାରେ ଗଛ କାଟିବାର କୌଣସି ଆବଶ୍ୟକତା ନଥିଲା।
ଭଦ୍ରକ-ଆଖଣ୍ଡଳମଣି ରାଜ୍ୟ ରାଜପଥ ଏବେ ଶ୍ରୀହୀନ
ସୂଚନା ଅନୁସାରେ, ୨୦୨୩ ଫେବ୍ରୁଆରି ମାର୍ଚ୍ଚରେ ୩୭ କିମି ଦୈର୍ଘ୍ୟ ବିଶିଷ୍ଟ ଭଦ୍ରକ-ଆଖଣ୍ଡଳମଣି ରାସ୍ତାର ସମ୍ପ୍ରସାରଣ ପାଇଁ ଦୁଇ ପାର୍ଶ୍ବରେ ଥିବା ବିଭିନ୍ନ କିସମର ସମସ୍ତ ଗଛକୁ କାଟି ଦିଆଯାଇଥିଲା। ଫଳରେ, ଏହାର ସିଧାସଳଖ ପ୍ରଭାବ ପରିବେଶ ଉପରେ ପଡ଼ିଛି। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ବର୍ଷବର୍ଷ ଧରି ଏହି ଗଛସବୁ ପ୍ରକୃତି ଓ ପରିବେଶକୁ ସୁରକ୍ଷା ଦେବାସହିତ ପଥଚାରୀଙ୍କୁ ଛାଇ ଦେଉଥିଲା। ଫେବ୍ରୁଆରି ମାସରେ ଗଛ କାଟିଦେଇ ରାସ୍ତାକୁ ବୃକ୍ଷ ଶୂନ୍ୟ କରିଦେବାର ପରିଣାମ ଏବେ ଆମ ସମସ୍ତଙ୍କୁ ଭୋଗିବାକୁ ପଡ଼ୁଛି। ଏବର୍ଷ ମାର୍ଚ୍ଚ ଠାରୁ ଜୁନ୍, ଜୁଲାଇ ପର୍ଯ୍ୟନ୍ତ ପ୍ରବଳ ଗରମରେ ଏହି ରାସ୍ତାରେ ଯାତାୟାତ କରିବା ବି କଷ୍ଟକର ହୋଇପଡ଼ିଥିଲା। ଏଥିସହିତ, ବହୁବର୍ଷ ଧରି ପଥଚାରୀଙ୍କୁ ଛାଇ ଦେବା ସଙ୍ଗେ ସଙ୍ଗେ ପରିବେଶ ସୁରକ୍ଷା ଦିଗରେ ବଡ଼ ଭୂମିକା ନିର୍ବାହ କରୁଥିବା ଗଛଗୁଡ଼ିକ କାଟି ଦିଆଯିବା ପରେ ରାସ୍ତା ବି ସମ୍ପୂର୍ଣ୍ଣ ଖାଁ ଖାଁ ଦଶୁଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ସମ୍ପ୍ରସାରଣ ହେଉଥିବା ରାସ୍ତାର ସ୍ଥାନଠାରୁ କାଟି ଦିଆଯାଇଥିବା ଗଛ ଯଥେଷ୍ଟ ଦୂରରେ ଥିଲା। ଏ ସମ୍ପର୍କରେ ଭଦ୍ରକ ଜିଲ୍ଲା ଜଙ୍ଗଲ ଅଧିକାରୀ ସୌଭାଗ୍ୟ ସାହୁ କହିଛନ୍ତି ଯେ ରାସ୍ତାରୁ ମୋଟ ୪୯୮୬ଟି ଗଛ କଟାଯାଇଛି। ଏହାର ଭରଣା ପାଇଁ ଗଛ କାଟିବା ଏବଂ ଲଗାଇବା ଦାୟିତ୍ୱ ତାଙ୍କ ବିଭାଗର ନୁହେଁ। ବନ ନିଗମର ଏହି ଦାୟିତ୍ୱ। ସେମାନେ ଯୋଜନା ପ୍ରସ୍ତୁତ କରି ଆମକୁ ଅବଗତ କରାଇବା ପରେ ଆମେ କାର୍ଯ୍ୟକାରୀ କରିବୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/VMH7DtipgCAI4kjgQIek.jpg)