ଓଡ଼ିଶାର ଦ୍ବିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀର ଉତ୍ପତ୍ତିସ୍ଥଳ ହେଉଛି ରାଉରକେଲାର ବେଦବ୍ୟାସ। ଝାଡ଼ଖଣ୍ଡରୁ ବାହାରିଥିବା ଦକ୍ଷିଣ କୋଏଲ୍‌ ନଦୀ (ପରବର୍ତ୍ତୀ ପର୍ଯ୍ୟାୟରେ କୋଏଲ୍‌) ସହ ଶଙ୍ଖ ନଦୀର ମିଳନ ଯୋଗୁଁ ବ୍ରାହ୍ମଣୀର ସୃଷ୍ଟି। ବ୍ରାହ୍ମଣୀ ନଦୀ ଓଡ଼ିଶାର ୮ଟି ଜିଲ୍ଲା ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, କେନ୍ଦ୍ରପଡ଼ା ଓ ଭଦ୍ରକ ଦେଇ ବଙ୍ଗୋପସାଗରରେ ମିଶିଛି। ଏହାର ଲମ୍ବ ୪୮୦ କିଲୋମିଟର। ତେବେ ମୂଳନଦୀ ଦକ୍ଷିଣ କୋଏଲ୍‌ର ଉତ୍ପତ୍ତିସ୍ଥଳରୁ ହିସାବ କଲେ ବ୍ରାହ୍ମଣୀର ମୋଟ୍‌ ଲମ୍ବ ୭୯୯ କିଲୋମିଟର (୪୯୬ ମାଇଲ୍‌) ‌ହେବ। ଓଡ଼ିଶାରେ ଏହାର କ୍ୟାଚ୍‌ମେଣ୍ଟ୍‌ ଏରିଆ ହେଉଛି ୩୯,୦୩୩ ବର୍ଗ କିଲୋମିଟର। 

Advertisment

କୂଳ ଖାଉଛି, ଲୀନ ହୋଇଯିବ ୬ ଗାଁ
କଣିହାଁ: ବ୍ରାହ୍ମଣୀ ନଦୀ ବର୍ତ୍ତମାନ ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ୬ଟି ଗାଁ ପାଇଁ ବିପଦ ଭାବେ ଉଭା ହୋଇଛି। ଏହି ଗାଁଗୁଡ଼ିକ ହେଲା ନାଲମ, ତାଳପଦା, ଦୁର୍ଗାପୁର, ଗହମ, ଶିପୁର ଓ କୁସୁମପାଳ। ଏହି ସବୁ ଗାଁ ସମଲ ବ୍ୟାରେଜ ଓ ରେଙ୍ଗାଳି ପ୍ରକଳ୍ପ ଦ୍ବାରା ମଧ୍ୟ କ୍ଷତିଗ୍ରସ୍ତ ହେଉଛି। ଏସବୁ ଗାଁ ବ୍ରାହ୍ମଣୀ ନଦୀର ଉଭୟ ପାର୍ଶ୍ବରେ ରହିଛି। ପ୍ରତିବର୍ଷ ବର୍ଷା ଋତୁରେ ନଦୀର ଅତଡ଼ା ଖାଇ ନଦୀଗର୍ଭରେ ଅନେକ ଜମି ଲୀନ ହେଉଛି। ଏତଦ୍‌ବ୍ୟତୀତ ପ୍ରତିବର୍ଷ ବନ୍ୟା ଜଳରେ ନଦୀର ଗତିପଥ ବାରମ୍ବାର ପରିବର୍ତ୍ତନ ଘଟି ଜନବସତି ପ୍ରତି ବିପଦ ମାଡ଼ି ଆସୁଛି।  ମାତ୍ର ୧୫ ବର୍ଷ ପୂର୍ବେ ଏସବୁ ଗାଁଠାରୁ ପାଖାପାଖି ୨ କିଲୋମିଟର ଦୂରରେ ଥିଲା ବ୍ରାହ୍ମଣୀ ନଦୀ। ଏବେ କିନ୍ତୁ ଏହା କୂଳ ଖାଇ ଗାଁ ପାଖକୁ ପହଞ୍ଚିଲାଣି। ଇତିମଧ୍ୟରେ ନଦୀକୂଳରେ ଥିବା ଶହ ଶହ ଏକର ଚାଷଜମି, ବାସଗୃହ ଲୀନ ହୋଇସାରିଲାଣି। ବ୍ରାହ୍ମଣୀ ନଦୀର ଉଭୟ ପାର୍ଶ୍ବରେ ନଦୀକୂଳଠାରୁ ମାତ୍ର ୧୦୦ ଫୁଟ ଦୂରତାରେ ବସବାସ କରୁଥିବା ଏହି ୬ଟି ଗାଁର ବାସିନ୍ଦାଙ୍କୁ ବିସ୍ଥାପିତ କରିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଥିଲା। ୨୦୧୬ ମସିହାରେ ରାଜ୍ୟ ଜଳସମ୍ପଦ ବିଭାଗ ଏହି ଘର ଓ ଜମିର କ୍ଷତିପୂରଣ ଆକଳନ କରି କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ କରିଥିଲେ। କ୍ଷତିପୂରଣ ଅର୍ଥ ପ୍ରଦାନ କରିବା ପରେ ସେମାନଙ୍କୁ ଅନ୍ୟ ସ୍ଥାନକୁ ବିସ୍ଥାପିତ କରିବା ପାଇଁ ସରକାରଙ୍କ ପକ୍ଷରୁ ନିୟମ ରହିଥିବା ବେଳେ ବର୍ଷ ପରେ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ସମ୍ଭବ ହୋଇନି।

ଜୀବନରେଖା ଏବେ ବିପନ୍ନ
ରାଉରକେଲା/ବଣାଇ: ରାଉରକେଲାବାସୀଙ୍କ ଜୀବନରେଖା ବ୍ରାହ୍ମଣୀ ନଦୀର ପ୍ରଦୂଷଣ ଉଦ୍‌ବେଗଜନକ ସ୍ଥିତିରେ। କୋଏଲ ଓ ଶଙ୍ଖ ନଦୀର ମିଶ୍ରଣରୁ ସୃଷ୍ଟ ଏହି ନଦୀ ବାସ୍ତବରେ ଆରମ୍ଭରୁ ହିଁ ପ୍ରଦୂଷିତ। ଉତ୍ପତ୍ତିସ୍ଥଳ ବେଦବ୍ୟାସରୁ ଜିଲ୍ଲାର ବଣାଇଗଡ଼ ସୀମାନ୍ତ ଯାଏ; ଶତାଧିକ କଳକାରଖାନାର ବର୍ଜ୍ୟ ଜଳ ସିଧାସଳଖ ବ୍ରାହ୍ମଣୀରେ ପଡ଼ୁଛି। କୌଣସି ସ୍ଥାନରେ ବର୍ଜ୍ୟଜଳ ପରିଚାଳନା କରାଯାଉ ନଥିବାରୁ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇଛି। କେବଳ ସୁନ୍ଦରଗଡ଼ ଜିଲ୍ଲା ନୁହେଁ; ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର ଓ କେନ୍ଦ୍ରାପଡ଼ାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳୁଛି। ବ୍ରାହ୍ମଣୀ ନଦୀର ଏଭଳି ଦୁଃସ୍ଥିତି ପଛରେ ଏକାଧିକ କାରଣ ରହିଛି। ସ୍ମାର୍ଟସିଟିର ଜନସଂଖ୍ୟା ପାଖାପାଖି ୮ ଲକ୍ଷ ଉପରେ ପହଞ୍ଚିଲାଣି। ଜନବହୁଳ ସହରରେ ସ୍ବେରେଜ୍‌ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେଉନି। ୨୦୧୭ ମସିହାରେ ୩୪୦.୧୯କୋଟି ଟଙ୍କା ବ୍ୟୟ ଅଟକଳରେ ସ୍ବେରେଜ୍‌ ବ୍ୟବସ୍ଥା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। କିନ୍ତୁ ୮ ବର୍ଷ ବିତିଲାଣି ପ୍ରକଳ୍ପ ଶେଷ ହେବାର ନାଁ ନେଉନି। ଫଳରେ ସହରର ସବୁ ବର୍ଜ୍ୟଜଳ ସିଧାସଳଖ ବାଲୁଘାଟ ଦେଇ ବ୍ରାହ୍ମଣୀ ନଦୀରେ ମିଶୁଛି। ରାଉରକେଲା ଇସ୍ପାତ କାରଖାନାର ସହରାଞ୍ଚଳରୁ ନିର୍ଗତ ବର୍ଜ୍ୟଜଳ ମଧ୍ୟ ବ୍ରାହ୍ମଣୀରେ ନିଷ୍କାସିତ ହେଉଛି। ଏତଦ୍‌ବ୍ୟତୀତ କଳୁଙ୍ଗା ଶିଳ୍ପାଞ୍ଚଳ, ରାଉରକେଲା ଶିଳ୍ପାଞ୍ଚଳ ସମେତ ବଣାଇ ଅଞ୍ଚଳରେ ଥିବା କଳକାରଖାନାର ବିଷାକ୍ତ ବର୍ଜ୍ୟଜଳ ମଧ୍ୟ ନଦୀକୁ ଛାଡ଼ି ଦିଆଯାଉଛି। ବଣାଇ ଉପଖଣ୍ଡର ତିନୋଟି ବ୍ଲକ୍‌ ଗୁରୁଣ୍ଡିଆ, ଲହୁଣିପଡ଼ା ଓ ବଣାଇଗଡ଼ର ନଦୀ କୂଳରେ ବହୁ ଜନବସତି, କଳକାରଖାନା, ବିଭିନ୍ନ ପ୍ରକାରର ଶିଳ୍ପ ସଂସ୍ଥା ତା’ର କାୟା ବିସ୍ତାର କରିବା ଦ୍ୱାରା ବ୍ରାହ୍ମଣୀ ନଦୀ ସୌନ୍ଦର୍ଯ୍ୟ ହରାଇ ବସିଲାଣି। ବର୍ଷବର୍ଷ ଧରି ଶିଳ୍ପସଂସ୍ଥା ନଦୀ ପ୍ରଦୂଷଣର ଭୟାବହତାକୁ ଅଣଦେଖା କରି ଚାଲିଛନ୍ତି। ୨୦୧୮ ଅଗଷ୍ଟରେ ବ୍ରାହ୍ମଣୀ ପାଣି ଅତ୍ୟନ୍ତ ପ୍ରଦୂଷିତ ହୋଇଯାଇଥିଲା। ସେତେବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁଣ୍ଡିଆ, ବଣାଇଗଡ଼ ଓ ଲହୁଣୀପଡ଼ା ବ୍ଲକ୍‌ବାସୀଙ୍କୁ ବ୍ରାହ୍ମଣୀ ନଦୀର ଜଳ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତଥାପି ଜଳ ପ୍ରଦୂଷଣରେ ଅଙ୍କୁଶ ଲଗାଇବାକୁ ଉଦ୍ୟମ କରାଯାଉନି।

ବ୍ରାହ୍ମଣୀରେ ମିଶୁଛି ଆବର୍ଜନା ପାଣି
ତାଳଚେର: ତାଳଚେର ସହର ପାର୍ଶ୍ବ ଦେଇ ଯାଇଥିବା ବ୍ରହ୍ମଣୀ ନଦୀ ଦୂଷିତ ହେବାରେ ଲାଗିଛି। ଏହି ନଦୀରେ ତାଳଚେର ସହରର ନର୍ଦମା ପାଣି ସିଧାସଳଖ ମିଶୁଛି। ଅପରପକ୍ଷରେ ତାଳଚେର ପୌରପାଳିକାର ସ୍ବେରେଜ୍‌ ପ୍ଲାଣ୍ଟର ଉପଯୁକ୍ତ ପରିଚାଳନା ହେଉନି। ତାଳଚେର ପୌରପାଳିକାର ୨୧ଟି ୱାର୍ଡ ମଧ୍ୟରୁ ୧୨ଟି ୱାର୍ଡ ପାଇଁ ‌ସ୍ବେରେଜ ବୋର୍ଡ ରହିଛି। ସହରରୁ ନିଷ୍କାସିତ ହେଉଥିବା ଡ୍ରେନ୍‌ର ଆବର୍ଜନା ପାଣିକୁ ନେଇ ଏକ କୃତ୍ରିମ ପୋଖରୀ କରାଯାଇଛି। ଏଠାରେ ‌ସହରର ନର୍ଦମା ପାଣି ରହିବା ପରେ ସ୍ବେରେଜ୍‌ ପ୍ଲାଣ୍ଟରେ ପରିଷ୍କାର ହୋଇ ନଦୀରେ ମିଶିବା ବ୍ୟବସ୍ଥା ରହିଛି। ହେଲେ ପୌରପାଳିକା ପକ୍ଷରୁ ଏହାକୁ ଠିକ୍‌ ଭାବେ ପରିଚାଳନା କରାଯାଉନି। ବ୍ରାହ୍ମଣୀର ଜଳକୁ ପାନୀୟ ଜଳ ଭାବେ ସହରବାସୀଙ୍କୁ ଯୋଗାଯାଉଥିବା ବେଳେ ଏହି ପାଣି ବ୍ୟବହାର ଉପଯୋଗୀ ହୋଇ ରହିନଥିବା ଅଭିଯୋଗ ଉଠୁଛି।