ରାଜନଗର: ଜଳବାୟୁ ପରିବର୍ତ୍ତନ ଓ ରାସାୟନିକ ସାରର ବହୁଳ ବ୍ୟବହାର ଯୋଗୁଁ ପରିବେଶ ସନ୍ତୁଳନ ବିଗିଡ଼ି ଯାଉଛି। ମାଟିର ଉର୍ବରତା କମୁଛି। ଅତ୍ୟଧିକ ରାସାୟନିକ ସାର ବ୍ୟବହାର ଯୋଗୁଁ ମଣିଷ ଶରୀର ଉପରେ କୁପ୍ରଭାବ ପଡୁଛି। ପରିବେଶ ସନ୍ତୁଳନ ଫେରାଇ ଆଣିବା ପାଇଁ ବ୍ୟାପକ ବୃକ୍ଷରୋପଣ ସହ ରାସାୟନିକ ସାର ବଦଳରେ ଜୈବିକ ପଦ୍ଧତିରେ ଚାଷ ହିଁ ଏକମାତ୍ର ବିକଳ୍ପ। ଏଭଳି ସ୍ଥିତିରେ ଜଣେ ମହିଳାଙ୍କ ଉଦ୍ୟମ ଯୋଗୁଁ ରାଜନଗର ବ୍ଲକ୍ର ତ୍ରିଲୋଚନପୁର ଗାଁରୁ ଆରମ୍ଭ ହୋଇଛି ଜୈବିକ ପଦ୍ଧତିରେ ଚାଷକାର୍ଯ୍ୟ। ଫସଲ ଫଳିବା ପରେ ଏବେ ଚାଷୀ ମୁହଁରେ ହସ ଫୁଟିଛି।
ରାଜନଗର ବ୍ଲକ୍ ଡାଙ୍ଗମାଳ ପଞ୍ଚାୟତର ତ୍ରିଲୋଚନପୁର ଗାଁରେ ଏବେ ପ୍ରତ୍ୟେକ ପରିବାରର ବାଡ଼ିରେ ଫସଲ ଜୈବିକ ଖତରେ କରାଯାଉଛି। ଗାଁର ସରୋଜ କୁମାର ପାତ୍ରଙ୍କ ପତ୍ନୀ ସବିତା ବେହେରା (୨୫)ଙ୍କ ଉଦ୍ୟମ ଯୋଗୁଁ ଗ୍ରାମରେ ବଡ଼ ପରିବର୍ତ୍ତନ ଆସିପାରିଛି। ସବିତା ନେଚର୍ସ କ୍ଲବ୍ର କ୍ଲାଇମେଟ୍ ଚାମ୍ପିଅନ ଭାବେ ଗତ ୨ବର୍ଷ ତଳୁ ଲୋକଙ୍କୁ ସଚେତନ କରିବା ଆରମ୍ଭ କରିଥିଲେ। ଜୈବିକ ପଦ୍ଧତିରେ ଖତ ପ୍ରସ୍ତୁତ ସହିତ ବୃକ୍ଷରୋପଣ ସମ୍ପର୍କରେ ଘରକୁ ଘର ବୁଲି ସମସ୍ତଙ୍କୁ ସଚେତନ କରିଥିଲେ। ଗାଁ ସ୍କୁଲ୍ ଓ ପ୍ରତ୍ୟେକ ଘରେ ଫଳଚାରା ବଣ୍ଟନ ସହିତ ଜଳବାୟୁ ପରିବର୍ତ୍ତନ ଓ ବୃକ୍ଷରୋପଣର ଆବଶ୍ୟକତା ସମ୍ପର୍କରେ ବୁଝାଇଥିଲେ। ଏଥିସହିତ ରାସାୟନିକ ସାର ଓ କୀଟନାଶକ ବ୍ୟବହାର ପରିବର୍ତ୍ତେ ଜୈବିକ ପଦ୍ଧତିରେ ଖତ ପ୍ରସ୍ତୁତ କରି ତାକୁ ଚାଷଜମି ଓ ବାଡ଼ି ବଗିଚାରେ ବ୍ୟବହାର କରିବା ପାଇଁ ବୁଝାଇଥିଲେ। ଏକ କେଜି ନିମ୍ବପତ୍ର, ଏକ କେଜି ଅରଖପତ୍ର, ୧ କେଜି କରଞ୍ଜପତ୍ର, ୫ ଲିଟର ଗୋମୂତ୍ର, ୨ କେଜି ଗୋବର, ୫୦ ଗ୍ରାମ ଗୁଡ଼, ୫୦ ଗ୍ରାମ ବେସନକୁ ନେଇ ଗୋଟିଏ ଏକର ଜମି ପାଇଁ ଖତ ପ୍ରସ୍ତୁତ ହୋଇପାରୁଛି। ତିନି ପ୍ରକାର ପତ୍ରକୁ ଟିକିଟିକି କରି କାଟିବା ପରେ ସେଥିରେ ଗୋମୂତ୍ର, ଗୋବର, ଗୁଡ଼, ବେସନ ଗୋଳାଇ କୁଣ୍ତରେ ରଖାଯାଉଛି। ମୁହଁ ବନ୍ଧା ହୋଇ ୧୦ଦିନ ରଖାଯିବା ସହ ପ୍ରତିଦିନ ୨ଥର ଏହାକୁ ଗୋଳା ଯାଇଥାଏ।
୧୦ଦିନ ପରେ ୨୫୦ ଗ୍ରାମ ଏହି ଖତରେ ୧୫ ଲିଟର ପାଣି ମିଶାଇ ଫସଲରେ ବ୍ୟବହାର କରାଯାଇଥାଏ। ଏହି ଖତ ଚାଷ ଜମିରେ ଓ ବାଡ଼ି ବଗିଚାରେ ବ୍ୟବହାର କରିବା ପରେ ଭଲ ଫସଲ ଫଳି ପାରୁଛି। ସବିତାଙ୍କ ଏହି ପ୍ରୟାସ ସଫଳ ରୂପ ନେଇଛି। ଏହି ଗାଁର ଶୁଭଲକ୍ଷ୍ମୀ ଗିରି ଓ ଅର୍ଚ୍ଚନା ଗିରିଙ୍କ କହିବା କଥା ହେଲା ସବିତାଙ୍କ ଉଦ୍ୟମ ଫଳରେ ଆମେ ସଚେତନ ହୋଇପାରିଛୁ। ଆମ ଘରେ ଆମେ ଜୈବିକ ଖତ ପ୍ରସ୍ତୁତ କରି ବାଡ଼ି ବଗିଚା ଓ ଜମିରେ ବ୍ୟବହାର କରୁଛୁ। ନିଜ ବାଡ଼ିରେ ଗଛ ଲଗାଇବା ସହ ଯତ୍ନର ସହ ବଢ଼ାଉଛୁ। ବୃକ୍ଷରୋପଣ ଆମକୁ ଏ ବିପତ୍ତିରୁ ରକ୍ଷା କରିପାରିବ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/J8HIoBWY18TrNLrFQNgK.jpg)