ଗତବର୍ଷ ବିଶ୍ବର କେବଳ ସାତଟି ଦେଶରେ ହିଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବଲ୍ୟୁଏଚ୍‌ଓ) ଦ୍ବାରା ନିର୍ଦ୍ଧାରିତ ବାୟୁ ଗୁଣବତ୍ତା ମାନଦଣ୍ଡ ପୂରଣ ହୋଇଥିଲା। ଏଥି ସହିତ ଧୂଆଁ-କୁହୁଡ଼ି ମିଶ୍ରଣ (ସ୍ମଗ୍‌) ବିରୋଧୀ ଲଢ଼େଇରେ ଆମେରିକା ତାହାର ବିଶ୍ବବ୍ୟାପୀ ତଦାରଖ ପ୍ରୟାସ ବନ୍ଦ କରିବା ପରେ ତାହା ଆହୁରି କଷ୍ଟକର ହେବ ବୋଲି ଗବେଷକମାନେ ଚେତାବନୀ ଦେଇଛନ୍ତି। ୨୦୨୪ ମସିହାରେ ଚାଦ୍‌ ଓ ବାଂଲାଦେଶ ସବୁଠୁ ପ୍ରଦୂଷିତ ଦେଶ ଥିଲେ। ସେଠାରେ ହାରାହାରି ସ୍ମଗ୍‌ ସ୍ତର ଡବ୍‌ଲ୍ୟୁଏଚ୍‌ଓ ନିର୍ଦ୍ଧାରିତ ପରିମାଣଠାରୁ ୧୫ ଗୁଣ ଅଧିକ ରହିଥିଲା ବୋଲି ସ୍ବିଜରଲାଣ୍ଡର ବାୟୁ ଗୁଣବତ୍ତା ତଦାରଖ ସଂସ୍ଥା ‘ଆଇକ୍ୟୁଏୟାର’ ଦ୍ବାରା ସଂକଳିତ ତଥ୍ୟରୁ ଜଣାଯାଇଛି। କେବଳ ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ, ବାହାମାସ, ବାର୍ବାଡୋସ, ଗ୍ରେନେଡା, ଇଷ୍ଟୋନିଆ ଓ ଆଇସ୍‌ଲାଣ୍ଡରେ ସ୍ମଗ୍‌ ସ୍ତର ଡବ୍‌ଲ୍ୟୁଏଚ୍‌ଓ ମାନ ଅନୁଯାୟୀ ଠିକ୍ ରହିଥିଲା। 

Advertisment

ଚାଦ୍‌ରେ ଗତବର୍ଷ ପିଏମ୍‌୨.୫ କଣିକାର ହାରାହାରି ସାନ୍ଦ୍ରତା ଘନମିଟର ପିଛା ୯୧.୮ ମାଇକ୍ରୋଗ୍ରାମ ଛୁଇଁଥିଲା। ଡବଲ୍ୟୁଏଚ୍‌ଓ ପକ୍ଷରୁ ଘନମିଟର ପିଛା ୫ ମାଇକ୍ରୋଗ୍ରାମରୁ କମ୍‌ ପିଏମ୍‌୨.୫ କଣିକା ସୁପାରିସ କରାଯାଇଥିବା ବେଳେ ଗତବର୍ଷ କେବଳ ୧୭% ସହର ତାହା ହାସଲ କରିଥିଲେ। ସ୍ମଗ୍‌ ସ୍ତର ସୂଚକାଙ୍କରେ ଚାଦ୍‌, ବାଂଲାଦେଶ, ପାକିସ୍ତାନ ଓ କଙ୍ଗୋ ପଛକୁ ପଞ୍ଚମ ସ୍ଥାନରେ ରହିଥିବା ଭାରତରେ ଗତବର୍ଷ ହାରାହାରି କଣିକା ସ୍ତର ୭% ହ୍ରାସ ପାଇ ଘନମିଟର ପିଛା ୫୦.୬ ମାଇକ୍ରୋଗ୍ରାମ୍‌ ରହିଥିଲା। ମାତ୍ର ଦେଶର ୧୨ଟି ସହର ବିଶ୍ବର ଶୀର୍ଷ ୨୦ ପ୍ରଦୂଷିତ ସହର ତାଲିକାରେ ସ୍ଥାନ ପାଇଛନ୍ତି।

ମେଘାଳୟର ବାଇର୍ଣ୍ଣିହାଟ ସହର ପ୍ରଥମ ସ୍ଥାନ ନେଇଛି, ଯାହାର କଣିକା ସ୍ତର ଘନମିଟର ପିଛା ୧୨୮ ମାଇକ୍ରୋଗ୍ରାମ। ଦକ୍ଷିଣ-ପୂର୍ବ ଏସିଆ ଓ ଦକ୍ଷିଣ ଆମେରିକାର କିଛି ଅଂଶରେ ପ୍ରବଳ ତଥା ଦୀର୍ଘକାଳୀନ ବନାଗ୍ନି ସହିତ ଜଳବାୟୁ ପରିବର୍ତ୍ତନ ପ୍ରଦୂଷଣ ବୃଦ୍ଧି କରିବାରେ ପ୍ରମୁଖ ଭୂମିକା ନିର୍ବାହ କରୁଛି। ଅଧିକାଂଶ ବିକାଶଶୀଳ ଦେଶ ସ୍ମଗ୍‌ ସ୍ତର ନିରୀକ୍ଷଣ କରିବା ପାଇଁ ଆମେରିକୀୟ ଦୂତାବାସ ଓ କନ୍‌ସୁଲେଟ୍‌ କୋଠାରେ ଲଗାଯାଇଥିବା ବାୟୁ ଗୁଣବତ୍ତା ସେନ୍‌ସର ଉପରେ ନିର୍ଭର କରି ଆସୁଥିବା ବେଳେ ଆମେରିକାର ବିଦେଶ ମନ୍ତ୍ରଣାଳୟ ଉକ୍ତ ଯୋଜନାକୁ ବନ୍ଦ କରିଦେଇଛି। ଗତ ସପ୍ତାହରେ ଆମେରିକା ସରକାରଙ୍କ ବାୟୁ ଗୁଣବତ୍ତା ତଦାରଖ ସାଇଟ୍‌ ‘airnow.gov’ରୁ ୧୭ ବର୍ଷରୁ ଅଧିକ କାଳର ତଥ୍ୟ ହଟାଇ ଦିଆଯାଇଛି। ଏହା ଫଳରେ ଅନ୍ୟୂନ ୩୪ଟି ଦେଶ ନିର୍ଭରଯୋଗ୍ୟ ପ୍ରଦୂଷଣ ତଥ୍ୟରୁ ବଞ୍ଚିତ ହେବେ ଏବଂ ବାୟୁ ପ୍ରଦୂଷଣର ପ୍ରତିକାର ଅଭାବରୁ ସଂପୃକ୍ତ ଦେଶର ଲୋକଙ୍କ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି।