ଦଶପଲ୍ଲା/ନୟାଗଡ଼: ‘ସମ୍ବାଦ’ ଗ୍ରୁପ୍ ପକ୍ଷରୁ ଆରମ୍ଭ ହୋଇଥିବା ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମକୁ ବୁଝିବା ସମସ୍ତଙ୍କ ପାଇଁ ଭିନ୍ନଭିନ୍ନ ହୋଇପାରେ। ମାତ୍ର ପରିବେଶର ସୁରକ୍ଷା ପାଇଁ ସମସ୍ତେ ଏକାଠି ହେବାର ସମୟ ଆସିଛି। ନଚେତ୍ ଜଳବାୟୁ ପରିବର୍ତ୍ତନ ଓ ପରିବେଶ ପ୍ରଦୂଷଣ ପାଇଁ ଜୀବ ଜଗତ ଏତେ ପଛକୁ ପଳାଇବ ଯେ, ଆଉ ସେତେବେଳେ ଚିନ୍ତା କରିବାର କୌଣସି ଅବକାଶ ନଥିବ। ଏଭଳି କାର୍ଯ୍ୟକ୍ରମର ଉଦ୍ଦେଶ୍ୟକୁ ସମସ୍ତେ ନିଜ ଜୀବନଚର୍ଯ୍ୟାରେ ପରିଣତ କରିବା ଆବଶ୍ୟକ ବୋଲି ଆଜି ଦଶପଲ୍ଲା ନିର୍ବାଚନମଣ୍ଡଳୀରେ ଆୟୋଜିତ ‘ପରିବେଶ ପଞ୍ଚାୟତ’ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଧାୟକ ରମେଶ ବେହେରା ଏହା କହିଛନ୍ତି।
ସ୍ଥାନୀୟ କୃଷ୍ଣପ୍ରିୟା ଦେବୀ (କେପିଡି) ଯୁକ୍ତ୨ ମହିଳା ମହାବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଧାୟକ ଶ୍ରୀ ବେହେରା ଆହୁରି କହିଲେ ଯେ, ପରିବେଶ ଜମି ହେଲେ ଆମେ ସମସ୍ତେ ଏହାର ବାଡ଼। ମାତ୍ର ବାଡ଼ ହୋଇ ପରିବେଶର ସୁରକ୍ଷା ଦିଗରେ କାର୍ଯ୍ୟ କରିବା ବଦଳରେ ଏହାକୁ ନଷ୍ଟ କରି ଚାଲିଛେ। ଏଣୁ ଯେଉଁମାନେ ଜଙ୍ଗଲକୁ ନଷ୍ଟ କରୁଛନ୍ତି, ସେମାନଙ୍କୁ କଡ଼ା ବିରୋଧ କରାଯିବାର ଆବଶ୍ୟକତା ରହିଛି। ଏମିତିକି ଥାନାରେ ସେମାନଙ୍କ ନାଁରେ ଏତଲା ଦିଆଯିବାର ଆବଶ୍ୟକତା ରହିଛି। କେବଳ ସେତିକି ନୁହେଁ, ପରିବେଶର ସୁରକ୍ଷା ପାଇଁ ସମସ୍ତେ ନିଜ ଜୀବନଚର୍ଯ୍ୟାରେ ପରିବର୍ତ୍ତନ ଆଣିବା ଆବଶ୍ୟକ। ଏସି, ବାଇକ୍ ଓ କାର୍ କମ୍ ବ୍ୟବହାର କରି ବ୍ୟାଟେରିଚାଳିତ ଗାଡ଼ି କିମ୍ବା ସାଇକଲ୍ ଉପରେ ଗୁରୁତ୍ବ ଦେବା ଆବଶ୍ୟକ। ଆଉ କିଛି ଦିନ ପରେ ‘କୂଅ’ ମଧ୍ୟ ଦେଖିବାକୁ ମିଳିବ ନାହିଁ।
ଏହା ସମସ୍ତଙ୍କ ପାଇଁ ଇତିହାସ ପାଲଟିଯିବ। ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏମିତି ପଡ଼ିଲାଣି ଯେ, ୨୦୦ରୁ ୩୦୦ ଫୁଟ୍ ଖୋଳିଲେ ବି ପାଣି ବାହାରୁନି। ଦିନ ଆସିବ ଭାରତ ମରୁଭୂମିରେ ପରିଣତ ହେଇଯିବ ବୋଲି ବୈଜ୍ଞାନିକମାନେ ମତ ରଖିଲେଣି। ‘ସମ୍ବାଦ’ ଗ୍ରୁପ୍ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ପରିବେଶ ଦିଗରେ ଚିନ୍ତା କରିବା ପାଇଁ ସମସ୍ତଙ୍କୁ ଏକ ପ୍ରକାର ବାଧ୍ୟ କରିଛି। ଏଣୁ ପରିବେଶ ସୁରକ୍ଷା ଦିଗରେ ସମସ୍ତେ ଏକାଠି ହେବାକୁ ବିଧାୟକ ଶ୍ରୀ ବେହେରା ସମସ୍ତଙ୍କୁ ଆହ୍ବାନ ଦେଇଥିଲେ। ସମ୍ବାଦ ସାହିତ୍ୟଘର ସଭାପତି ସନ୍ତୋଷ କୁମାର ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦଶପଲ୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନନ୍ଦା ସାହୁ, ବ୍ଲକ୍ ଶିକ୍ଷା ଅଧିକାରୀ ଭକ୍ତିବିନୋଦ ସଲ, କେପିଡି କଲେଜ ଅଧ୍ୟକ୍ଷା ଡ. ପୂର୍ଣ୍ଣମାସୀ ଦେବୀ, ଏନ୍ଏସି ଉପାଧ୍ୟକ୍ଷ କିଶୋର ଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ପରିବେଶ ସୁରକ୍ଷା ଦିଗରେ ନିଜର ମତାମତ ରଖିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/ksH0fv8MWaxKSzIWN9Tb.jpg)