ରାଉରକେଲା: ବିଦେଶୀ ଅତିଥିପକ୍ଷୀଙ୍କ କଳରବରେ ଫାଟି ପଡୁଥିଲା ରାଉରକେଲା ସହରର ମୁଖ୍ୟବଜାର। କେହି କେହି ଏହି ପ୍ରଜାତିର ପକ୍ଷୀମାନଙ୍କୁ ‘ବୁଲ୍‌ବୁଲ୍‌’ ଆଉ କେହି ‘ବର୍ଣ୍ଣ ସାଲୋ’ ବୋଲି କହୁଥି‌େଲ। ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ବଦଳିଯାଇଛି ଏମାନଙ୍କ ଠିକଣା। ରାଉରକେଲା ସହରଛାଡ଼ି କେଉଁଆଡେ ଚାଲିଯାଇଛନ୍ତି। ଗତ ୫ ବର୍ଷ ହେଲା ସହରକୁ ଆଉ ଆସୁନାହାନ୍ତି। ସହରର ବାୟୁ ଓ ଶବ୍ଦ ପ୍ରଦୂଷଣ କାରଣରୁ ଏମାନେ ଆଉ ଆସୁନଥିବା ଆଶଙ୍କା କରାଯାଉଛି। ଏହି ପକ୍ଷୀକୁ ସାଉଦିଆରବ ଆବାଦୀ ପକ୍ଷୀ ବୋଲି ସ୍ଥାନୀୟ ଅଞ୍ଚଳବାସୀ କହୁଥିଲେ। ୪୩ ବର୍ଷ ଧରି ସହରର ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଥବା ଏହି ପକ୍ଷୀଙ୍କ ଠିକଣା ଏବେ କେଉଁଠି କାହାରି ପାଖରେ ଉତ୍ତର ନାହିଁ।

Advertisment

ବିଦ୍ୟୁତ୍‌ ତାର ଉପରେ ବସିବାର ଶୈଳୀ ଏବଂ ରାତିରେ ମୁଖ୍ୟ ବଜାରର ଶୋଭାବର୍ଦ୍ଧନ କରୁଥିବା ଏହି ପ୍ରଜାତିର ପକ୍ଷୀମାନଙ୍କର ଅନେକ ଫଟୋ ଏବେ ସହରବାସୀଙ୍କ ଘରକାନ୍ଥରେ ଶୋଭାପାଉଛି।  ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ରେ କାମ କରୁଥିବା ରୁଷିଆ, ଇଂଲଣ୍ଡ, ଜାପାନର ଇଞ୍ଜିନିୟରମାନେ ମୁଖ୍ୟ ବଜାରକୁ ଆସିଲେ ଏମାନଙ୍କୁ ଦେଖିବାକୁ ଘଡ଼ିଏ ଅଟକି ଯାଉଥିଲେ। ବୁଲ୍‌ବୁଲ୍‌ ଛାଡ଼ି ଚାଲିଯିବାପରେ ମୁଖ୍ୟବଜାରରୁ ଲକ୍ଷ୍ମୀ ଛାଡ଼ିଗଲା ବୋଲି କିଛି ବ୍ୟବସାୟୀ ମତ ଦିଅନ୍ତି। ଏହି ପ୍ରଜାତିର ପକ୍ଷୀ ଝାଡ଼ଖଣ୍ଡର ପୁରୁଣା ଟାଟା ସହରରେ ମଧ୍ୟ ଦେଖାଯାଉଥିଲେ। ସେଠି ମଧ୍ୟ ଦେଖିବାକୁ ମିଳୁନି। 

ରାଉରକେଲା ଇସ୍ପାତ କାରଖାନା ପ୍ରତିଷ୍ଠା ହେବାର କିଛି ବର୍ଷ ପରେ ସହରର ମୁଖ୍ୟ ମାର୍ଗ ଗଢ଼ି ଉଠିଲା। ୧୯୭୨ ବେଳକୁ ବିଦେଶୀ ପକ୍ଷୀ ବୁଲ୍‌ବୁଲ୍‌ଙ୍କ ଆଗମନ ହୋଇଥିଲା। ବିଶେଷକରି ଶୀତ ଦିନେ ଅର୍ଥାତ୍‌ ଅକ୍ଟୋବର ମାସ ଆରମ୍ଭରେ ସହରକୁ ଆସୁଥିଲେ। ଫେବ୍ରୁଆରି ଦ୍ବିତୀୟ ସପ୍ତାହରେ ପୁଣି ବିଦେଶକୁ ଫେରିଯାଉଥିଲେ। ୫ ମାସ ସହରରେ ରହୁଥିଲେ। ମୁଖ୍ୟ ମାର୍କେଟ ନିକଟସ୍ଥ ମସ୍‌ଜିଦ୍‌ ଚତୁଃପାର୍ଶ୍ବ ଥିଲା ସୁରକ୍ଷିତ ସ୍ଥାନ। ସଂଧ୍ୟା ୬ଟା ବାଜିଲେ ମାତ୍ରେ ନିଡ଼କୁ ଫେରିଲା ପରି ମସ୍‌ଜିଦ୍‌ ଚତୁଃପାର୍ଶ୍ବ ବିଦ୍ୟୁତ୍‌ ତାର ଉପରେ ଲମ୍ବା ଧାଡ଼ିବାନ୍ଧି ବସୁଥିଲେ। ରାତିତମାମ ବିଦ୍ୟୁତ୍‌ ତାରର ଉଭୟପାର୍ଶ୍ବରେ ପରସ୍ପରରକୁ ମୁହଁ କରି ବସୁଥିଲେ। ଭୋର ସାଢ଼େ ୪ଟାରେ ଖାଦ୍ୟ ଅନ୍ବେଷଣରେ ଚାଲିଯାଉଥିଲେ। ମସ୍‌ଜିଦ୍‌ ପରେ  ନାଲାରୋଡ୍‌ ମାର୍କେଟ, ପୁରୁଣା ଟ୍ୟାକ୍ସିଷ୍ଟାଣ୍ଡ, ପୁରୁଣା ବସ୍‌ଷ୍ଟାଣ୍ଡ ମାର୍କେଟ ସମ୍ମୁଖରେ ଯାଇଥିବା ବିଦ୍ୟୁତ୍ ତାର‌ରେ ବସିବା ଆରମ୍ଭ କରିଥିଲେ। ବିଶ୍ରାରୋଡ ରାଧିକା ହୋଟେଲ ପର୍ଯ୍ୟନ୍ତ ପ୍ରାୟ ୪ କି.ମି. ପର୍ଯ୍ୟନ୍ତ ଧାଡ଼ିବାନ୍ଧି ବସୁଥିଲେ। ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ କହିଛନ୍ତି, ଜଳବାୟୁ ପରିବର୍ତ୍ତନ ପାଇଁ ଏମାନଙ୍କ ଠିକଣା ବଦଳିଛି। ଏମାନଙ୍କ ଠିକଣା ଏବେ କେଉଁଠି ଆମ ପାଖରେ ସୂଚନା ନାହିଁ। ସ୍ଥାନୀୟ ବ୍ୟବସାୟୀ ଇଜାଜ୍‌ ଅଖତାର କହିଛନ୍ତି, ଏହି ପ୍ରଜାତିର ପକ୍ଷୀ ସହର ଶୋଭାବର୍ଦ୍ଧନ କରୁଥିଲା। ଗତ ୫ ବର୍ଷ ଧରି  ସହରରେ ଗୋଟିଏ ହେଲେ ପକ୍ଷୀଙ୍କୁ ଦେଖିବାକୁ ମିଳୁନି। ପକ୍ଷୀ ଯିବା ପରେ ସହରର ମୁଖ୍ୟବଜାରରେ ପୂର୍ବପରି ବ୍ୟବସାୟ ହେଉନି।