କେନ୍ଦ୍ରାପଡ଼ା: ନଦୀନାଳରେ ପରିପୂର୍ଣ୍ଣ କେନ୍ଦ୍ରାପଡ଼ା ଜିଲ୍ଲା। ପ୍ରକୃତିର ବିସ୍ମୟ ଭିତରକନିକା ଏଇଠି ଅଛି। କିନ୍ତୁ ବିକାଶ ନାମରେ ଦ୍ରୁତ ଶିଳ୍ପାୟନ ସାଙ୍ଗକୁ ଜଳବାୟୁ ପରିବର୍ତ୍ତନ ଏବେ ଆମ ପାଇଁ ବଡ଼ ବିପଦ ହୋଇଛି। ମାଟି ତଳେ ପାଣି ନାହିଁ। ଜଙ୍ଗଲ କ୍ଷୟ ହେଉଛି। ବର୍ଷା ଦିନେ ଭୀଷଣ ଗରମ, ଗୁଳୁଗୁଳି ଅନୁଭୂତ ହେଉଛି। ମାଳମାଳ ନଈ ସାଙ୍ଗକୁ ସମୁଦ୍ର ଥାଇ ବି କେନ୍ଦ୍ରାପଡ଼ାରେ ଭୂତଳ ଜଳସ୍ତର ସଙ୍ଗିନ୍‌ ସ୍ଥିତିରେ ପହଞ୍ଚିଛି। ପ୍ରାକୃତିକ ଦୁର୍ବିପାକରୁ ସୁରକ୍ଷା ଦେଉଥିବା ହେନ୍ତାଳବଣ କ୍ରମଶଃ ପଦା ହେବାରେ ଲାଗିଛି। ଏହା ଆମ ପାଇଁ ସତର୍କ ଘଣ୍ଟି। ତେଣୁ ପରିବେଶ ସୁରକ୍ଷା ଦିଗରେ ସଚେତନ ନହେଲେ ପ୍ରକୃତିର କୋପ ଆଗରେ ଆମେ କେହି ବର୍ତ୍ତିପାରିବା ନାହିଁ ବୋଲି ମହାକାଳପଡ଼ା ନିର୍ବାଚନମଣ୍ତଳୀର ବଡ଼କୂଳ ପଞ୍ଚାୟତର ଲୁଣା ନଦୀକୂଳରେ ‘ସମ୍ବାଦ’ ଗ୍ରୁପ୍‌ ପକ୍ଷରୁ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ଯୋଗଦେଇ ବିଶିଷ୍ଟ ଅତିଥିମାନେ ଏଭଳି ମତବ୍ୟକ୍ତ କରିଛନ୍ତି।

Advertisment

ମହାକାଳପଡ଼ା ବିଧାୟକ ଡକ୍ଟର ଦୁର୍ଗାପ୍ରସନ୍ନ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଆମ ଜୀବନଶୈଳୀରେ ଦୈନନ୍ଦିନ ଯେତିକି ପରିବର୍ତ୍ତନ ଆସୁଛି, ସେହି ଅନୁପାତରେ ପରିବେଶ ପ୍ରତି ସ˚କଟ ବଢ଼ିବାରେ ଲାଗିଛି। ବିକାଶ ନାମରେ ପରିବେଶ ନଷ୍ଟ ହେଉଛି। ମହାକାଳପଡ଼ାବାସୀଙ୍କ ଜୀବନ ହେଉଛି ଧାନ ଆଉ ମୀନ। କିନ୍ତୁ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏହା ଉପରେ ପଡ଼ୁଛି। କ୍ଷେତକୁ ଲୁଣି ପାଣି ମାଡ଼ି ଯାଉଥିବାରୁ ଧାନ ଚାଷ ହେଉନାହିଁ।  ଚିଙ୍ଗୁଡ଼ି ଚାଷ ଯୋଗୁ ପରିବେଶ ପ୍ରଦୂଷିତ ହେଉଛି।  ବେଉସା ବଞ୍ଚିବା ସହିତ ପରିବେଶ ସୁରକ୍ଷିତ ରହୁ। ଏକ ସନ୍ତୁଳିତ ପରିବେଶ ଭିତରେ ବଞ୍ଚିବାକୁ ହେଲେ ଆମ ଚାରିପାଖରେ ଅତି କମ୍‌ରେ ୩୦ରୁ ୩୫ପ୍ରତିଶତ ଜଙ୍ଗଲ ରହିବାର ଆବଶ୍ୟକତା ରହିଛି। ଏଣୁ ପ୍ରତ୍ୟେକ ବ୍ୟକ୍ତି ଗଛ ଲଗାଇବାର ବ୍ରତୀ ହୁଅନ୍ତୁ। ଆପଣମାନେ ଯେତିକି ସ˚ଖ୍ୟାରେ ମୋତେ ଭୋଟ୍‌ ଦେଇ ଆଶୀର୍ବାଦ କରିଛନ୍ତି, ତାହାର ଦୁଇ ଗୁଣ ଗଛ ଅନ୍ତତଃପକ୍ଷେ ଗୋଟିଏ ବର୍ଷରେ ଗଛ ଲଗାଇବାକୁ ସ˚କଳ୍ପ ନିଅନ୍ତୁ। ତେବେ ଯାଇ ଆମେ ଏକ ସନ୍ତୁଳିତ ପରିବେଶ ଭିତରେ ବଞ୍ଚିପାରିବା ବୋଲି ଡକ୍ଟର ନାୟକ କହିବା ସହିତ ‘ସମ୍ବାଦ’ର ଏଭଳି ନିଆରା କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶ˚ସା କରିଥିଲେ।

ସମ୍ମାନିତ ଅତିଥି ଭାବେ ସମାଜସେବୀ ଅମିୟ କୁମାର ନାୟକ କହିଲେ ପରିବେଶ ସୁରକ୍ଷାର ଏକମାତ୍ର ଉପାୟ ହେଉଛି ଗଛ ଲଗାଇବା। ଗୋଟିଏ ଗଛ ଲଗାଇବା ଯାହା, ଶିବଙ୍କୁ ଆରାଧନା କରିବା ତାହା। ତେଣୁ ପରିବେଶ ସୁରକ୍ଷା ଦିଗରେ କାମ କରି ମଧୢ ଆମେ ଈଶ୍ବର ପ୍ରାପ୍ତି ହୋଇପାରିବା। ଅନ୍ୟତମ ଅତିଥି ଭାବେ ସରୋଜକାନ୍ତ ସାହୁ କହିଲେ ସା˚ପ୍ରତିକ ସମୟରେ ପ୍ଲାଷ୍ଟିକ୍‌ ଆମ ପାଇଁ ସବୁଠୁ ବଡ଼ ବିପଦ ହୋଇଛି। ଏହାଦ୍ବାରା ପରିବେଶ ଭୀଷଣ ମାତ୍ରାରେ ପ୍ରଦୂଷିତ ହେଉଛି। ପାଣି ପବନ ସୁରକ୍ଷିତ ରହିଲେ ଆମେ ସୁରକ୍ଷିତ ରହିପାରିବା। ବଡ଼କୂଳ ପଞ୍ଚାୟତର ସରପଞ୍ଚ ପ୍ରଜ୍ଞା ପାରମିତା କର କହିଲେ ବିକାଶ ନାମରେ ଆମେ ପରପିଢ଼ି ପାଇଁ ଏକ ପ୍ରଦୂଷିତ ପରିବେଶ ଛାଡ଼ି ଦେଇଯିବା ନାହିଁ। ଆମ ପାଇଁ ପରିବେଶ ସୁରକ୍ଷା ବଡ଼ ଆହ୍ବାନ ହୋଇଛି। ଏହାର ମୁକାବିଲା ପାଇଁ ବ୍ୟାପକ ବୃକ୍ଷରୋପଣ କରିବା। ପରିବାରର ପିଲାଙ୍କ ଲାଳନପାଳନ ଭଳି ପ୍ରତି ଗଛର ଯତ୍ନ ନେବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ।