ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପରିବେଶ ସୁରକ୍ଷା ପାଇଁ ଚିନ୍ତିତ ଅଛନ୍ତି। ଆମକୁ ମଧ୍ୟ ପରିବେଶ ସୁରକ୍ଷା ଓ ସନ୍ତୁଳନ ଉପରେ ଗୁରୁତ୍ବ ଦେବାକୁ ହେବ ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଛନ୍ତି। ‘ଫ୍ୟୁଚର ପ୍ରୁଫ୍‌ ଏଣ୍ଟର୍‌ପ୍ରାଇଜେସ୍‌: ରି ଇମାଜିନିଂ ଷ୍ଟାର୍ଟଅପ୍‌ସ ଫର ଦି ଫ୍ୟୁଚର୍‌’ ଅଧିବେଶନକୁ ସମ୍ବୋଧିତ କରି ସେ କହିଥିଲେ ଯେ ରାଜ୍ୟ ସରକାର ପରିବେଶ ଅନୁକୂଳ ଶିଳ୍ପକୁ ଗୁରୁତ୍ୱ ଦେଉଛନ୍ତି। ଖାଦ୍ୟ ପ୍ରକ୍ରିୟାକରଣ, ଇଭି, ସେମିକଣ୍ଡକ୍ଟର, ଅକ୍ଷୟ ଶକ୍ତି, ଗ୍ରୀନ ହାଇଡ୍ରୋଜେନ ଓ ଗ୍ରିନ ଅମୋନିଆ ଭଳି ନୂଆ ପିଢ଼ିର ଶିଳ୍ପ ଉପରେ ଧ୍ୟାନ ଦିଆଯାଉଛି। ସେପଟେ ୨୦୧୬ ପରଠାରୁ ୯ ବର୍ଷ ମଧ୍ୟରେ ଦେଶରେ ଷ୍ଟାର୍ଟଅପ ବ୍ୟବସ୍ଥାରେ ୧୬ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଏ କ୍ଷେତ୍ରରେ ଓଡ଼ିଶା ଏକ ନମ୍ବର ସ୍ଥାନରେ ପହଞ୍ଚିବାକୁ ଚାହୁଁଛି। କନ୍ଦମୂଳ, ସୂର୍ଯ୍ୟମୁଖୀ, ପଣସ ଓ ଟମାଟୋ ଉତ୍ପାଦନରେ ଓଡ଼ିଶା ଆଗରେ ରହିଛି। ଏହି ସବୁ ଜିନିଷର ପ୍ରକ୍ରିୟାକରଣ ପାଇଁ କାରଖାନା ସ୍ଥାପନ ଲାଗି ଉଦ୍ୟମ କରିବାକୁ ସେ ରାଜ୍ୟର ଯୁବବର୍ଗଙ୍କୁ ଆହ୍ବାନ ଦେଇଥିଲେ।  

Advertisment

ପରବର୍ତ୍ତୀ ପ୍ୟାନେଲ୍‌ ଆଲୋଚନାରେ  ଏଆଇସି ନାଳନ୍ଦାର ସିଇଓ ଦୁର୍ଗା ପ୍ରସାଦଙ୍କ ସଂଯୋଜନାରେ ଅନୁଷ୍ଠିତ ଅଧିବେଶନରେ ବକ୍ତା ଭାବେ ଆଇଲାଇନ୍‌ର ପ୍ରତିଷ୍ଠାତା ପ୍ରକାଶ ଦ୍ବିବେଦୀ, ଭାରତ କ୍ଲାଇମେଟ୍‌ ଷ୍ଟାର୍ଟଅପ୍‌ର ପ୍ରତିଷ୍ଠାତା ଓ ସିଇଓ ଶ୍ୱେତା ଡାଲମିଆ ଓ ଗୋକାର୍ବନପଜିଟିଭ୍‌ର ସିଇଓ ଦେବଦର୍ଶନ ମହାନ୍ତି ଯୋଗ ଦେଇଥିଲେ। ଏକ ଷ୍ଟାର୍ଟଅପ ଗଠନ କରିବା ପାଇଁ ନବସୃଜନ ଓ ବ୍ୟାପକତା ଉପରେ ଧ୍ୟାନ ଦେବାର ଆବଶ୍ୟକତା ଉପରେ ସେମାନେ ମତ ରଖିଥିଲେ। ନୂଆ ପ୍ରଯୁକ୍ତିର ନବସୃଜନ ଓ ସ୍ଥାନୀୟ ଅଞ୍ଚଳରେ ତାହାର କାର୍ଯ୍ୟକାରିତା ଉପରେ ଗୁରୁତ୍ବ ଦେବାକୁ ସେମାନେ ଆହ୍ବାନ ଦେଇଥିଲେ। ଏକ ସଫଳ ଷ୍ଟାର୍ଟଅପ ଗଠନ ପାଇଁ ପାଣ୍ଠି ଆବଶ୍ୟକତା ଓ ନୀତି ନିୟମରେ ସହାୟତାର ଆବଶ୍ୟକତା ରହିଛି ବୋଲି ଅତିଥି ବକ୍ତାମାେନ ମତ ରଖିଥିଲେ।