ମାଲକାନଗିରି: ବାଉଁଶ ବଣରେ ଭର୍ତ୍ତି ହୋଇଥିଲା ମାଲକାନଗିରି ଜିଲ୍ଲା। ଅନୁକୂଳ ପରିବେଶ ଯୋଗୁଁ ହଜାର ହଜାର ହେକ୍ଟର ବାଉଁଶ ବଣ ଆପେ ଆପେ ସୃଷ୍ଟି ହୋଇଥିଲା। ତେଣୁ ବିଭିନ୍ନ ଶିଳ୍ପ ସଂସ୍ଥା ବାଉଁଶ ପାଇଁ ମାଲକାନଗିରି ଜିଲ୍ଲା ଉପରେ ନିର୍ଭର କରୁଥିଲେ। ତେବେ ଭବିଷ୍ୟତ ପ୍ରତି ଧ୍ୟାନ ଦିଆଗଲା ନାହିଁ। ଯାହାଫଳରେ ପଦା ହୋଇଯାଇଛି ବାଉଁଶ ବଣ। କାଲିମେଳା ଓ ଚିତ୍ରକୋଣ୍ଡା ବ୍ଲକରେ ଏବେ କାଁ ଭାଁ ବାଉଁଶ ଜଙ୍ଗଲ ଦେଖିବାକୁ ମିଳୁଛି। ଏମିତି ପରିସ୍ଥିତିରେ କରଡ଼ି ପାଇଁ ବାଉଁଶ ଗଜାକୁ ମୂଳରୁ କାଟି ଦେବା କାରଣରୁ ନୂଆ ଜଙ୍ଗଲ ସୃଷ୍ଟିରେ ବାଧା ଉପୁଜିଛି। 

Advertisment

ବର୍ଷା ଦିନେ ବାଉଁଶ ଗଜା ହୁଏ। ଏହି ଗଜା (କରଡ଼ି) ଆଦିବାସୀଙ୍କ ଖାଦ୍ୟ ଅଭାବକୁ ବହୁ ବର୍ଷ ହେଲା ପୂରଣ କରିଆସୁଛି। ତେବେ ଲୋକଙ୍କ ବଦଳିଥିବା ଖାଦ୍ୟାଭାସରେ କରଡ଼ି ଗୋଟିଏ ସୁସ୍ବାଦୁ ବ୍ୟଞ୍ଜନ ଭାବେ ସ୍ଥାନ ପାଇଛି। ତେଣୁ ସମସ୍ତ ବର୍ଗ ବର୍ଷା ଦିନେ ପ୍ରଚୁର ପରିମାଣରେ କରଡ଼ି ଖାଇବା ଆରମ୍ଭ କରିଛନ୍ତି। ଏଥିପାଇଁ ବାଉଁଶ ଗଜାକୁ କାଟି ଆଣୁଛନ୍ତି। ପରିବେଶର ସୁରକ୍ଷାକୁ ଅଣଦେଖା କରି ଗଜା କଟା ଚାଲିଥିଲା ବେଳେ ଏଥିରେ ରୋକ ଲାଗିପାରୁନି। ଏହାବ୍ୟତୀତ ଘରସଜ୍ଜା ପାଇଁ ବାଉଁଶ ସାମଗ୍ରୀ ଚାହିଦା ଯଥେଷ୍ଟ ବଢ଼ିଛି। ଏଥିପାଇଁ ଜଙ୍ଗଲରୁ ପ୍ରଚୁର ବାଉଁଶ କଟାଯାଉଛି।
ଦିନେ ମାଲକାନଗିରି ଜିଲ୍ଲା‌ର ୧ଲକ୍ଷ ହେକ୍ଟରରୁ ଊର୍ଦ୍ଧ୍ବ ଜମିରେ ବାଉଁଶ ଜଙ୍ଗଲ ରହିଥିଲା। ଏବେ ଜଙ୍ଗଲ ପରିମାଣ ଅଧାକୁ ଖସିଆସିଛି। ବନ ବିଭାଗ ନିକଟରେ ବି କେତେ ବାଉଁଶ ବଣ ରହିଛି ତାହାର ସଠିକ୍‌ ରିପୋର୍ଟ ନାହିଁ। ବନ ବିଭାଗର ଜଣେ ଅଧିକାରୀଙ୍କ କହିବା ଅନୁସାରେ ପ୍ରାୟ ୫୦ହଜାର ହେକ୍ଟର ବାଉଁଶ ଜଙ୍ଗଲ ରହିଛି। କିନ୍ତୁ ପରିବେଶବିତ୍‌ ଏହାକୁ ଗ୍ରହଣ କରିପାରୁନାହାନ୍ତି।

ବନ ବିଭାଗର କାଗଜକଲମରେ ଏହି ଜଙ୍ଗଲ ବଞ୍ଚିଛି। ବାସ୍ତବତା ହେଲା ବାଉଁଶ ବଣର ସାନ୍ଦ୍ରତା କମିଯାଇଛି। ବାଉଁଶ ଉପରେ ଜୀବିକା ନିର୍ଭର କରୁଥିବା କୁଶଳୀ କରିଗର ମଧ୍ୟ ଏବେ ହାତବାନ୍ଧି ବସିଛନ୍ତି। ବହୁ ବର୍ଷର ଅବହେଳା ଯୋଗୁଁ ଏବେ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କଲେ ସୁଦ୍ଧା ନୂଆ ଜଙ୍ଗଲ ସୃଷ୍ଟି ହୋଇପାରିବ ନାହିଁ ବୋଲି ମତ ପ୍ରକାଶ ପାଇଛି। ବାଉଁଶ ଜଙ୍ଗଲ ନଷ୍ଟ ଯୋଗୁଁ ପରିବେଶର ହେଉଥିବା ବିପୁଳ କ୍ଷତିକୁ ରୋକିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଭାରତୀୟ ଜୀବ କଲ୍ୟାଣ ବୋର୍ଡର ଜୀବ ମଙ୍ଗଳ ଅଧିକାରୀ ରାମକୃଷ୍ଣ ଚୌଧୁରୀ। ଜଙ୍ଗଲରୁ କରଡ଼ି ସଂଗ୍ରହରେ ରୋକ ଲଗାଇବା ନିମନ୍ତେ ଜିଲ୍ଲା ବନ ଅଧିକାରୀଙ୍କ ସମେତ ସରକାରଙ୍କୁ ପତ୍ର ଲେଖିଛନ୍ତି।