ତାଳଚେର: ପରିବେଶ ଏବେ ସାରା ବିଶ୍ବ ପାଇଁ ଏକ ବଡ଼ ସମସ୍ୟା ଭାବେ ଛିଡ଼ା ହୋଇଛି। ଏକଥା ସମସ୍ତେ ଜାଣୁଛନ୍ତି, ହେଲେ ପାଟି ଖୋଲୁ ନାହାନ୍ତି। ଏଣୁ ଆଗାମୀ ପିଢ଼ି ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିବା ଥୟ ବୋଲି କହିଛନ୍ତି ତାଳଚେର ବିଧ‌ାୟକ ବ୍ରଜ କିଶୋର ପ୍ରଧାନ। ‘ସମ୍ବାଦ’ ଗ୍ରୁପ୍‌ ପକ୍ଷରୁ ତା‌ଳଚେର ବିଧାନସଭା ନିର୍ବାଚନମଣ୍ଡଳୀରେ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଶ୍ରୀ ପ୍ରଧାନ ପରିବେଶ ପ୍ରଦୂଷଣକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ ସରକାରଙ୍କ ସିଧା ହସ୍ତକ୍ଷେପ ଲୋଡ଼ିଛନ୍ତି। ପରିବେଶ ସୁରକ୍ଷା ପାଇଁ ସ୍ବତନ୍ତ୍ର ବଜେଟ୍ ଅଣାଯିବା ସହ ଏକ ନୀତି ପ୍ରଣୟନ କରିବାକୁ ଦାବି କରିଛନ୍ତି ଶ୍ରୀ ପ୍ରଧାନ। 

Advertisment

ତାଳଚେର ବିଧାନସଭା କ୍ଷେତ୍ରର ପଦ୍ମାବତୀପୁର ପଞ୍ଚାୟତରେ ଆଜି ପରିବେଶ ପଞ୍ଚାୟତ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଧାୟକ ଅଧ୍ୟକ୍ଷତା କରି କହିଛନ୍ତି ଯେ, ପ୍ରଦୂଷଣ ଦୃଷ୍ଟିରୁ ତାଳଚେର ସବୁଠାରୁ ସମ୍ବେଦନଶୀଳ ଅବସ୍ଥାରେ ରହିଛି। ଏଠାରେ ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ ଓ ଶବ୍ଦ ପ୍ରଦୂଷଣ ସାଂଘାତିକ ଭାବେ ବଢ଼ି ବଢ଼ି ଚାଲିଛି। ଗୋଟିଏ ପଟେ ଖଣିଖଦାନ ଓ ଅନ୍ୟପଟେ ତାପଜ ବିଦ୍ୟୁତ୍‌ ପ୍ଲାଣ୍ଟ ରହିଥିବାରୁ ଏହା ହଟ୍‌ ଜୋନ୍‌ରେ ରହିଛି। ପ୍ରଦୂଷଣ ପାଇଁ ଏସିଆରେ ୧ ନମ୍ବର ସ୍ଥାନରେ ତାଳଚେର ରହି ଏକ ଅଲୋଡ଼ା ରେକର୍ଡ କରିଥିଲା। ଏହି ପ୍ରଦୂଷଣ ପାଇଁ ଲୋକଙ୍କ ଆୟୁ କମୁଛି। ‌ଲୋକମାନେ ବିଭିନ୍ନ ରୋଗର ଶିକାର ହେଉଛନ୍ତି। ଘରେ ଘରେ ହୃଦ୍‌ରୋଗୀ ଓ ଶ୍ବାସରୋଗୀ ଭର୍ତ୍ତି ହୋଇଗଲେଣି। ରାଜ୍ୟର ସବୁଠାରୁ ଅଧିକ ହୃଦ୍‌ରୋଗୀ ଏଠାରୁ ବାହାରୁଛନ୍ତି। ପରପିଢ଼ି ବିକଳାଙ୍ଗ ହୋଇ ଜନ୍ମ ହେବାର ଆଶଙ୍କା ଦେଖା ଦେଲାଣି। ତଥାପି ସରକାରଙ୍କ ନିଦ ଭାଙ୍ଗୁନି। ତାଳଚେର ପ୍ରଦୂଷଣ ନେଇ ବାରମ୍ବାର କହିବା ସତ୍ତ୍ବେ କେହି ଶୁଣୁ ନାହାନ୍ତି। ବିଧାନସଭାରେ ପ୍ରଶ୍ନ କଲେ ଉତ୍ତର ମିଳୁନି। ଏଣୁ ଏହା ବିରୋଧରେ ଏବେ ଲୋକଙ୍କୁ ରାସ୍ତାକୁ ଓହ୍ଲାଇବାକୁ ପଡ଼ିବ। ପ୍ରଦୂଷଣ ରୋକିବାକୁ ଜନଆନ୍ଦୋଳନ ହେବ। ଏଥିପାଇଁ ସରକାର ଓ ପ୍ରଦୂଷଣ କରୁଥିବା କଂପାନି ଦାୟୀ ରହିବେ ବୋଲି ବିଧାୟକ ଚେତାବନୀ ଦେଇଛନ୍ତି। 

ଅନୁଗୁଳ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ସଭାପତି ସନ୍ତୋଷ ପ୍ରଧାନ ବକ୍ତା ଭାବେ ଯୋଗଦେଇ କହିଥିଲେ, କୋଇଲା ଖଣି ଓ ଶିଳ୍ପ ପାଇଁ ତାଳଚେର ଏବେ ପ୍ରଦୂଷିତ। କିନ୍ତୁ ଏହି ସଂସ୍ଥାମାନେ ପ୍ରଦୂଷଣ ରୋକିବାକୁ କୌଣସି ଠୋସ୍‌ ପଦକ୍ଷେପ ନେଉ ନାହାନ୍ତି। ଫୁଲଗଛ ଲଗାଇ ନିଜ କାମ ସାରି ଦେଉଛନ୍ତି। ଏହାର ଫଳ ତାଳଚେରବାସୀ ଭୋଗୁଛନ୍ତି। ଏଣୁ ବଞ୍ଚିବା ପାଇଁ ଏବେ ଲୋକମାନଙ୍କୁ ଆଗକୁ ଆସିବାକୁ ପଡ଼ିବ। ଯେତେ ସମ୍ଭବ ଅଧିକ ଗଛ ଲଗାଇବାକୁ ପଡ଼ିବ। ନିଜ ଜନ୍ମଦିନ, ବିବାହ ବାର୍ଷିକୀ ଓ ସ୍ମରଣୀୟ ଦିବସରେ ଗଛ ଲଗାଇବା ସହ ଏହାର ଯତ୍ନ ନେବାକୁ ସେ ଆହ୍ବାନ ଦେଇଛନ୍ତି। ଜିଲ୍ଲା ପରିଷଦ ସଭ୍ୟ ବଭ୍ରୁ ପ୍ରସାଦ ପତି କହିଥିଲେ, ତାଳଚେରରେ ସକାଳୁ ପ୍ରଦୂଷଣର ଏକ ଆସ୍ତରଣ ଦେଖିବାକୁ ମିଳୁଛି। ପୋଖରୀଗୁଡ଼ିକରେ ଧୂଳି ଓ ପାଉଁଶର ଆସ୍ତରଣ ବସି ରହୁଛି। ଖୋଲାଗାଡ଼ିରେ ପାଉଁଶ ଓ କୋଇଲା ପରିବହନ ପାଇଁ ଏମିତି ସମସ୍ୟା ସୃଷ୍ଟି ହେଉଛି।

ଏଥିନେଇ ଯେତେ ଅଭିଯୋଗ କଲେ ବି ଶୁଣିବାକୁ କେହି ନାହାନ୍ତି। ତାଳଚେରକୁ ଲୁଟିବାକୁ କଂପାନିମାନେ ଲାଗିଥିଲା ବେଳେ ଏହାର ପରିବେଶ ପାଇଁ କାହାରି ଧ୍ୟାନ ନାହିଁ। ଫଳରେ ଏଠି ଲୋକେ ବିଭିନ୍ନ ରୋଗରେ ପଡ଼ି ମରୁଛନ୍ତି। ଏହାର ମୁକାବିଲା ପାଇଁ ସଂଘର୍ଷ କରିବାର ସମୟ ଆସିଛି ବୋଲି ସେ କହିଛନ୍ତି। ତାଳଚେର ସୁରକ୍ଷା ମଞ୍ଚର ସଭାପତି ମୁରଲୀଧର ସାହୁ ତାଳଚେର ପ୍ରଦୂଷଣ ନେଇ ଚିନ୍ତା ପ୍ରକଟ କରିବା ସହ ଏହାର ସମାଧାନ ପାଇଁ ବ୍ୟକ୍ତିଗତ ଓ ସରକାରୀ ସ୍ତରରେ ଉଦ୍ୟମର ଆବଶ୍ୟକତା ଅଛି ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ତାଳଚେର ବିଧାନସଭା କ୍ଷେତ୍ରର ବହୁ ବୁଦ୍ଧିଜୀବୀ ଯୋଗ ଦେଇ ନିଜ ମତ ରଖିଥିଲେ।