ସମ୍ବଲପୁର: ଜନବସତିରେ ପାହାଡ଼। ସଂରକ୍ଷିତ ଜଙ୍ଗଲରେ ସାଧାରଣ ପ୍ରବେଶ ନିଷେଧ ଥାଏ। କିନ୍ତୁ  ୪୮ ହେକ୍ଟର ଅଞ୍ଚଳରେ ପରିବ୍ୟାପ୍ତ ବୁଢ଼ାରଜା ପାହାଡ଼ କିନ୍ତୁ ଏଥିରୁ ବାଦ ପଡ଼ିଛି। ଏଠାରେ ଥିବା ଶିବମନ୍ଦିର ଯୋଗୁଁ ବର୍ଷ ତମାମ ଲୋକଙ୍କ ଭିଡ଼ ଥାଏ। ୫୦ ହଜାରରୁ ଅଧିକ ପ୍ରକାର ଗଛ ଥିବା ପାହାଡ଼ରେ ୧୦ ରୁ ଊର୍ଦ୍ଧ୍ବ ପ୍ରଜାତିର ପ୍ରଜାପତିଙ୍କ ସଂରକ୍ଷଣ ପାଇଁ ଉଦ୍ୟାନ ପ୍ରକଳ୍ପ ଆରମ୍ଭ କରିଛି ବନ ବିଭାଗ। ଯାହା ଖୁବ୍‌ଶୀଘ୍ର ଉଦ୍‌ଘାଟିତ ହେବ ବୋଲି କହିଛନ୍ତି ସମ୍ବଲପୁର ଟାଉନ ରେଞ୍ଜର ଅମିତ ସାହୁ।   

Advertisment

ରେଞ୍ଜରଙ୍କ କହିବା ଅନୁଯାୟୀ,  ବୁଢ଼ାରଜା ପାହାଡ଼ରେ ସୁରକ୍ଷିତ ପ୍ରଜାପତି ପ୍ରଜନନ ପାଇଁ ଅଣ୍ଟା ଭିଡ଼ିଛି ବନ ବିଭାଗ। ଏଠାରେ ମଲବେରି ସହିତ ୧୫ ପ୍ରକାରର ଫୁଲ ଏବଂ ଲେମ୍ବୁ ଗଛ ଲଗାଯାଉଛି। ଆଗାମୀ ଦିନରେ ଆହୁରି ବିଭିନ୍ନ ପ୍ରକାର ଫୁଲଗଛ ଲଗାଯିବ। ଯେଉଁଠି ସୁରକ୍ଷିତ ଭାବେ ପରାଗରେଣୁର ସଙ୍ଗମ ହେବ।  ପାହାଡ଼ରେ ଥିବା ପାଣିକୁ ସଂରକ୍ଷଣ କରାଯାଇ କୃତ୍ରିମ ଜଳାଶୟ କରାଯାଇଛି। ଏହା ସହିତ ମାଟିର ଛୋଟ ପାହାଡ଼ ରହିଛି। ୧୮୫୭ ପ୍ରଥମ ସ୍ବାଧୀନତା ସଂଗ୍ରାମର ମୂକସାକ୍ଷୀ ବୁଢ଼ାରଜା ପାହାଡ଼ରେ ଶାଗୁଆନ, ଗେଣ୍ଡୁଳି, ସୁନାରି, ଚାକୁଣ୍ଡା, କରଡ଼ା, ପୋକ ସୁହା ଭଳି ବିଭିନ୍ନ ପ୍ରକାର ଗଛ ଲାଗିଛି।

ଏଥିସହିତ କୁଣ୍ଡାଖିଆ, ବାରବେଟ, କୋଚିଲା ଖାଇ, ଶୁଆ ସହିତ ୧୫ରୁ ୨୦ ପ୍ରକାର ପକ୍ଷୀ ଅଛନ୍ତି। ବିନ ବିଭାଗ ଅନୁସାରେ, ଏଠାରେ ସିଧାସଳଖ ଜନ ପ୍ରବେଶର ଅନୁମତି ରହିଥିବାରୁ ଜଙ୍ଗଲ ପୋଡ଼ି ବଡ଼ ଚ୍ୟାଲେଞ୍ଜ ଅଟେ। କିନ୍ତୁ ସ୍ଥାନୀୟ ଅଧିବାସୀ ଓ ପୂଜକଙ୍କ ସହଯୋଗ ଯୋଗୁଁ ବନ ବିଭାଗକୁ ଏ ସମ୍ପର୍କରେ ସୂଚନା ମିଳିବା ସହଜ ହୁଏ। ତେଣୁ ଏଠାରେ ଜଙ୍ଗଲ ପୋଡ଼ି ବ୍ୟାପକ ହୋଇପାରେ ନାହିଁ। କାଠ ମାଫିଆଙ୍କ ଯୋଗୁଁ ଦିନେ ଏହି ପାହାଡ଼ ସମ୍ପୂର୍ଣ୍ଣ ଲଣ୍ଡା ହେବାକୁ ବସିଥିଲା। ସ୍ବର୍ଗତ ଋଷି ପାତ୍ରଙ୍କ ନେତୃତ୍ବରେ ସ୍ଥାନୀୟ ଅଧିବାସୀଙ୍କୁ ନେଇ ଗଢ଼ି ଉଠିଥିବା ବୁଢ଼ାରଜା ବନ ସୁରକ୍ଷା ସମିତି ଯୋଗୁଁ ଜନବସତିରେ ଥାଇ ବି ଏହି ପାହାଡ଼ ସବୁଜିମାମୟ ହୋଇ ରହିଛି। ବନ ବିଭାଗର ସହଯୋଗରେ ଏଠାରେ ବିଭିନ୍ନ ପ୍ରକାର ଗଛ ଲଗାଯିବା ସହିତ ଗଛ ସୁରକ୍ଷା ପାଇଁ ରାଖି ବାନ୍ଧିବା କାର୍ଯ୍ୟକ୍ରମ ହୁଏ। ବନ ବିଭାଗ ସହିତ ସ୍ଥାନୀୟ ଅଧିବାସୀ ଏହି ଜଙ୍ଗଲର ଜଗୁଆଳି ହୋଇଥାଆନ୍ତି।