ନୌପରିବହନ ବର୍ତ୍ତମାନ ବିଶ୍ବର ୩% କାର୍ବନ ପ୍ରଦୂଷଣ ପାଇଁ ଦାୟୀ। ତଥାପି ଏଥିଜନିତ ପ୍ରଦୂଷଣ ହ୍ରାସ କରିବା ଲାଗି ଏଯାଏ କୌଣସି ବିଶ୍ବସ୍ତରୀୟ ବୈଧାନିକ ବାଧ୍ୟବାଧକତା ନ ଥିଲା। ତେବେ ୧୦ ବର୍ଷର ଆଲୋଚନା ପରେ ଗତ ଶୁକ୍ରବାର ମିଳିତ ଜାତିସଂଘର ଅନ୍ତର୍ଜାତୀୟ ନୌବାଣିଜ୍ୟ ସଂଗଠନ ଦପ୍ତରରେ ଭାରତ ସମେତ ୬୨ ଦେଶ ପ୍ରଥମ ଥର ପାଇଁ ନୌବାଣିଜ୍ୟ ପ୍ରଦୂଷଣ ଉତ୍ସର୍ଜନକୁ ନିରୁତ୍ସାହିତ କରିବା ପାଇଁ ବୁଝାମଣା ସ୍ବାକ୍ଷର କରିଛନ୍ତି। ଏହି ଚୁକ୍ତି ଅନୁଯାୟୀ ଜାହାଜ ମାଲିକମାନଙ୍କୁ ୨୦୨୮ ସୁଦ୍ଧା ସ୍ବଚ୍ଛ ଇନ୍ଧନ ବ୍ୟବହାର କରିବାକୁ ପଡ଼ିବ ନଚେତ ଜରିମାନା ଦେବାକୁ ହେବ। ସେହି ଅର୍ଥକୁ ନୌବାଣିଜ୍ୟର ପ୍ରଦୂଷଣ ମାତ୍ରା ହ୍ରାସ କରିବା ଦିଗରେ ବିନିଯୋଗ କରାଯିବ।
୨୦୨୮ରେ ଯେଉଁ ଜାହାଜଗୁଡ଼ିକ ଜୀବାଶ୍ମ ଇନ୍ଧନ ବ୍ୟବହାର ଜାରି ରଖିବେ, ସେମାନେ ପ୍ରତି ଟନ୍ ଧୂଆଁ ପ୍ରଦୂଷଣ ପାଇଁ ୧୦୦ରୁ ୩୮୦ ଡଲାର ଟିକସ ଦେବେ। ଆକଳନ ଅନୁଯାୟୀ, ଏହି ସୂତ୍ରରୁ ୨୦୩୦ ସୁଦ୍ଧା ୪୦ ବିଲିଅନ୍ ଡଲାର୍ କାର୍ବନ ଟିକସ ପାଣ୍ଠି ସୃଷ୍ଟି ହେବ।
୫,୦୦୦ ଟନ୍ରୁ ଅଧିକ ଭାରୀ ପରିବହନକାରୀ ଜାହାଜ ଉପରେ ଏହି ଟିକସ ଲାଗୁ କରାଯିବ। ୨୦୨୮ରେ ଯେଉଁ ଜାହାଜ ଚିରାଚରିତ ଜୀବାଶ୍ମ ଇନ୍ଧନ ବ୍ୟବହାର ଜାରି ରଖିବେ ସେମାନେ ପ୍ରତି ଟନ୍ ଧୂଆଁ ପ୍ରଦୂଷଣ ପାଇଁ ୧୦୦ରୁ ୩୮୦ ଡଲାର ଟିକସ ଦେବେ। ଏକ ଆକଳନ ଅନୁଯାୟୀ, ଏହି ସୂତ୍ରରୁ ୨୦୩୦ ସୁଦ୍ଧା ୪୦ ବିଲିଅନ୍ ଡଲାର କାର୍ବନ ଟିକସ ପାଣ୍ଠି ସୃଷ୍ଟି ହୋଇପାରିବ।
ଉଲ୍ଲେଖଯୋଗ୍ୟ, ଏହି ଚୁକ୍ତି ସମର୍ଥନରେ ଭାରତ, ଚୀନ, ୟୁରୋପୀୟ ରାଷ୍ଟ୍ରସଂଘ, ନରୱେ, ସିଙ୍ଗାପୁର, ଦକ୍ଷିଣ ଆଫ୍ରିକା, ଜାପାନ ପ୍ରମୁଖ ୬୩ଟି ଦେଶ ଭୋଟ୍ ଦେଇଥିବା ବେଳେ ସାଉଦି ଆରବ, ୟୁଏଇ, ରୁଷିଆ, ଭେନେଜୁଏଲା ପରି ତୈଳ ଉତ୍ପାଦନକାରୀ ରାଷ୍ଟ୍ର ସମେତ ୧୬ଟି ଦେଶ ଏହା ବିରୋଧରେ ଭୋଟ ଦେଇଥିଲେ। ୨୫ଟି କ୍ଷୁଦ୍ର ଦେଶ ଭୋଟଦାନରୁ ବିରତ ରହିଥିଲେ। ଯୁକ୍ତରାଷ୍ଟ୍ର ଆମେରିକା ଏହି ଚୁକ୍ତି ବେଳେ ଅନୁପସ୍ଥିତ ରହିଥିଲା। ଏହି ଚୁକ୍ତି ଏକ ସକାରାତ୍ମକ ଆରମ୍ଭ ହୋଇଥିଲେ ହେଁ ବିଶେଷଜ୍ଞମାନେ କହୁଛନ୍ତି ଯେ ୨୦୩୦ ସୁଦ୍ଧା ଏହା ଯୋଗୁଁ ନୌବାଣିଜ୍ୟ କ୍ଷେତ୍ରର ପ୍ରଦୂଷଣ ପରିମାଣ ମାତ୍ର ୧୦% ହ୍ରାସ ପାଇବ। ତେଣୁ ଜଳବାୟୁ ପରିବର୍ତ୍ତନକୁ ରୋକିବା ପାଇଁ ଆହୁରି ଦୃଢ଼ ପଦକ୍ଷେପ ନେବା ଅପରିହାର୍ଯ୍ୟ ବୋଲି ମତ ପ୍ରକାଶ ପାଇଥିଲା।