ବିଶ୍ବରେ ଜଳବାୟୁ ପରିବର୍ତ୍ତନଜନିତ ଜୈବବିବିଧତା କ୍ଷତି ଯୋଗୁଁ ଶିଶୁମାନଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହୋଇଛି ବୋଲି ଏକ ସଦ୍ୟ ଅନୁଧ୍ୟାନରୁ ଜଣାପଡ଼ିଛି। ‘ନେଚର୍‌’ ପତ୍ରିକାରେ ପ୍ରକାଶିତ ଉକ୍ତ ଅନୁଧ୍ୟାନର ନିର୍ଯାସ ଅନୁଯାୟୀ, ଦିନକୁ ଦିନ ଉତ୍ତପ୍ତ ହୋଇଚାଲିଥିବା ପୃଥିବୀରେ ଜୈବିବିଧତାରେ ଅନୁଭୂତ ଅସନ୍ତୁଳନ ହିଁ ପିଲାଙ୍କ ସ୍ବାସ୍ଥ୍ୟସଂକଟକୁ ତ୍ବରାନ୍ବିତ କରୁଛି। ସୂଚନାଯୋଗ୍ୟ, ୧୯୭୦ ପରଠାରୁ ବିଶ୍ବସ୍ତରରେ ବନ୍ୟଜୀବ ସଂଖ୍ୟାରେ ପ୍ରାୟ ୬୯% ହ୍ରାସ ଘଟିଛି। ଜୈବବିବିଧତାର ଏହି କ୍ଷତି ପାଣିପାଗ ଉପରେ ପ୍ରଭୂତ ପ୍ରଭାବ ପକାଇଛି। ପରିବେଶରେ ରହିଥିବା ବିଭିନ୍ନ ପ୍ରକାର ବୀଜାଣୁ ଓ କବକ ସଂସ୍ପର୍ଶରେ ଆସିବା ଦ୍ବାରା ଶିଶୁର ରୋଗପ୍ରତିରୋଧ ଶକ୍ତିରେ ଉନ୍ନତି ଘଟିଥାଏ। ମାତ୍ର ଜୈବବିବିଧତାରେ କ୍ଷତି ଶିଶୁମାନଙ୍କର ସେହି ସୁରକ୍ଷା କବଚକୁ ପ୍ରଭାବିତ କରୁଛି। ସେହିପରି ସବୁଜ ପରିବେଶ ସହ ପିଲାଙ୍କର ମାନସିକ ସ୍ବାସ୍ଥ୍ୟ ଓ ଜ୍ଞାନାତ୍ମକ ପ୍ରଗତିର ସଂପର୍କ ରହିଛି। ଏଥି ସହିତ ସବୁଜ ପରିବେଶ ବିଭିନ୍ନ ପ୍ରକାର ଶ୍ବାସରୋଗ ଦୂର କରିଥାଏ।

Advertisment

ଅପରପକ୍ଷେ, ସବୁଜ କ୍ଷେତ୍ରର ଅଭାବ ସହ ମୋଟାପଣ ବୃଦ୍ଧି, ଶାରୀରିକ ନିଷ୍କ୍ରିୟତା ଓ ଶିଶୁଙ୍କ ନିଦ୍ରାହୀନତା ଆଦି ଜଡ଼ିତ। ତେବେ ବିଶେଷ କରି ଜଳବାୟୁ ପରିବର୍ତ୍ତନ ଦ୍ବାରା ପ୍ରେରିତ ଗ୍ରୀଷ୍ମ ଲହରି ଓ ବନ୍ୟା ଶିଶୁମାନଙ୍କ ପ୍ରତି ଉଲ୍ଲେଖନୀୟ ବିପଦ ଛିଡ଼ା କରାଇଛି। ‘ୟୁନିସେଫ୍‌’ର ଏକ ରିପୋର୍ଟ ଅନୁଯାୟୀ, ପ୍ରାୟ ୮୨ କୋଟି ଶିଶୁ ଗ୍ରୀଷ୍ମ ଲହରିର ସମ୍ମୁଖୀନ ହେଉଛନ୍ତି ଯାହା ସେମାନଙ୍କ ଠାରେ ଅଂଶୁଘାତର ଆଶଙ୍କା ବଢ଼ାଉଛି। ଏପରିକି ଗର୍ଭସ୍ଥ ଶିଶୁ ଉପରେ ମଧ୍ୟ ଗ୍ରୀଷ୍ମଲହରୀର ପ୍ରଭାବ ଯୋଗୁଁ ଅପରିପକ୍ବ ଓ ଅଳ୍ପ ଓଜନବିଶିଷ୍ଟ ଶିଶୁ ଜନ୍ମ ସଂଖ୍ୟା ବଢୁଛି। ସେହିପରି ବିଶ୍ବବ୍ୟାପୀ ପ୍ରାୟ ୨୪ କୋଟି ଶିଶୁ ବନ୍ୟାର ଶରବ୍ୟ ହେଉଛନ୍ତି, ପରିଣତି ସ୍ବରୂପ ସେମାନଙ୍କଠାରେ ବିଭିନ୍ନ ପ୍ରକାର ଜଳବାହିତ ରୋଗ ଓ ପୁଷ୍ଟିହୀନତା ଦେଖାଦେଉଛି। ଜୈବବିବିଧତାରେ କ୍ଷତି ସହ ଜଡ଼ିତ ବାୟୁ ପ୍ରଦୂଷଣ ଯୋଗୁଁ ପ୍ରାୟ ୨୦୦ କୋଟି ଶିଶୁ ପ୍ରଭାବିତ ହେଉଥିବା ବେଳେ ଏଥି ଜନିତ ଆଜ୍‌ମା ପରି ରୋଗ ଯୋଗୁଁ ଶିଶୁ ମୃତ୍ୟୁହାର ବଢୁଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏକ ଆକଳନ ଅନୁଯାୟୀ, ଜଳ ଓ ବାୟୁ ପ୍ରଦୂଷଣ ଯୋଗୁଁ ବାର୍ଷିକ ପ୍ରାୟ ୧୫ ଲକ୍ଷ ଶିଶୁଙ୍କର ମୃତ୍ୟୁ ଘଟୁଛି। ତେଣୁ ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଜୈବବିବିଧତା କ୍ଷୟ ଓ ଜଳବାୟୁ ପରିବର୍ତ୍ତନ କେବଳ ପରିବେଶ ସମସ୍ୟା ହୋଇ ନାହିଁ, ଏହା ଶିଶୁ ଅଧିକାର ସମସ୍ୟା ମଧ୍ୟ। ଶିଶୁଙ୍କର ସ୍ବଚ୍ଛ, ସୁସ୍ଥ ଓ ସ୍ଥାୟୀ ପରିବେଶରେ ବଡ଼ ହେବାର ଅଧିକାରକୁ ସୁନିଶ୍ଚିତ କରିବା ଲାଗି ତୁରନ୍ତ ପଦକ୍ଷେପ ନିଆଯିବା ଗୁରୁତ୍ବପୂର୍ଣ୍ଣ।