ବିଶ୍ବସ୍ତରୀୟ ଜଳବାୟୁ ପରିବର୍ତ୍ତନ ସାଙ୍ଗକୁ ଆମ ଭାରତରେ ଜାରି ରହିଥିବା ଭିତ୍ତିଭୂମି ବିକାଶ ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ସଂଖ୍ୟା ବୃଦ୍ଧି ପାଇବା ସହ ତାହା ଭୀଷଣରୁ ଭୀଷଣ ରୂପ ନେଉଥିବା କଥା ଏକ ସଦ୍ୟ ଅନୁଧ୍ୟାନରୁ ଜଣାଯାଇଛି। କିଛି ଦିନ ତଳେ କେରଳ ଵାୟନାଡ଼ରେ ୨୦୦ରୁ ଅଧିକ ଲୋକଙ୍କ ଜୀବନ ନେଇଥିବା ଭୟାନକ ଭୂସ୍ଖଳନ ପରେ ଏପରି ଏକ ତଥ୍ୟ ସାମନାକୁ ଆସିଛି।
ପ୍ରାକୃତିକ ଓ ମନୁଷ୍ୟକୃତ ଦୁର୍ବିପାକଗୁଡ଼ିକର ବିଶ୍ଳେଷଣ କରୁଥିବା ବିଶ୍ବସ୍ତରୀୟ ସଂସ୍ଥା ‘ରିସ୍କ ମ୍ୟାନେଜ୍ମେଣ୍ଟ୍ ସଲ୍ୟୁସନ୍ସ୍ ଇନ୍କର୍ପୋରେଟେଡ୍ (ଆର୍ଏମ୍ଏସ୍ଆଇ) ବିଭିନ୍ନ ସ୍ଥାନରେ ସଂଘଟିତ ଭୂସ୍ଖଳନଗୁଡ଼ିକର ତର୍ଜମା କରିବା ସହ ତାହାକୁ ଅନ୍ୟ ଭୂସ୍ଖଳନପ୍ରବଣ ଅଞ୍ଚଳ ସହ ତୁଳନା କରି ଏପରି ନିର୍ଯାସ ପାଇପାରିଛି। ଆମର ୨୨ ରାଜ୍ୟ ଏବଂ ପୁଡୁଚେରି ଓ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜର କିଛି ଅଂଶକୁ ମିଶାଇ ଦେଶର ପ୍ରାୟ ୩୦ ପ୍ରତିଶତ ସ୍ଥାନ ହେଉଛି ପାହାଡ଼ ପର୍ବତଭରା, ଯେଉଁଠି ଭୂସ୍ଖଳନର ଆଶଙ୍କା ରହିଛି। ସେମାନଙ୍କ ମଧ୍ୟରୁ ଅରୁଣାଚଳ ପ୍ରଦେଶ, ସିକ୍କିମ୍, କେରଳ, ମେଘାଳୟ, ମହାରାଷ୍ଟ୍ର, ମଣିପୁର, ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶ ଆଦି ରାଜ୍ୟ ସବୁଠୁ ଅଧିକ ଭୂସ୍ଖଳନପ୍ରବଣ ବୋଲି ଜଣାଯାଇଛି। ତେବେ ଦେଶରେ ଅନେକ ସ୍ଥାନରେ ଜଳବାୟୁ ପରିବର୍ତ୍ତନଜନିତ ଭୀଷଣ ବର୍ଷା ଭୂସ୍ଖଳନ ଆଶଙ୍କାକୁ ବଢ଼ାଇବାରେ ଉଲ୍ଲେଖନୀୟ ଭୂମିକା ନେଇଥିବା ଜଣାଯାଇଛି। ଆଗାମୀ ଦଶନ୍ଧିମାନଙ୍କରେ ବାୟୁମଣ୍ଡଳରେ ଘନୀଭୂତ ଜଳୀୟବାଷ୍ପକ ସାନ୍ଦ୍ରତା ଅନେକ ପରିମାଣରେ ବଢ଼ିଯିବ ବୋଲି ଏହି ଅନୁଧ୍ୟାନରୁ ଆକଳନ କରାଯାଇଛି।
ସ୍ବାଧୀନତା ପରେ ୧୯୫୦ ମସିହା ବେଳକୁ ଦେଶରେ ମୋଟ ୩,୯୯,୪୯୨ ବର୍ଗ କି.ମି.ର ପକ୍କା ରାସ୍ତା ଥିବା ବେଳେ ୨୦୨୧ ବେଳକୁ ତାହା ୬୨,୯୫,୭୧୭ ବର୍ଗ କି.ମି. ହୋଇଛି। ଏଥି ସହିତ ମନୁଷ୍ୟକୃତ ଜଙ୍ଗଲହ୍ରାସ ଓ ବନସ୍ପତି ଅପସାରଣ ମଧ୍ୟ ଏହି ସମସ୍ୟାକୁ ବଢ଼ାଇଚାଲିଛି।
ଉଦାହରଣ ସ୍ବରୂପ, ୨୦୫୦ ମସିହା ବେଳକୁ କର୍ଣ୍ଣାଟକର ମାଙ୍ଗାଲୁରୁ ସହରର ବର୍ଷା ପରିମାଣରେ ୩୦ ପ୍ରତିଶତ ବୃଦ୍ଧି ଦେଖାଯିବ ବୋଲି ଅନୁମାନ କରାଯାଉଛି। ସେହିପରି ଆସାମରେ ୨୦୮୦ ବେଳକୁ ଏହି ପରିମାଣ ୨୧ ପ୍ରତିଶତ ବଢ଼ିଯାଇଥିବ। ତେବେ ଏଥିପାଇଁ କେବଳ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରାଯିବା ଠିକ୍ ହେବନାହିଁ। କାରଣ ଦ୍ରୁତ ଭିତ୍ତିଭୂମି ବିକାଶ, ବିଶେଷ କରି ପାହାଡ଼ ଇଲାକାରେ ରାସ୍ତାଘାଟ ନିର୍ମାଣ ଆଦି କାର୍ଯ୍ୟକଳାପ ଭୂସ୍ଖଳନକୁ ଉତ୍ପ୍ରେରିତ କରୁଛି ବୋଲି ଉକ୍ତ ରିପୋର୍ଟରେ କୁହାଯାଇଛି। ସ୍ବାଧୀନତା ପରେ ୧୯୫୦ ମସିହା ବେଳକୁ ଦେଶରେ ମୋଟ ୩,୯୯,୪୯୨ ବର୍ଗ କି.ମି.ର ପକ୍କା ରାସ୍ତା ଥିବା ବେଳେ ୨୦୨୧ ବେଳକୁ ତାହା ୬୨,୯୫,୭୧୭ ବର୍ଗ କି.ମି. ହୋଇଛି। ଏଥି ସହିତ ମନୁଷ୍ୟକୃତ ଜଙ୍ଗଲହ୍ରାସ ଓ ବନସ୍ପତି ଅପସାରଣ ମଧ୍ୟ ଏହି ସମସ୍ୟାକୁ ବଢ଼ାଇଚାଲିଛି। ପ୍ରାକୃତିକ ଭୂମିରୂପକୁ ନଷ୍ଟ କରିବା ଏବଂ ବନସ୍ପତି ଅପସାରଣ ଦ୍ବାରା ଜଳ ଶୋଷଣରେ ବାଧା ଉପୁଜିବା ସାଙ୍ଗକୁ ଭଙ୍ଗୁର ଇଲାକାରେ ରାସ୍ତାଘାଟ ସମ୍ପ୍ରସାରଣ ଗଡ଼ାଣିଗୁଡ଼ିକୁ ଅସ୍ଥିର କରିଦେବା ଦ୍ବାରା ତାହା ଭୂସ୍କଳନର ବେଶୀ ଶିକାର ହେଉଛି। ତେବେ ବିଶେଷ କରି ୨୫ରୁ ୪୫ ଡିଗ୍ରି ଢାଲୁ ବା ଗଡ଼ାଣି ଥିବା ପାହାଡ଼ ଅଞ୍ଚଳ ଓ ବିଭିନ୍ନ ସ୍ତରୀୟ ପ୍ରସ୍ତର ଥିବା ସ୍ଥାନଗୁଡ଼ିକ ମାତ୍ରାଧିକ ଭୂସ୍ଖଳନପ୍ରବଣ ହୋଇଥିବାରୁ ସେଠାରେ ନିର୍ମାଣକାର୍ଯ୍ୟର ସୁପରିଚାଳନା ପାଇଁ ପରାମର୍ଶ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/L31FRohkCLiSd6FHOA4C.jpg)