ଜଳବାୟୁ ସଙ୍କଟ ଯୋଗୁଁ ଭାରତ ସମେତ ସମଗ୍ର ବିଶ୍ୱର କୋଟି କୋଟି ଲୋକଙ୍କ ସ୍ୱାସ୍ଥ୍ୟ ବିପଦରେ ପଡ଼ିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ) ସହଭାଗିତାରେ ଲଣ୍ଡନ ବିଶ୍ବବିଦ୍ୟାଳୟର ଏକ ନୂତନ ଅଧ୍ୟୟନରୁ ଏହି ଭୟଙ୍କର ନିଷ୍କର୍ଷ ମିଳିଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ଅନେକ ସ୍ୱାସ୍ଥ୍ୟ ଓ ଜଳବାୟୁ ସୂଚକ ସର୍ବକାଳୀନ ନିକୃଷ୍ଟ ସ୍ତରରେ ରହିଛି ଏବଂ ସେଗୁଡ଼ିକ ଆହୁରି ଖରାପ ହେବାର ଆଶଙ୍କା ରହିଛି। ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍କର୍ଷ ହେଲା, ୧୯୯୦ ଦଶକ ପରଠାରୁ ଉତ୍ତପ୍ତୀକରଣ ସହ ଜଡ଼ିତ ମୃତ୍ୟୁ ସଂଖ୍ୟା ୨୩ ପ୍ରତିଶତ ବୃଦ୍ଧି ପାଇଛି। ଉତ୍ତପ୍ତୀକରଣ ଯୋଗୁଁ ବିଶ୍ୱ ସ୍ତରରେ ପ୍ରତି ବର୍ଷ ପ୍ରାୟ ୫,୪୬,୦୦୦ ଲୋକଙ୍କ ମୃତ୍ୟୁ ହେଉଛି। ସେହିପରି ୨୦୨୪ ମସିହାରେ ବନାଗ୍ନିରୁ ନିର୍ଗତ ଧୂଆଁର ସୂକ୍ଷ୍ମ କଣିକା ଯୋଗୁଁ ବିଶ୍ୱରେ ପ୍ରାୟ ୧,୫୪,୦୦୦ ମୃତ୍ୟୁ ଘଟିଛି। ଏଥି ସହିତ ବିଶ୍ୱରେ ଅନେକ ସଶସ୍ତ୍ର ସଂଘର୍ଷ ଜନିତ ନିର୍ଗମନ ପରିବେଶକୁ କ୍ଷତି ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

Advertisment

ଭାରତ ଉପରେ ଏସବୁର ଗମ୍ଭୀର ପ୍ରଭାବ ପଡୁଛି। ଏକ ବିଶ୍ଳେଷଣରୁ ଜଣାପଡ଼ିଛି ଯେ ୨୦୨୨ରେ ଭାରତରେ ଜୀବାଶ୍ମ ଇନ୍ଧନ ଜନିତ ବାୟୁ ପ୍ରଦୂଷଣ ଯୋଗୁଁ ୧୭ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି, ଯାହା ୨୦୧୦ ତୁଳନାରେ ୩୮ ପ୍ରତିଶତ ଅଧିକ। ଏହାର ପ୍ରତିକାର ପାଇଁ ରିପୋର୍ଟରେ ତିନିଟି ମୁଖ୍ୟ ବିଷୟ ଉପରେ ଆଲୋକପାତ କରାଯାଇଛି। ସେଗୁଡ଼ିକ ହେଲା, ଜୀବାଶ୍ମ ଇନ୍ଧନ ବ୍ୟବହାରକୁ କ୍ରମେ ହ୍ରାସ କରିବା, ଅନୁକୂଳନ ପ୍ରୟାସକୁ ବୃଦ୍ଧି କରିବା (ବିଶେଷକରି ଦୁର୍ବଳ ଜନସଂଖ୍ୟା ପାଇଁ) ଏବଂ ଏକ ସବୁଜ ଭବିଷ୍ୟତକୁ ସୁନିଶ୍ଚିତ କରିବା। ଏହାର ଅର୍ଥ ହେଉଛି ଜଳବାୟୁ ଓ ସ୍ୱାସ୍ଥ୍ୟ ନୀତିକୁ କଡ଼ାକଡ଼ି ଭାବରେ ସମନ୍ୱିତ କରିବା। ଅର୍ଥାତ୍‌ ବାୟୁ ଗୁଣବତ୍ତା ଉନ୍ନତ କରିବା, ଗ୍ରୀଷ୍ମ ଲହରି ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରସ୍ତୁତ କରିବା ଏବଂ ଦାରିଦ୍ର୍ୟ ଓ ଅସମାନତା ଭଳି ଦୁର୍ବଳତାର ମୂଳ କାରଣଗୁଡ଼ିକର ମୁକାବିଲା କରିବା ଗୁରୁତ୍ବପୂର୍ଣ୍ଣ।