ଜେନେଭା: ଜଳବାୟୁ ପରିବର୍ତ୍ତନ ଉପରେ ରାଷ୍ଟ୍ରଗୁଡ଼ିକର କ୍ରମାଗତ ନିଷ୍କ୍ରିୟତା ବିଶ୍ବବ୍ୟାପୀ ଅତି ବିପଜ୍ଜନକ ସ୍ଥିତି ସୃଷ୍ଟି କରିଛି। ଏହି ସଙ୍କଟ ଯୋଗୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ଜୀବନହାନି ହେବା ସହ ବିଶ୍ବ ସ୍ବାସ୍ଥ୍ୟ, ଅର୍ଥନୀତି ଓ ଜୀବନ-ଜୀବିକା ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଓ ଲାନ୍ସେଟ୍ ଚେତାବନୀ ଦେଇଛି।
ବୁଧବାର ପ୍ରକାଶିତ ମିଳିତ ବିବୃତିରେ ଜଳବାୟୁ କାର୍ଯ୍ୟର ସବୁଠାରୁ ଶକ୍ତିଶାଳୀ ଦିଗ ‘ସ୍ବାସ୍ଥ୍ୟ’କୁ ତୁରନ୍ତ ପ୍ରାଥମିକତା ଦେବାକୁ ଆହ୍ବାନ ଦିଆଯାଇଛି। ‘ହୁ’ ସହଯୋଗରେ ସ୍ବାସ୍ଥ୍ୟ ଓ ଜଳବାୟୁ ପରିବର୍ତ୍ତନ ଉପରେ ୨୦୨୫ ଲାନସେଟ୍ କାଉଣ୍ଟଡାଉନ୍ ପ୍ରକାଶ ପାଇବା ସହିତ ଏ ଦିଗରେ ଅଣଦେଖା ଓ ସରକାରମାନଙ୍କ ଅବହେଳା ଆଗକୁ ସାଂଘାତିକ ବିପଦକୁ ଆମନ୍ତ୍ରଣ କରିବ ବୋଲି ଚେତାବନୀ ଦିଆଯାଇଛି। ରିପୋର୍ଟରୁ ଜଣାପଡ଼ିଛି ଯେ ସ୍ବାସ୍ଥ୍ୟ ବିପଦକୁ ଅନୁଧ୍ୟାନ କରୁଥିବା ୨୦ଟି ପ୍ରମୁଖ ସୂଚକ ମଧ୍ୟରୁ ୧୨ଟି ରେକର୍ଡ ସ୍ତରରେ ପହଞ୍ଚିଛି। ଏହା ଦର୍ଶାଉଛି ଯେ ଜୀବାଶ୍ମ ଇନ୍ଧନ ଉପରେ ଅତ୍ୟଧିକ ନିର୍ଭରଶୀଳତା ମାନବ ସ୍ବାସ୍ଥ୍ୟ ଉପରେ ବିନାଶକାରୀ ପ୍ରଭାବ ପକାଉଛି। ଜଳବାୟୁ ସଂକଟ ହେଉଛି ଏକ ବଡ଼ ସ୍ବାସ୍ଥ୍ୟ ସଂକଟ।
‘ଲାନ୍ସେଟ୍-ହୁ’ ରିପୋର୍ଟରେ ଚେତାବନୀ
ସ୍ବାସ୍ଥ୍ୟ ଉପରେ ବିନାଶକାରୀ ପ୍ରଭାବ
‘ହୁ’ର ସ୍ବାସ୍ଥ୍ୟ ପ୍ରୋତ୍ସାହନ ଏବଂ ରୋଗ ପ୍ରତିରୋଧ ସହକାରୀ ମହାନିର୍ଦ୍ଦେଶକ ଡ ଜେରେମି ଫରାର କହିଛନ୍ତି, ଜଳବାୟୁ ନିଷ୍କ୍ରିୟତା ବର୍ତ୍ତମାନ ସମସ୍ତ ଦେଶରେ ଲୋକଙ୍କ ମୃତ୍ୟୁ ପାଇଁ ଦାୟୀ। ଜଳବାୟୁ କାର୍ଯ୍ୟାନୁଷ୍ଠାନ ମାନବ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ସ୍ବଚ୍ଛ ବାୟୁ, ସୁସ୍ଥ ଖାଦ୍ୟ ଓ ସ୍ଥିର ସ୍ବାସ୍ଥ୍ୟ ବ୍ୟବସ୍ଥା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରିପାରିବ ଏବଂ ଭବିଷ୍ୟତ ପିଢ଼ିକୁ ସୁରକ୍ଷା ଦେଇପାରିବ।
ରିପୋର୍ଟରୁ ଜଣାପଡ଼ିଛି ଯେ ୧୯୯୦ ଦଶକରୁ ଉତ୍ତାପ ବୃଦ୍ଧିଜନିତ ମୃତ୍ୟୁହାର ୨୩ ପ୍ରତିଶତ ବୃଦ୍ଧି ପାଇଛି। ପ୍ରତିବର୍ଷ ଏହା ଆନୁମାନିକ ୫୪୬,୦୦୦ ମୃତ୍ୟୁ ସହିତ ସମାନ। କେବଳ ୨୦୨୪ ମସିହାରେ ହାରାହାରି ବ୍ୟକ୍ତି ୧୬ ଦିନର ବିପଜ୍ଜନକ ଉତ୍ତାପର ସମ୍ମୁଖୀନ ହୋଇଥିଲେ। ଚରମ ପାଣିପାଗ ଘଟଣା ୨୦୨୩ରେ ଅତିରିକ୍ତ ୧୨୪ ନିୟୁତ ଲୋକଙ୍କ ପାଇଁ ଖାଦ୍ୟ ଅସୁରକ୍ଷା ସୃଷ୍ଟି କରିଥିଲା। ଉତ୍ତାପ ବୃଦ୍ଧି ଯୋଗୁ ୨୦୨୪ରେ ୬୪୦ ବିଲିୟନ ସମ୍ଭାବ୍ୟ ଶ୍ରମ ଘଣ୍ଟା ନଷ୍ଟ ହୋଇଥିଲା, ଯାହା ଉତ୍ପାଦକତା କ୍ଷତିରେ ୧.୦୯ ଟ୍ରିଲିୟନ ଆମେରିକୀୟ ଡଲାର ସହିତ ସମାନ। ଏଣୁ ଜଳବାୟୁ ପରିବର୍ତ୍ତନକୁ ରୋକିବା ପାଇଁ ସବୁ ଦେଶ କାର୍ଯ୍ୟ କରିବା ଉପରେ ରିପୋର୍ଟରେ ଗୁରୁତ୍ବ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/10/30/dgdgffhs-2025-10-30-02-38-13.jpg)