୨୦୨୪ ମସିହାରେ ଜଳବାୟୁ ପରିବର୍ତ୍ତନ ଜନିତ କାରଣଗୁଡ଼ିକ ଦ୍ବାରା ଦକ୍ଷିଣ ଏସିଆରେ ଶିକ୍ଷାଦାନ ସବୁଠାରୁ ଅଧିକ ବାଧାପ୍ରାପ୍ତ ହୋଇଛି। ଏହି ବର୍ଷ ଦକ୍ଷିଣ ଏସିଆର ୧୨.୮ କୋଟି ଛାତ୍ରଛାତ୍ରୀଙ୍କ ଶିକ୍ଷା, ଜଳବାୟୁ ପରିବର୍ତ୍ତନ ଯୋଗୁଁ ପ୍ରଭାବିତ ହୋଇଛି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଶିକ୍ଷାର୍ଥୀ ଭାରତର। ୨୦୨୫ ଜାନୁଆରି ୨୪ରେ ଆନ୍ତର୍ଜାତିକ ଶିକ୍ଷା ଦିବସ ଅବସରରେ ମିଳିତ ଜାତିସଂଘର ଶିଶୁକଲ୍ୟାଣ ସଂସ୍ଥା ‘ୟୁନିସେଫ୍’ ପକ୍ଷରୁ  ୨୦୨୪ ମସିହାରେ ବିଶ୍ବବ୍ୟାପୀ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତୀୟ କାରଣ ଯୋଗୁଁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଥିବା ବିଦ୍ୟାଳୟଗୁଡ଼ିକ ସଂପର୍କରେ ଏକ ରିପୋର୍ଟ ଉନ୍ମୋଚିତ ହୋଇଥିଲା। ଏହା ଅନୁସାରେ ୨୦୨୪ ମସିହାରେ ପ୍ରତ୍ୟେକ ସାତ ଜଣରୁ ଜ‌ଣେ ଛାତ୍ରଛାତ୍ରୀଙ୍କ ଶିକ୍ଷା ଜଳବାୟୁ ପରିବର୍ତ୍ତନ ସଂପର୍କିତ ବିପତ୍ତି ଯୋଗୁଁ ବାଧାପ୍ରାପ୍ତ ହୋଇଛି। ବିଶ୍ବ ସ୍ତରରେ ପ୍ରାକ୍-ପ୍ରାଥମିକରୁ ଉଚ୍ଚ ମାଧ୍ୟମିକ ପର୍ଯ୍ୟନ୍ତ ଅନ୍ତତଃ ୨୪.୨ କୋଟି ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟ ଶିକ୍ଷା ଜଳବାୟୁ ଘଟଣାଗୁଡ଼ିକ ଯୋଗୁଁ ବାଧାପ୍ରାପ୍ତ ହୋଇଛି। ମିଳିତ ଜାତିସଂଘର ଏହି ରିପୋର୍ଟରେ ୨୦୨୪ ଜାନୁଆରିରୁ ଡିସେମ୍ବର ମାସ ମଧ୍ୟରେ ଜଳବାୟୁ ବିପତ୍ତି ଯୋଗୁଁ ବିଦ୍ୟାଳୟ ଶିକ୍ଷା କିପରି ବାଧାପ୍ରାପ୍ତ ହୋଇଛି ସେ ସଂପର୍କରେ ବିଶ୍ଳେଷଣ କରାଯାଇଛି। ଏହି ରିପୋର୍ଟରେ ବିଦ୍ୟାଳୟ ଶିକ୍ଷା ବାଧାପ୍ରାପ୍ତ ହେବା ଯୋଗୁଁ ଦାୟୀ ୧୧୯ଟି ଜଳବାୟୁ ବିପତ୍ତିକୁ ଚିହ୍ନଟ କରାଯାଇଛି।

Advertisment

ଏଥିରେ ବିଭିନ୍ନ ଜଳବାୟୁ ସଂପର୍କିତ ବିପତ୍ତି ଯୋଗୁଁ ବିଦ୍ୟାଳୟ ବନ୍ଦ ହୋଇଯିବା, ବିଦ୍ୟାଳୟ ଖୋଲିବାରେ ବିଳମ୍ବ କିମ୍ବା ବିଦ୍ୟାଳୟ ବା ଶ୍ରେଣୀଗୃହଗୁଡ଼ିକ କ୍ଷତିଗ୍ରସ୍ତ ହୋଇଯିବା ପରି ଘଟଣାମାନ ଅନ୍ତର୍ଭୁକ୍ତ।
ଏହି ରିପୋର୍ଟ ମୁତାବକ ‘ଗ୍ରୀଷ୍ମ ଲହରି’ ଯୋଗୁଁ ବିଦ୍ୟାଳୟ ଶିକ୍ଷା ସବୁଠାରୁ ଅଧିକ ବାଧିତ ହୋଇଛି। ଅନ୍ୟୂନ ୧୭.୧ କୋଟି ଶିଶୁ ଏହାଦ୍ବାରା ପ୍ରଭାବିତ ହୋଇଛନ୍ତି। ଗ୍ରୀଷ୍ମମଣ୍ଡଳୀୟ ବାତ୍ୟା ସେପ୍‌ଟେମ୍ବର ମାସ ଶେଷ ସୁଦ୍ଧା ୧.୮ କୋଟି ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରିଛି। ଏହାର ପରବର୍ତ୍ତୀ ମାସ ଅକ୍‌ଟୋବର ଓ ନଭେମ୍ବରରେ ବାତ୍ୟା ଘଟଣାମାନ ଆହୁରି ବୃଦ୍ଧି ପାଇଥିଲା। ଫଳରେ ବିଦ୍ୟାଳୟ ଶିକ୍ଷା ବ୍ୟାହତ କରିବାରେ ବାତ୍ୟା ଓ ବନ୍ୟା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ସେହିପରି ଚରମ ପାଣିପାଗ ଜନିତ କାରଣରୁ ଜାନୁଆରି, ଫେବ୍ରୁଆରି ଓ ମାର୍ଚ୍ଚର ଘନକୁହୁଡ଼ି ଓ ଶୀତ ଲହରି ତଥା ପ୍ରଦୂଷଣ ଯୋଗୁଁ ଅଧିକ ଛାତ୍ରଛାତ୍ରୀ ଶ୍ବାସ, କାଶ ଓ ଅନ୍ୟାନ୍ୟ ଭୂତାଣୁ ଜନିତ ରୋଗରେ ପୀଡ଼ିତ ହୋଇ ଶିକ୍ଷାନୁଷ୍ଠାନ ଯାଇପାରି ନ ଥିଲେ। ନଭେମ୍ବର ମାସରେ ମଧ୍ୟ ଏହି ବିପତ୍ତି ପରିଲକ୍ଷିତ ହୋଇଥାଏ। ଏଲ୍ ନିନୋ ମଧ୍ୟ ଶିଶୁମାନଙ୍କର ସ୍ବାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପକାଇ ସେମାନଙ୍କର ଶିକ୍ଷାକୁ ବାଧା ଦେଉଛି ବୋଲି ୟୁନିସେଫ୍ ଦର୍ଶାଇଛି।