ଆମେରିକାର ଖାଦ୍ୟ ଓ କୃଷି ସଂଗଠନ (ଏଫ୍‌ଏଓ) ଦ୍ବାରା କରାଯାଇଥିବା ଏକ ଅନୁଧ୍ୟାନ ଅନୁଯାୟୀ, ସାରା ବିଶ୍ବରେ ସ୍ବଚ୍ଛଳ ବର୍ଗଙ୍କ ତୁଳନାରେ ଗରିବଶ୍ରେଣୀର ଲୋକେ ମୋଟାମୋଟି ଭାବେ ସେମାନଙ୍କ ମୋଟ ରୋଜଗାରର ୫ ପ୍ରତିଶତ ତାପମାତ୍ରା ଚାପ ଯୋଗୁଁ ଓ  ୪.୪ ପ୍ରତିଶତ ବନ୍ୟା ଯୋଗୁଁ ହରାଇଥା’ନ୍ତି। 

Advertisment

ଗତ ୧୬ ତାରିଖରେ ପ୍ରକାଶିତ ଏଫ୍‌ଏଓର ସଦ୍ୟତମ ରିପୋର୍ଟଟି ଭାରତୀୟ ଚାଷୀମାନଙ୍କ ଉପରେ ପାଣିପାଗ ପରିବର୍ତ୍ତନର ନକାରାତ୍ମକ ପ୍ରଭାବ ବାବଦରେ ସତର୍କ କରାଇ ଦେଇଛି। ପାଣିପାଗ ଚାପର ଭିନ୍ନତା ଉପରେ ନିର୍ଭର କରି, ବିଶେଷ କରି ଭାରତର ଗ୍ରାମୀଣ ଚାଷୀମାନେ ବିଭିନ୍ନ ବାଟରେ ପ୍ରଭାବିତ ହୋଇଥା’ନ୍ତି ବୋଲି ଏଥିରେ ଦର୍ଶାଯାଇଛି। ମରୁଡ଼ି ବେଳେ ଗରିବ ଶ୍ରେଣୀର ଲୋକେ ନିଜକୁ ବଞ୍ଚାଇବା ପାଇଁ କୃଷି ଉତ୍ପାଦ ନିମିତ୍ତ ଅଧିକ ସମୟ ଓ ସମ୍ବଳ ଖଟାଇଥା’ନ୍ତି। କୃଷି ବ୍ୟତୀତ ସେମାନଙ୍କ ପାଇଁ ବିକଳ୍ପ ରୋଜଗାରର ପନ୍ଥା କମ୍‌ ଥିବାରୁ ସେମାନେ ଏପରି କରିବାକୁ ବାଧ୍ୟ ହୋଇଥା’ନ୍ତି। ଏପରି ଭାବେ ସେମାନଙ୍କ ସମଗ୍ର ଉପାର୍ଜନ ପାଣିପାଗ ଚାପ ଭୋଗି ନଥିବା ଲୋକଙ୍କ ତୁଳନାରେ ଯଥେଷ୍ଟ କମ୍‌ ହୋଇଥାଏ।

ତେବେ ଏପରି ପ୍ରତିକୂଳ କୃଷି ପ୍ରଣାଳୀ ଉପରୁ ସେମାନଙ୍କର ନିର୍ଭରଶୀଳତା ହ୍ରାସ କରାଇବା ଲାଗି ସେମାନଙ୍କୁ କୌଣସି ଚରମ ପାଣିପାଗ ଘଟଣାର ଆବିର୍ଭାବ ପୂର୍ବରୁ ସରକାର ବିକଳ୍ପ ଜୀବିକାର୍ଜନର ପନ୍ଥା ଯୋଗାଇଦେବାକୁ ପରାମର୍ଶ କରାଯାଇଛି। ଏଥି ସହିତ ଯୋଜନା ପ୍ରଣୟନକାରୀମାନେ ଲିଙ୍ଗଭିତ୍ତିକ ପ୍ରତିବନ୍ଧକ ମଧ୍ୟ ଦୂର କରିବାକୁ କୁହାଯାଇଛି। ଏହାଦ୍ବାରା ବିକଳ୍ପ ରୋଜଗାର ପନ୍ଥାରୁ ବଞ୍ଚିତ ହେଉଥିବା ଗରିବ ମହିଳାମାନେ ମଧ୍ୟ ଉପକୃତ ହୋଇପାରିବେ। ଏହି ରିପୋର୍ଟ ଅନୁସାରେ, ବିଶ୍ବରେ କେବଳ ବନ୍ୟା ଯୋଗୁଁ ଗରିବ ଓ ଅଣଗରିବମାନଙ୍କ ରୋଜଗାରରେ ବାର୍ଷିକ ୨,୧୦୦ କୋଟି ଡଲାରର ବ୍ୟବଧାନ ସୃଷ୍ଟି ହେଉଛି। ସେହିପରି ତାପମାତ୍ରାର ପ୍ରଭାବ ସ୍ବରୂପ ଏହି ଦୁଇ ବର୍ଗର ରୋଜଗାରରେ ୨,୦୦୦ କୋଟି ଡଲାରର ପ୍ରଭେଦ ରହୁଛି।