ପୃଥିବୀରେ ଜଳବାୟୁ ସଙ୍କଟର ଚିନ୍ତାଜନକ ଲକ୍ଷଣ ପ୍ରତୀୟମାନ ହେବା କଥା ଏକ ନୂତନ ବୈଜ୍ଞାନିକ ମୂଲ୍ୟାଙ୍କନରୁ ଜଣାପଡ଼ିଛି। ଆମ ଗ୍ରହ ସ୍ୱାସ୍ଥ୍ୟର ୩୪ଟି ପ୍ରମୁଖ ସୂଚକ ମଧ୍ୟରୁ ୨୨ଟି ରେକର୍ଡ ଶୀର୍ଷରେ ପହଞ୍ଚିଲାଣି ବୋଲି ଓରେଗନ୍ ଷ୍ଟେଟ୍ ବିଶ୍ବବିଦ୍ୟାଳୟର ଗବେଷଣାରୁ ପ୍ରକାଶ ପାଇଛି। ଗବେଷକମାନେ ପୃଥିବୀର ସ୍ୱାସ୍ଥ୍ୟର ଅବସ୍ଥା ମାପିବା ପାଇଁ ବିଶ୍ୱ ତାପମାତ୍ରା, ସବୁଜଗୃହ ବାଷ୍ପ ସ୍ତର, ସାମୁଦ୍ରିକ ବରଫ ହ୍ରାସ ଓ ସମୁଦ୍ର ସ୍ତର ବୃଦ୍ଧି ସମେତ ୩୪ଟି ‘ମହତ୍ତ୍ବପୂର୍ଣ୍ଣ ସଙ୍କେତ’ ଉପରେ ନିଘା ରଖିଥିଲେ।

Advertisment

ଗବେଷକମାନଙ୍କ କହିବାନୁଯାୟୀ, ଆମେ ବର୍ତ୍ତମାନ ପୃଷ୍ଠ ତାପମାତ୍ରା, ସମୁଦ୍ର ଉତ୍ତାପ ପରିମାଣ, ସାମୁଦ୍ରିକ ବରଫ ହ୍ରାସ ଏବଂ ବନାଗ୍ନି ସହ ଜଡ଼ିତ ବୃକ୍ଷ ଆବରଣ ହ୍ରାସ ଆଦି ରେକର୍ଡ ଭଙ୍ଗକାରୀ ସଙ୍କେତ ଦେଖୁଛେ। ବିଶ୍ୱ ପାଣିପାଗ ସଂଗଠନ ଅନୁଯାୟୀ, ୨୦୧୫ରୁ ୨୦୨୪ ଦଶନ୍ଧି ଥିଲା ସବୁଠାରୁ ଉତ୍ତପ୍ତ ୧୦ ବର୍ଷର ଅବଧି। ଜୀବାଶ୍ମ ଇନ୍ଧନ ନିର୍ଭରଶୀଳତା ଯୋଗୁଁ ତୀବ୍ର ହୋଇଥିବା ସବୁଜଗୃହ ବାଷ୍ପ ସ୍ତର ବୃଦ୍ଧି ଏହାର କାରଣ। ୨୦୨୫ ମସିହାରେ କାର୍ବନ ଡାଇଅକ୍ସାଇଡ୍, ମିଥେନ ଓ ନାଇଟ୍ରସ୍ ଅକ୍ସାଇଡର ବାୟୁମଣ୍ଡଳୀୟ ସାନ୍ଦ୍ରତା ପୁଣିଥରେ ରେକର୍ଡ ଉଚ୍ଚ ସ୍ତରରେ ରହିଛି। ୨୦୨୪ ମସିହାରେ ସମୁଦ୍ର ଉତ୍ତାପର ପରିମାଣ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି, ଯାହା ବିଶ୍ୱର ପ୍ରାୟ ୮୪% ପ୍ରବାଳକୁ ପ୍ରଭାବିତ କରିଛି। ଅଗ୍ନିଜନିିତ ବୃକ୍ଷ ଆଚ୍ଛାଦନ କ୍ଷତି ସର୍ବକାଳୀନ ସର୍ବାଧିକ ସ୍ତରରେ ପହଞ୍ଚିଛି, ଯାହା ଜୈବ ବିବିଧତା ହ୍ରାସକୁ ଇନ୍ଧନ ଯୋଗାଇଛି।

ଆମ ଗ୍ରହ ସ୍ୱାସ୍ଥ୍ୟର ୩୪ଟି ପ୍ରମୁଖ ସୂଚକ ମଧ୍ୟରୁ ୨୨ଟି ରେକର୍ଡ ଶୀର୍ଷରେ ପହଞ୍ଚିଲାଣି। ବିଶ୍ୱ ପାଣିପାଗ ସଂଗଠନ ଅନୁଯାୟୀ, ୨୦୧୫ରୁ ୨୦୨୪ ଥିଲା ସବୁଠାରୁ ଉତ୍ତପ୍ତ ୧୦ ବର୍ଷର ଅବଧି। ଜୀବାଶ୍ମ ଇନ୍ଧନ ନିର୍ଭରଶୀଳତା ଯୋଗୁଁ ତୀବ୍ର ହୋଇଥିବା ସବୁଜଗୃହ ବାଷ୍ପ ସ୍ତର ବୃଦ୍ଧି ଏହାର କାରଣ।

ସେହିପରି ୨୦୨୪ ମସିହାରେ ଆର୍କଟିକ୍ ସମୁଦ୍ର ବରଫ ଆୟତନ ସର୍ବନିମ୍ନ ୪.୨୮ ନିୟୁତ ବର୍ଗ କିଲୋମିଟରକୁ ହ୍ରାସ ପାଇଥିଲା। ଗ୍ରିନ୍‌ଲ୍ୟାଣ୍ଡ ୫,୫୪୦ ଗିଗାଟନ୍ ବରଫ ହରାଇଥିବା ବେଳେ ଆଣ୍ଟାର୍କଟିକା ୨,୬୬୦ ଗିଗାଟନ୍ କ୍ଷୟ କରିଥିଲା। ଏପରି ପରିସ୍ଥିତିରେ, ଗତ ୫୦ ବର୍ଷ ମଧ୍ୟରେ, ବିଶ୍ୱ ତାପମାତ୍ରା ଗତ ୨୦୦୦ ବର୍ଷ ମଧ୍ୟରେ ଯେକୌଣସି ସମୟ ଅପେକ୍ଷା ଅଧିକ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଜାତିସଂଘ ପରିବେଶ କାର୍ଯ୍ୟକ୍ରମ ଅନୁଯାୟୀ, ୨୧୦୦ ସୁଦ୍ଧା ବିଶ୍ବ ତାପମାତ୍ରା ଶିଳ୍ପାୟନ-ପୂର୍ବ ସ୍ତର ତୁଳନାରେ ୩.୧ ଡିଗ୍ରି  ସେଲ୍‌ସିଅସ୍ ବଢ଼ିପାରେ। ଗତ ବର୍ଷ ସାରା ବିଶ୍ୱରେ ବିନାଶକାରୀ ଜଳବାୟୁ ବିପର୍ଯ୍ୟୟରେ ବୃଦ୍ଧି ଦେଖାଦେଇଛି, ଯେଉଁଥିରେ ୨୦୨୫ ଜୁଲାଇରେ କେନ୍ଦ୍ରୀୟ ଟେକ୍ସାସରେ ଭୟଙ୍କର ବନ୍ୟା, ଏପ୍ରିଲ ୨୦୨୫ରେ ଭାରତ ଓ ପାକିସ୍ତାନରେ ଗ୍ରୀଷ୍ମ ଲହରୀ ଏବଂ ଡିସେମ୍ବର ୨୦୨୪ରେ ଦକ୍ଷିଣ-ପୂର୍ବ ଆଫ୍ରିକାରେ ବ୍ୟାପକ କ୍ଷତି ଘଟାଇଥିବା ବାତ୍ୟା ‘ଚିଡୋ’ ଅନ୍ତର୍ଭୁକ୍ତ। ଏହି ସଂକଟ ଦୂର କରିବା ପାଇଁ ଜୀବାଶ୍ମ ଇନ୍ଧନ ବ୍ୟବହାରରେ ଦ୍ରୁତ ହ୍ରାସ, ଅକ୍ଷୟ ଶକ୍ତିରେ ନିବେଶ ବୃଦ୍ଧି ଏବଂ ଜଙ୍ଗଲ ଓ ଆର୍ଦ୍ରଭୂମି ଭଳି ପ୍ରାକୃତିକ ଅଙ୍ଗାର ଶୋଷକ ସୁରକ୍ଷା ଉପରେ ଗୁରୁତ୍ବ ଦେବା ଜରୁରି ହୋଇପଡ଼ିଛି।