ଭୁବନେଶ୍ବର : ଆଜିର ସୋସିଆଲ ମିଡିଆ ଯୁଗରେ ଲୋକମାନଙ୍କର ଧ୍ୟାନ କ୍ଷଣସ୍ଥାୟୀ ରହୁଛି । ଏଣୁ ଆମକୁ ଜଳବାୟୁ ସଂପର୍କିତ ରିପୋର୍ଟ ଗୁଡ଼ିକୁ ଆକର୍ଷଣୀୟ କରିବାକୁ ହେବ, ଯଦ୍ବାରା କି ସେଗୁଡ଼ିକ ଲୋକଙ୍କ ଧ୍ୟାନ ଆକର୍ଷଣ କରିପାରିବ, କହିଛନ୍ତି ଅର୍ବାନ ଅପଡେଟର ଅଭିଷେକ ପାଣ୍ଡେ ।
ପୁନଶ୍ଚ ପୃଥିବୀ ସମ୍ମିଳନୀ ୨୦୨୫ରେ ଯୋଗଦେଇ ସେ ପରିବେଶ, ଗଣମାଧ୍ୟମ ଓ ଯୋଗାଯୋଗ ଉପରେ ନିଜର ମତ ରଖିଥିଲେ । ସେ କହିଥିଲେ ଯେ ଆଜିକାଲି ଲୋକମାନେ ଅତ୍ୟଧିକ କଠିନ ଓ ବୈଷୟିକ ଶବ୍ଦ ଥିବା ରିପୋର୍ଟ ବଦଳରେ ଆମୋଦଦାୟକ ଓ ମନୋରଂଜକ ଖବରକୁ ଗୁରୁତ୍ବ ଦେଉଛନ୍ତି । ଅନ୍ୟପକ୍ଷରେ ଆପିସିସିର ରିପୋର୍ଟଗୁଡ଼ିକ ଉପରେ କଷ୍ଟକର ଓ ବୈଷୟିକ ଶବ୍ଦବହୁଳ ହୋଇଥାଏ ଯେ ତାହା ଲୋକମାନଙ୍କୁ ବିରସ ଲାଗେ । ଲୋକେ ଜଳବାୟୁ ପରିବର୍ତ୍ତନ ସଂପର୍କିତ ଏକ ବିରସ ରିପୋର୍ଟ ବଦଳରେ ଚଳଚ୍ଚିତ୍ର ତାରକାଙ୍କ ସଂପର୍କିତ ଖବର ପଢିବାକୁ ପସନ୍ଦ କରୁଛନ୍ତି । ଏଣୁ ଆମକୁ ଜଳବାୟୁ ରିପୋର୍ଟଗୁଡ଼ିକୁ କେବଳ ଡାଟା ଭିତ୍ତିକ ନ କରି ଆକର୍ଷଣୀୟ କରିବାକୁ ହେବ, ଯାହାକି ଲୋକମାନଙ୍କ ଜୀବନକୁ ଛୁଇଁପାରୁଥିବ ଓ ତାଙ୍କ ଭାବନାକୁ ଉଦ୍ରେକ କରିପାରୁଥିବ ।
ସେ ଆହୁରି ମଧ୍ୟ କହିଥିଲେ ଯେ ଜଳବାୟୁ ସଂପର୍କିତ ଗଣମାଧ୍ୟମ ରିପୋର୍ଟ ଗୁ଼ଡ଼ିକ କେବଳ ଘଟଣା ଓ ଟ୍ରାଜେଡି ଉପରେ ଫୋକସ ନ କରି କାହିଁକି ଏପରି ହେଉଛି ତାହା ଉପରେ ଫୋକସ କରିବା ଉଚିତ । ଦିଲ୍ଲୀ ପ୍ରଦୂଷଣ କଥା ଆମେ କେବଳ ଦୀପାବଳି ସମୟରେ କହୁ, ବର୍ଷର ଅନ୍ୟ ସମୟରେ ଏପରି ରିପୋର୍ଟ ଆସେନାହିଁ । ଏଣୁ ଏସବୁ ସମସ୍ୟା ଉପରେ ଆମେ ନିୟମିତଭାବେ ଓ ଲୋକଙ୍କ ଜୀବନକୁ ଛୁଇଁପାରୁଥିବାଭଳି ରିପୋର୍ଟ ପ୍ରସ୍ତୁତ କରିବା ଉଚିତ ।
ୟୁଏନଡିପିର ଯୋଗାଯୋଗ ସହଯୋଗୀ ତାଜେନ୍ କ୍ୟୁରେଶୀ ଏହି କାର୍ଯ୍ୟକ୍ରମର ସଂଚାଳନ କରିଥିଲେ ।