ଜୟବାୟୁ ପରିବର୍ତ୍ତନ ଯୋଗୁଁ ସାମୁଦ୍ରିକ ଜୁଆର କୂଳ ଲଂଘୁଛି। ଜୁଆର ମାଡ଼ରେ କ୍ଷୟ ହୋଇ ଚାଲିଛି ଉପକୂଳବର୍ତ୍ତୀ ଅଞ୍ଚଳ। ଏଭଳି ସ୍ଥିତିରେ ଉପକୂଳକୁ ସୁରକ୍ଷା ଦେଉଛି ହେନ୍ତାଳବଣ। ହେଲେ ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ହେନ୍ତାଳବଣ ନଷ୍ଟ ହୋଇ ଚାଲିଥିବା‌ ବେଳେ ନୂଆ ହେନ୍ତାଳବଣ ସୃଷ୍ଟି ପାଇଁ ପଦକ୍ଷେପ ନିଆଯାଉନି। ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ-୨୦୧୯ର ରିପୋର୍ଟ ଅନୁଯାୟୀ ଆମ ରାଜ୍ୟରେ ୨୫୧.୦୦ ବର୍ଗ କିଲୋମିଟର ସମୁଦ୍ରକୂଳିଆ ଅଞ୍ଚଳରେ ହେନ୍ତାଳବଣ ରହିଥିଲା। କେନ୍ଦ୍ରାପଡ଼ା ଜିଲ୍ଲାରେ ସର୍ବାଧିକ ୨୦୧.୪୯ ବର୍ଗ କିଲୋମିଟର ହେନ୍ତାଳ ବଣ ଥିବା ବେଳେ ଭଦ୍ରକ ଜିଲ୍ଲାରେ ୩୪.୮୭ ବର୍ଗ କିଲୋମିଟର, ଜଗତସିଂହପୁର ଜିଲ୍ଲାରେ ୮.୦୬ ବର୍ଗ କିଲୋମିଟର, ବାଲେଶ୍ୱର ଜିଲ୍ଲାରେ ୫.୦୭ ବର୍ଗ କିଲୋମିଟର, ପୁରୀ ଜିଲ୍ଲାରେ ସର୍ବନିମ୍ନ ୧.୧୫ ବର୍ଗ କିଲୋମିଟରର ହେନ୍ତାଳବଣ ରହିଥିଲା। ତେବେ ୨୦୨୧ର ସର୍ଭେ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ୮.୩୪ ବର୍ଗ କିଲୋମିଟର ଲୁଣାଜଙ୍ଗଲ ବଢ଼ିଛି। ମୁଖ୍ୟତଃ ଭିତରକନିକାରେ ଲୁଣାଜଙ୍ଗଲ ବଢ଼ିଥିବା ବେଳେ ଅନ୍ୟ ଜିଲ୍ଲାରେ ସେଭଳି ଆଖିଦୃଶିଆ ନୁହେଁ।  ସରକାରୀ ରିପୋର୍ଟ ଯାହା କହୁଛି ବାସ୍ତବ ସ୍ଥିତି କିନ୍ତୁ ଭିନ୍ନ। ଉପକୂଳ ଅଞ୍ଚଳର ସୁରକ୍ଷା କବଚ ପାଲଟିଥିବା ହେନ୍ତାଳବଣ ଏବେ ନିଜେ ସୁରକ୍ଷା ଲୋଡୁଛି।

Advertisment

ବାଲେଶ୍ୱର: ଅସ୍ବାଭାବିକ ଭାବେ ଜଳବାୟୁ ପରିବର୍ତ୍ତନ ହେଉଛି। ସମୁଦ୍ରର ଜଳସ୍ତର ବଢ଼ିବାରେ ଲାଗିଛି। ଜୁଆର ବାଲେଶ୍ବର ଜିଲ୍ଲା ଉପକୂଳସ୍ଥ ଜନବସତି ଆଡ଼କୁ ମାଡ଼ି ଆସୁଛି। ଏହି ବିପଦର ମୁକାବିଲା ପାଇଁ ଅଧିକରୁ ଅଧିକ ହେନ୍ତାଳବଣ ସୃଷ୍ଟିର ଅବଶ୍ୟକତା ଅଛି। ହେଲେ ଯେଉଁ ବଣ ଅଛି, ତାହା ଦିନକୁ ଦିନ ଛିଡ଼ିବାରେ ଲାଗିଛି। ଫଳରେ ଲୋକମାନେ ଚିନ୍ତାରେ ପଡ଼ିଛନ୍ତି। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍ ବରିପଦା ପଞ୍ଚାୟତ ଅନ୍ତର୍ଗତ ମହାରୁଦ୍ରପୁର ଓ ଅଟାସପୁର, କଲ୍ୟାଣୀ ପଞ୍ଚାୟତ ଅନ୍ତର୍ଗତ ବଗଲପୁର ଆଡ଼ିଆ, ଆରୁହାବାଡ଼ ପଞ୍ଚାୟତ ଅନ୍ତର୍ଗତ ରୂପଖଣ୍ଡ, ଖରାସାହାପୁର ପଞ୍ଚାୟତର ରାମତାଳି ଆଡ଼ିଆ, ବାଉଁଶଡ଼ିହା ଓ ଉପର ଆଡ଼ିଆ ଆଦି ଗାଁ ସମୁଦ୍ର କୂଳରେ ରହିଛି। ସେହିପରି ଭୋଗରାଇ ବୁକ୍ କୁମ୍ଭୀରଗଡ଼ି ପଞ୍ଚାୟତର କୁମ୍ଭୀରଗଡ଼ି, ନାରାୟଣ ମହାନ୍ତି ପଡ଼ିଆ ପଞ୍ଚାୟତ ଅଧୀନ ନାରାୟଣ ମହାନ୍ତି ପଡ଼ିଆ, କୀର୍ତ୍ତନିଆ ଓ ମାଟିକେଞ୍ଚା, କାନ୍ଥିଭଉଁରୀ ପଞ୍ଚାୟତର ବଡ଼ପାହି ଓ ବିଚିତ୍ରପୁର, ଶ୍ରଦ୍ଧାପୁର ପଞ୍ଚାୟତର ଖଡ଼ିବିଲ, ଗୋଚ୍ଛିଦାତେଘରୀ ପଞ୍ଚାୟତର ସୁବର୍ଣ୍ଣପୁର ଓ କୁଶୁନଗର, ବାଲିଆପାଳ ବ୍ଲକ୍ ଜମ୍ଭୀରାଇ ପଞ୍ଚାୟତର ଚାଉଳତି, ସଦର ବ୍ଲକ୍ ଅନ୍ତର୍ଗତ ଚାନ୍ଦିପୁର ପଞ୍ଚାୟତର ମୀର୍ଜାପୁର, ହିଡ଼ିଗାଁ ପଞ୍ଚାୟତର ହିଡ଼ିଗାଁ, ଗୁଡ଼ ପଞ୍ଚାୟତର ଗୁଡ଼ପାହି, ରେମୁଣା ବ୍ଲକ୍ କସବା ପଞ୍ଚାୟତର ଜୟଦେବ କସବାପାହି, ତୁଣ୍ଡରା ପଞ୍ଚାୟତର ଖଡ଼ୁପାହି ପ୍ରଭୃତି ଗାଁ ସମୁଦ୍ର କୂଳରେ ଅଛି।

ବାଲେଶ୍ବର ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ୮୦ କିଲୋମିଟର ଅଞ୍ଚଳ ମଧ୍ୟରୁ ପ୍ରାୟ ୨୫ କିଲୋମିଟର ଅଞ୍ଚଳକୁ ଛାଡ଼ି ବାକି ୫୫ କିଲୋମିଟର ଅଞ୍ଚଳରେ ସମୁଦ୍ର ଧୀରେ ଧୀରେ ଆଗକୁ ମାଡ଼ି ଆସୁଛି। ଭୋଗରାଇ ବ୍ଲକ୍ ସୁବର୍ଣ୍ଣପୁର ଦ୍ବୀପ, ସଦର ବ୍ଲକ୍ ବଂଶାରୀ ମୁହାଣ ସହ ଅନ୍ୟ କିଛି ସ୍ଥାନରେ ଆପେ ସୃଷ୍ଟି ହୋଇଥିବା ଛୋଟ ଛୋଟ ହେନ୍ତାଳବଣ ଜୁଆର ମାଡ଼ରେ ଏବଂ ଅନ୍ୟ କିଛି କାରଣ ପାଇଁ ନଷ୍ଟ ହେଉଛି। ଉପକୂଳ ଅଞ୍ଚଳରେ ହେନ୍ତାଳବଣର ସୁରକ୍ଷା ସହ ନୂଆ ହେନ୍ତାଳବଣ ସୃଷ୍ଟି କରିବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି। କିନ୍ତୁ ବନ ବିଭାଗ ଗୁରୁତ୍ବ ଦେଉନି। ଅବଶ୍ୟ ଭୋଗରାଇ ବ୍ଲକ୍‌ ଖଡ଼ିବିଲ, ବିଚିତ୍ରପୁର ଓ ସଦର ବ୍ଲକ୍ ଅନ୍ତର୍ଗତ ମୀର୍ଜାପୁରର କିଛି ଅଞ୍ଚଳରେ ବନ ବିଭାଗ ପକ୍ଷରୁ ହେନ୍ତାଳବଣ ସୃଷ୍ଟି କରାଯାଇଛି। ହେଲେ ସେ ହେନ୍ତାଳବଣ ଆଶାନୁରୂପକ ନୁହେଁ।