ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ନିର୍ବାଚନମଣ୍ଡଳୀର ଶଗଡ଼ା ହାଇସ୍କୁଲରେ ‘ସମ୍ବାଦ’ ଗ୍ରୁପ୍‌ ପକ୍ଷରୁ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରୂପକେଶରୀ ଦଳେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରଦୀପ ଦିଶାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ପୋଡ଼ୁଚାଷ ଯୋଗୁଁ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି। ଏହାକୁ ବନ୍ଦ କରିବାକୁ ପଡ଼ିବ। ଉଜୁଡ଼ା ଜଙ୍ଗଲ କିଭଳି ସବୁଜିମାମୟ ହେବ ବନସୁରକ୍ଷା ସମିତିମାନେ ଉଦ୍ୟମ କରିବା ଆବଶ୍ୟକ। ବନ ବିଭାଗ ନିମନ୍ତେ ବିଭିନ୍ନ ସ୍ଥାନରେ ଗୋଷ୍ଠୀକେନ୍ଦ୍ର ନିର୍ମାଣ କରାଯାଇଛି। ସେଠାରେ ବସି ଜଙ୍ଗଲ ସୁରକ୍ଷା ଉପରେ ଗ୍ରାମବାସୀଙ୍କୁ ସଚେତନ କରାନ୍ତୁ। କଳାହାଣ୍ଡି ଜିଲ୍ଲାରେ ଚନ୍ଦନ ଓ ଚମ୍ପାଗଛ ପ୍ରଚୁର ପରିମାଣରେ ଦେଖିବାକୁ ମିଳୁଥିଲା। ବର୍ତ୍ତମାନ ଏହା ଲୋପ ପାଇବାରେ ଲାଗିଛି। ମୁଁ ପିଲାଦିନରୁ ବୃକ୍ଷରୋପଣ ପ୍ରତି ଆକୃ‌ଷ୍ଟ ହୋଇଥିଲି। ଯୁକ୍ତ୨ ପଢ଼ିବା ବେଳେ କ୍ଲବ୍‌ ମାଧ୍ୟମରେ ବୃକ୍ଷରୋପଣ ପାଇଁ ଉଦ୍ୟମ କରିଥିଲି ବୋଲି କହିଥିଲେ।  ମୁଖ୍ୟବକ୍ତା ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଡ. ଅଜୟ ମିଶ୍ର କହିଥିଲେ ଯେ ବାୟୁ, ଜଳ, ମାଟି ଓ ଶବ୍ଦ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହା ଯୋଗୁଁ ଅଙ୍ଗାରକାମ୍ଳ ବୃଦ୍ଧି ପାଇବାରେ ଲାଗିଛି।

Advertisment

ଖାଦ୍ୟ ଶୃଙ୍ଖଳ ବାଧାପ୍ରାପ୍ତ ହୋଇଥିବା ଯୋଗୁଁ ଏହାର ପ୍ରଭାବ ପରିବେଶ ଉପରେ ପଡୁଛି। ପଲିଥିନ ମୁକ୍ତ କରିବା ସହିତ କିଭଳି ଅଧିକ ଅମ୍ଳଜାନ ପରିବେଶରେ ମହଜୁଦ ହେବ ଏହା ଉପରେ ଚିନ୍ତା କରିବା ସମୟ ଆସିଛି। ‘ସମ୍ବାଦ’ର ପୁନଶ୍ଚ ପୃଥିବୀ କାର୍ଯ୍ୟକ୍ରମ ଓଡ଼ିଶାର ଜନମାନସରେ ନିଶ୍ଚିତ ଭାବରେ ଏକ ଛାପ ଛାଡ଼ିବ। ଏହାଦ୍ବାରା ପରିବେଶ ସଚେତନତା ଉପରେ ସକରାତ୍ମକ ପ୍ରଭାବ ପଡ଼ିବ ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ରେଞ୍ଜର ରମେଶ ଚନ୍ଦ୍ର ରାଉତ କାଠୁରିଆ ଉପାଖ୍ୟାନ ମାଧ୍ୟମରେ ପରିବେଶ ସଚେତନତା ନେଇ ବିଭିନ୍ନ ଉଦାହରଣ ଦେଇଥିଲେ। ‘ସମ୍ବାଦ’ର ପୁନଶ୍ଚ ପୃଥିବୀ କାର୍ଯ୍ୟକ୍ରମ ଦ୍ବାରା ବନ ବିଭାଗର ଜଙ୍ଗଲ ସୁରକ୍ଷା ନିମନ୍ତେ ଲୋକଙ୍କ ସମର୍ଥନ ପାଇଁ ଉତ୍ସାହ ମିଳିବ ବୋଲି କହିଥିଲେ। ଶଗଡ଼ା ପଞ୍ଚାୟତର ପୂର୍ବ ସରପଞ୍ଚ ବିଜୟ ମାଝୀ ବନ୍ୟ ପ୍ରାଣୀମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ଉପରେ ଗୁରୁତ୍ବ ଆରୋପ କରିଥିଲେ।  

ଲିଲିଙ୍ଗପଦର ଓ ମଖାପଦରଠାରେ ପରିବେଶ ସଚେତନତା ପାଇଁ ଉଦ୍ୟମ ହେବା ଆବଶ୍ୟକ ବୋଲି କହିଥିଲେ। ସଭାପତି ରୂପକେଶରୀ ଦଳେଇ କର୍ଲାପାଟ ଅଭୟାରଣ୍ୟକୁ ବନ୍ୟପ୍ରାଣୀ ଡିଭିଜନ୍‌ ଭାବରେ ସରକାର ଘୋଷଣା କଲେ ବନ୍ୟପ୍ରାଣୀଙ୍କ ସଂରକ୍ଷଣ ହୋଇପାରିବ। ବରଗଛ, ନିମ୍ବଗଛ ଓ ଅଶ୍ବତ୍‌ଥ ବୃକ୍ଷ ପରିବେଶକୁ ଅଧିକ ଅମ୍ଲଜାନ ଛାଡ଼େ। ତେଣୁ ଏହା ଉପରେ ଗୁରୁତ୍ବ ଦେବା ଆବଶ୍ୟକ। ୨୦୨୧ ମସିହାରେ ସର୍ବଭାରତୀୟ ଜଙ୍ଗଲ ହାର ୨୧.୭୧% ଥିବା ବେଳେ ୨୦୨୩ ମସିହାରେ କଳାହାଣ୍ଡି ଜିଲ୍ଲାରେ ମାତ୍ର ୧୪% ଜଙ୍ଗଲ ରହିଥିବା ଜଣାଯାଇଛି। ଜାତୀୟ ହାରଠାରୁ ମଧ୍ୟ ଏଠାରେ କମ୍‌ ଜଙ୍ଗଲ ଥିବା ଯୋଗୁଁ ବୃକ୍ଷରୋପଣ ଓ ଜଙ୍ଗଲ କଟା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଠୋସ୍‌ ପଦକ୍ଷେପ ନେବା ଆବଶ୍ୟକ ରହିଛି ବୋଲି କହିଥିଲେ।